ମୁମ୍ବାଇ ୬।୧: ଟିଆରପି ଅନିୟମିତତା ମାମଲାରେ ବମ୍ବେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏଥିରେ ମୁମ୍ବାଇ ପୋଲିସ ରିପବ୍ଲିକ ଟିଭି ଓ ଏହାର ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବାର କୋର୍ଟଙ୍କୁ କହିଛନ୍ତି। ଏଣୁ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି କୌଣସି ସୁରକ୍ଷା ଦିଆ ନ ଯାଉ ବୋଲି ପୋଲିସ କୋର୍ଟଙ୍କୁ ନିବେଦନ କରିଛି।
ତେବେ ବୁଧବାର ଶୁଣାଣିରେ ରପବ୍ଲିକ ଟିଭି ପକ୍ଷରୁ କୋର୍ଟରେ ମୋକଦ୍ଦମା ପରିଚାଳନା କରୁଥିବା ଓକିଲ ହରିସ ସାଲଭେ ଅଦାଲତରେ ଉପସ୍ଥିତ ନଥିଲେ। ସେହିପରି ଅନ୍ୟତମ ଓକିଲ ମଧ୍ୟ ତାଙ୍କ ପରିବାରରେ ମେଡିକାଲ ଏମର୍ଜେନ୍ସୀ ଲାଗି କୋର୍ଟକୁ ଆସିନଥିଲେ। ଏଣୁ କୋର୍ଟ ଶୁଣାଣି ଟାଳି ଦେଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଜାନୁୟାରୀ ୧୫ ତାରିଖରେ ହେବ।
ଶୁଣାଣିରେ ପୋଲିସ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ କପିଲ ଶିବଲ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ କରିବନି ବୋଲି କୋର୍ଟଙ୍କୁ ସମ୍ମତି ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଗତ ୧୬ ଡିସେମ୍ବର ଶୁଣାଣିରେ ମଧ୍ୟ ଶିବଲ କୋର୍ଟଙ୍କୁ ପରବର୍ତ୍ତି ଶୁଣାଣି (୬ ଜାନୁୟାରୀ) ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବନି ବୋଲି ପ୍ରତିଶ୍ରୁତି ଦେଇଥିଲେ।