୯ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ବଜାୟ ରଖିଲା

Published By : Prameya-News7 Bureau | October 05, 2021 IST

ସାରଜା ୦୫।୧୦:  'କର ବା ମର' ମୁକାବିଲାରେ ବୋଲରଙ୍କ ଘାତକ ବୋଲିଂ ଦମରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ। ରାଜସ୍ଥାନ ରୟାଲ୍ସକୁ ସଂପୂର୍ଣ୍ଣ ଏକତରଫା ମ୍ୟାଚ୍‌ରେ ୮ ଓ୍ଵିକେଟ୍‌ରେ ହରାଇ ପ୍ଲେଅଫ୍‌ ଆଶା ବଳବତ୍ତର ରଖିଛି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ। ଅନ୍ୟପଟେ ରାଜସ୍ଥାନ ରୟାଲ୍ସକୁ ଜୋରଦାର ଝଟକା ଲାଗିଛି। ଦଳ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ୍ ପଡିଛି। ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତିନି ଦ୍ରୁତ ବୋଲର ନାଥନ କୁଲଟର ନାଇଲ, ଜେମ୍ସ ନିଶାନ ଓ ଯଶପ୍ରୀତ ବୁମରା ଏବଂ ଇଶାନ କିଶନ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଦ୍ରୁତ ବୋଲରଙ୍କ ମୁକାବିଲା କରିନପାରି ୯ ଓ୍ଵିକେଟ୍ ହରାଇ ମାତ୍ର ୯୦ ରନ କରିବାକୁ ସକ୍ଷମ  ହୋଇଥିଲା। ଜବାବରେ ଇଶାନ କିଶନଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ(୨୫ ବଲ୍ ୫୦ ରନ)  ଜବାବରେ ମୁମ୍ବାଇ ୮.୨ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ମୁମ୍ଵାଇର ଶେଷ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ସହ ରହିଛି। ମୁମ୍ଵାଇ ପକ୍ଷରୁ ନାଥନ କୁଲଟର ନାଇଲ ୧୪ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି।

ମୁମ୍ବାଇକୁ କେବଳ ବିଜୟ ଆବଶ୍ୟକ ନଥିଲା ବରଂ ବଡ ବ୍ୟବଧାନରେ ଜିତିବା ଜରୁରୀ ଥିଲା। ୯୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ରୋହିତ ଶର୍ମା ୧୩ ବଲ୍‌ରୁ ୧ ଚୌକା ଓ ୨ ଛକା ସହ ୨୨ ରନ କରି ଆଉଟ୍ ହୋଇଥିଲେ। ୫୬ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ(୧୩) ପାଭିଲିୟନ ଫେରିଥିଲେ। ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲ୍‌ରୁ ୫ ଚୌକା ଓ ୩ ଛକା ଜରିଆରେ ଅର୍ଦ୍ଧଶତକ ସହ ଅପରାଜିତ ଥିଲେ। ମୁମ୍ବାଇ ମାତ୍ର ୮.୨ ଓଭରରେ ୯୧ ରନର ବିଜୟ ଲକ୍ଷ୍ୟ ହାସଲ କରି ପ୍ଲେଅଫ ଆଶା ଉଜ୍ଜିବୀତ ରଖିଛି।

ରାଜସ୍ଥାନର ବ୍ୟାଟ୍ସମ୍ୟାନମାନେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଥିଲେ। କୌଣସି ଜଣେ ବି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଓପନର ଇଭିନ୍ ଲୁଇସ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋରରେ ବଦଳାଇପାରିନଥିଲେ । ବ୍ୟକ୍ତିଗତ ଭାବେ ସେ ୨୪ ରନ କରି ଆଉଟ ହୋଇଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୨ରନ, ସଞ୍ଜୁ ସାମସନ ୩, ଶିବମ ଦୁବେ ୩ ରନ, ଗ୍ଲେନ୍‌ ଫିଲିପ୍ସ ୪ ରନ, ଡେଭିଡ ମିଲର ୧୫, ରାହୁଲ ତେଓ୍ବାତିୟା ୧୨, ଶ୍ରେୟସ ଗୋପାଳ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଚେତନ୍‌ ସକାରିୟା ୬ ରନ କରି ଆଉଟ ହୋଇଛନ୍ତି । ମୁସ୍ତଫିଜୁର ରେହମାନ ୮ ରନ ଏବଂ କୁଳଦୀପ ଯାଦବ ୦ ରନ କରି ନଟ୍‌ ଆଉଟ ଅଛନ୍ତି ।

ଜେମସ୍‌ ନିସାମ ଏବଂ ନାଥାନ କୁଲଟର ନାଇଲ୍‌ ଦମଦାର ବୋଲିଂ କରି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ନାଥାନ ୪ ଓଭରରେ ୧୪ ରନ ୪ ଓ୍ବିକେଟ ନେଇଛନ୍ତି।   ନିସାମ ୪ ଓଭରରେ ମାତ୍ର ୧୨ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଯଶପ୍ରୀତ ବୁମରାହ ୪ ଓଭରରେ ୧୪ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.