ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ମାଷ୍ଟର ପ୍ଲାନ୍ : ହନିଟ୍ରାପ୍‌ରେ ଫସାଇ ହତ୍ୟା ପାଇଁ ଯୋଜନା କରିଥିଲା ଭଉଣୀ, ଫିଲ୍ମ ଷ୍ଟାଇଲରେ ପଣ୍ଡକଲା ପୋଲିସ

Published By : Prameya-News7 Bureau | January 12, 2021 IST

ମୁମ୍ବାଇ ୧୨/୦୧ : ମୁମ୍ବାଇରେ ଏକ ଲୋମଟାଙ୍କୁରା ଘଟଣା ସାମ୍ପାକୁ ଆସିଛି । ଜଣେ ଭଉଣୀ ନିଜ ଭାଇ ହତ୍ୟାର ପ୍ରତିଶୋଧ ନେବା ପାଇଁ ଏପରି ଏକ କାରନାମା କରିଛନ୍ତି ଯାହାକି ସମସ୍ତଙ୍କୁ ତାଜୁବ କରିଛି । ଜଣେ ଯୁବତୀ ପ୍ରତିଶୋଧ ନେବା ପାଇଁ ନିଜ ଭାଇକୁ ହତ୍ୟା କରିଥିବା ଅଭିଯୁକ୍ତରକୁ ପ୍ରଥମେ ହନିଟ୍ରାପ୍‌ରେ ଫସାଇଥିଲେ । ଏହା ପରେ ସାଙ୍ଗମାନଙ୍କ ସାହାଯ୍ୟରେ ଏକ ଜଙ୍ଗଲକୁ ନେଇ ସେଠାରେ ହତ୍ୟା କରିବା ପାଇଁ ପ୍ଲାନ୍‌ କରିଥିଲେ ।

କିନ୍ତୁ ଏହା ପୂର୍ବର ପୋଲିସ କୌଣସିମତେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ସବୁ ଯୋଜନାକୁ ପଣ୍ଡ କରିଦେଇଥିଲା । ଘଟଣାରେ ସଂପୃକ୍ତି ଅଭିଯୋଗରେ ଅଭିଯୁକ୍ତ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଫିଲ୍ମ ଷ୍ଟାଇଲରେ ମର୍ଡର ପୂର୍ବରୁ ପହଞ୍ଚିଯାଇଥିଲା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଜୁନ ୨୦୨୦ରେ ମଲାଡ୍ ଅଞ୍ଚଳରେ ପାକିଂକୁ ନେଇ ଦୁଇଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ମହମ୍ମଦ ସାଦିକ ନାମକ ଜଣେ ବ୍ୟକ୍ତି ୨୪ ବର୍ଷୀୟ ଅଲ୍ଲାଫ୍‌ ସେଖଙ୍କୁ ହତ୍ୟା କରିଥିଲା ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମହମ୍ମଦ ସାଦିକ ଦିଲ୍ଲୀ ଫେରାର ହୋଇଯାଇଥିଲା । ଏହି ଘଟଣା ପରେ ମୃତକ ଅଲ୍ଲାଫ୍‌ଙ୍କ ଭଉଣୀ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ । ପରେ ଅଲ୍ଲାଫ୍‌ଙ୍କର କିଛି ବନ୍ଧୁଙ୍କୁ ଫସାଇ ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁ କରିଥିଲେ । ଏଥିରେ ଅଲ୍ଲାଫ୍‌ର ବନ୍ଧୁ ଫାରୁକ୍‌ ସେଖ୍, ଓଓ୍ବେସ୍‌ ସେଖ୍, ନସୀମ ସେୟଦ୍, ଜାକିର ଖାନ୍‌ ଏବଂ ସତ୍ୟମ ପାଣ୍ଡେ ସାହାଯ୍ୟ କରିଥିଲେ ।

ପ୍ରଥମେ ଅଲ୍ଲାଫ୍‌ର ଭଉଣୀ ଜସ୍ମୀନ୍‌ ମହମ୍ମଦକୁ ହନିଟ୍ରାପ୍‌ରେ ଫସାଇଥିଲା । ଇନଷ୍ଟାଗ୍ରାମରେ ଜାଲ ଆକାଉଣ୍ଟ ଖୋଲି ମହମ୍ମଦ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ ଜସ୍ମୀନ୍‌ । ସପ୍ତାହେ ପୂର୍ବରୁ ସାଦିକ୍, ଜସ୍ମୀନକୁ ଦେଖାକରିବା ପାଇଁ ଦିଲ୍ଲୀରୁ ମୁମ୍ବାଇ ଆସିଥିଲା । ପୂର୍ବ ଯୋଜନା ଅନୁଯାୟୀ ମହିଳାଙ୍କ ୫ ବନ୍ଧୁ ସାଦିକ୍ ଦିଲ୍ଲୀ ପହଞ୍ଚିବା ପରେ ଏକ ଆମ୍ବୁଲାନ୍ସରେ ଅପହରଣ କରିନେଇଥିଲେ । ଏକ ଜଙ୍ଗଲକୁ ନେଇ ସେଠାରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।

ତେବେ ସାଦିକକୁ ଅପହରଣ କରିନେବା ସମୟରେ ସେଠାରେ ଜଣେ ବ୍ୟକ୍ତି ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ତତକ୍ଷଣାତ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲା । ଶେଷରେ ଅଭିଯୁକ୍ତମାନଙ୍କୁ ଚେକ୍‌ପୋଷ୍ଟରେ ଧରିଥିଲା ପୋଲିସ । ଅପହରଣ ମାମଲାରେ ଜସ୍ମୀନ୍ ଏବଂ ତାର ୫ ଜଣ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ମାମଲାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.