ଡିସେମ୍ବର ୧ରୁ ଖୋଲିବନି ପ୍ରଥମରୁ ସପ୍ତମ ସ୍କୁଲ, ଓମିକ୍ରୋନ୍‌ ଭ୍ୟାରିଆଣ୍ଟ ପାଇଁ ଗାଇଡଲାଇନ୍‌ ଜାରିକଲା ବିଏମ୍‌ସି

Published By : Prameya-News7 Bureau | November 30, 2021 IST

ମୁମ୍ବାଇ ୩୦/୧୧ : କରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି । ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଠାରୁ ଆହୁରି ଭୟଙ୍କର କୁହାଯାଉଥିବା ଓମିକ୍ରନ୍‌ ବିଶ୍ବବାସୀଙ୍କ ନିଦ ହଜାଇସାରିଲାଣି । ଏହାକୁ ନେଇ ଭାରତରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହେଲାଣି । ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଯୋଜନା କରାଯାଉଥିଲେ ସୁଦ୍ଧା ଏବେ ପୁଣି ରୋକ୍‌ ଲଗାଯାଇଛି । ମୁମ୍ବାଇରେ ଆସନ୍ତା ଡିସେମ୍ବର ୧ ତାରିଖରୁ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଥିଲେ ସୁଦ୍ଧା ମଙ୍ଗଳବାର ଏହାକୁ ପୁଣି ଥରେ ବାତିଲ କରିଦିଆଯାଇଛି । ପ୍ରଥମରୁ ସପ୍ତହ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାକୁ ଥିବା ସ୍କୁଲ ଡିସେମ୍ବର ପହିଲାରୁ ନୁହେଁ ବରଂ ୧୫ ତାରିଖରେ ଖୋଲିବ ।

ମୁମ୍ବାଇରେ ପୂର୍ବରୁ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର୧ ତାରିଖରୁ ସ୍କୁଲ ଖୋଲିବାର ଥିଲ । କିନ୍ତୁ କୋଭିଡ୍‌ର ଓମିକ୍ରନ୍‌ ଭ୍ୟାରିଆଣ୍ଟକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ୧ ବଦଳରେ ଡିସେମ୍ବର ୧୫ ତାରିଖରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବଭଳି ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ ।

ବିଏମ୍‌ସିର ଶିକ୍ଷା ଅଧିକାରୀ ରାଜୁ ତଡଓ୍ବୀ କହିଛନ୍ତି, ‘ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଠାରୁ ସ୍କୁଲ ଖୋଲିବାକୁ ଆଦେଶନାମା ଜାରି ହୋଇଥିଲା । ଏବେ ନୂଆ ଭ୍ୟାରିଆଣ୍ଟ ଏବଂ ସ୍କୁଲଗୁଡିକର ସାନିଟାଇଜେସନ୍‌କୁ ଦୃଷ୍ଟିରେ ରଖି ୧୪ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ବି ଯଦି ଓମିକ୍ରନ୍‌ ଭ୍ୟାରିଆଣ୍ଟର ଭୟାବହତା ଅଧିକ ରୁହେ ତେବେ ଆହୁରି କଠୋର ହେବାକୁ ପଡିବ । ଏହାକୁ ରୋକିବା ଦିଗରେ କଡା ପଦକ୍ଷେପ ନିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ଅନଲାଇନ୍‌ କ୍ଲାସ ବିକଳ୍ପ ଭାବେ ରହିଛି । ଅନେକ ବିଚାର ବିମର୍ଷ ପରେ ସ୍କୁଲ ବନ୍ଦ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । କାରଣ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରାଥମିକତା ।’

ଏହା ବାଦ୍ ମୁମ୍ବାଇରେ ୮ମ ଏବଂ ତତୁର୍ଦ୍ଧ୍ବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି । ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ନିୟମ କଡାକଡି କରାଯାଇଛି । ଛାତ୍ରଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ଏହା ସହିତ ଯଦି କୌଣସି ଶିକ୍ଷକ/ଶିକ୍ଷୟିତ୍ରୀ କିମ୍ବା ସ୍କୁଲର ଷ୍ଟାଫ୍‌ ଟିକା ନେଇ ନଥିବେ ସେମାନଙ୍କୁ ତୁରନ୍ତ ଟିକା ନେବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.