ପରୀକ୍ଷାରେ ଫେଲ୍ ହେବା ଡରରେ ପୁଅ ସହ ଆତ୍ମହତ୍ୟା କଲେ ମହିଳା

Published By : Prameya-News7 Bureau | November 22, 2018 IST

ମୁମ୍ବାଇ ୨୨|୧୧:   ମହାରାଷ୍ଟ୍ରର ଚନ୍ଦ୍ରପୁରରେ ୨୮ବର୍ଷୀୟ ଜଣେ ମହିଳା ନିଜର ୫ବର୍ଷର ପୁଅ ସହ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ଶିଶୁଟିକୁ ଓଢଣୀ ସାହାଯ୍ୟରେ ନିଜ ଦେହରେ ବାନ୍ଧି ହ୍ରଦକୁ ଡେଇଁଥିଲେ । ମହିଳା ଜଣଙ୍କ ହେଉଛନ୍ତି ରୁପାଲି ଗୁଜେବାର । ସେ ନଭେମ୍ବର ୧୯ତାରିଖରେ ଆତ୍ମହତ୍ୟା କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳା ଜଣଙ୍କ ପରୀକ୍ଷାରେ ଫେଲ୍ ହେବା ଡରରେ ଆତ୍ମହତ୍ୟା କରିଛନ୍ତି । ସେ ବି.କମ୍ ପରୀକ୍ଷାରେ ପାସ୍ ନକଲେ ତାଙ୍କୁ ଭଲ ଚାକିରୀ ମିଳିବ ନାହିଁ ବୋଲି ସେ ଭାବୁଥିଲେ । ଘଟଣା ସଂପର୍କରେ ସେତେବେଳେ ଜଣାପଡିଥିଲା ଯେତେବେଳେ ରୁପାଲି ଏବଂ ତାଙ୍କ ପୁଅର ମୃତଦେହ ସମଲା ହ୍ରଦରେ ଭାସୁଥିବାର ଦେଖିବାକୁ ମିଳିଥିଲା । ପୋଲିସର ସୂଚନା ଅନୁସାରେ ରୁପାଲି ବି.କମ୍ ଦ୍ବିତୀୟ ବର୍ଷର ପରୀକ୍ଷାରେ ପାସ୍ କରିପାରିନଥିଲେ । ଫଳରେ ସେ ଦ୍ବିତୀୟ ଥର ଏହି ପରୀକ୍ଷା ଦେଇଥିଲେ । ରୁପାଲିଙ୍କ ସ୍ବାମୀ ଆଶିଷ ଏକ କମ୍ପାନୀରେ ସେଲ୍ସମ୍ୟାନ୍ ଭାବେ କାମ କରନ୍ତି । କାମରୁ ଫେରିବା ପରେ ଆଶିଷଙ୍କୁ ତାଙ୍କ ସ୍ତ୍ରୀ ଏବଂ ପୁଅ ଘରେ ମିଳିନଥିଲେ । ସେ ବହୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ । ଛାନ୍ ଭିନ୍ ବେଳେ ପୋଲିସକୁ ରୁପାଲିଙ୍କ ବ୍ୟାଗ୍ ରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସୁଇସାଇଡ୍ ନୋଟ୍ ରୁପାଲି ନିଜେ ଲେଖିଛନ୍ତି କି ନାହିଁ ପୋଲିସ ସେନେଇ ତଦନ୍ତ କରୁଛି । ପୋଲିସର ସୂଚନା ଅନୁସାରେ ସୁଇସାଇଡ୍ ନୋଟ୍ ରେ ଲେଖା ହୋଇଛି ଯେ, ପରୀକ୍ଷାରେ ଫଲ ହୋଇଯିବା ଡରରେ ସେ ଆତ୍ମହତ୍ୟା କରିଛନ୍ତି । ଫେଲ୍ ହେଲେ ଭଲ ଚାକିରୀ ମିଳିବ ନାହିଁ । ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.