ଶେଷ ମ୍ୟାଚରେ ୫ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ, ଟୁର୍ଣ୍ଣାମେଣ୍ଟରୁ ଦିଲ୍ଲୀ ବିଦା, ପ୍ଲେ ଅଫରେ ପହଞ୍ଚିଲା ବେଙ୍ଗାଲୁରୁ

Published By : Prameya-News7 Bureau | May 21, 2022 IST

ମୁମ୍ବାଇ: ଟିମ୍ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଶେଷ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ଵିକେଟରେ ହରାଇଛି। ଏହି ବିଜୟ ସହ ମୁମ୍ବାଇ ଚଳିତ ଆଇପିଏଲରେ ନିଜର ଅଭିଯାନ ଶେଷ କରିଥିବା ବେଳେ ପରାଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ୍  ପଡିଛି। ମୁମ୍ବାଇର ବିଜୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ଲେ ଅଫ ମାର୍ଗ ଖୋଲି ଯାଇଛି।  ବେଙ୍ଗାଲୁରୁ ଚତୁର୍ଥ ଦଳ ଭାବେ ପ୍ଲେ ଅଫରେ ନିଜ ସ୍ଥାନ ସୁନିଶ୍ଚିତ କରିଛି। ଯଦି ମୁମ୍ବାଇ ହାରିଥାନ୍ତା ତେବେ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିଥାନ୍ତା ଏବଂ ବେଙ୍ଗାଲୁରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥାନ୍ତା। ଦିଲ୍ଲୀ ଦ୍ଵାରା ଧାର୍ଯ୍ୟ ୧୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଷନଙ୍କ ୪୮ ଏବଂ ଟିମ୍ ଡେଭିଡଙ୍କ ବିସ୍ଫୋରକ ୩୪ ରନ ବଳରେ ୧୯.୧ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।

୧୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ନିରାଶଜନକ ଥିଲା। ରୋହିତ ଶର୍ମା ୧୩ ବଲରୁ ୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଷନ ଏବଂ ଡେଓ୍ଵାର୍ଲ୍ଡ ବ୍ରେଭିସ୍ ଭଲ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୫୧ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ବ୍ରେଭିସ୍ ୩୭ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ପରେ ତିଳକ ବର୍ମା ଏବଂ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଟିମ୍ ଡେଭିଡ୍ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୧ ବଲରୁ ୨ ଚୌକା ଏବଂ ୪ ଛକା ସହ ୩୪ ରନ କରିଥିଲେ। ତାଙ୍କର ଏହି ବ୍ୟାଟିଂ ମୁମ୍ବାଇକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇଛି। ତିଳକ ବର୍ମା ୨୧ ରନ କରି ପାଭିଲିୟନ ଫେରିଥିଲେ। ଶେଷରେ ମୁମ୍ବାଇ ୧୯.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।  ଦିଲ୍ଲୀ ପକ୍ଷରୁ ଅନରିଚ ନୋର୍ତ୍ତଜେ ଏବଂ ଶାର୍ଦ୍ଦୁଳ ଠାକୁର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଥିଲା। ଦଳ ପକ୍ଷରୁ ରୋଭମାନ ପାଓ୍ଵେଲ ୪୩ ରନ ଏବଂ ଋଷଭ ପନ୍ତ ୩୯ ରନ କରିଥିଲେ। ପୃଥ୍ଵୀ ଶ ୨୪ ରନ କରିଥିବା ବେଳେ ଅକ୍ଷର ପଟେଲ୍ ଅପରାଜିତ ୧୯ ରନ କରିଛନ୍ତି। ପନ୍ତ ଏବଂ ପାଓ୍ଵେଲଙ୍କ ମଧ୍ୟରେ ପଞ୍ଚମ ଓ୍ଵିକେଟ୍‌ରେ ୭୫ ରନ ଭାଗିଦାରୀ ଯୋଗୁଁ ଦିଲ୍ଲୀ ଏହି ସ୍କୋରରେ ପହଞ୍ଚି ପାରିଥିଲା। ମୁମ୍ବାଇ  ତରଫରୁ ଯଶପ୍ରୀତ ବୁମରା ୨୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ରମଣଦୀପ ସିଂହ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୟଙ୍କ ମାର୍କେଣ୍ଡେୟ ଏବଂ ଡାନିଏଲ ସାମ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

ଆଇପିଏଲ ୨୦୨୨ ପ୍ଲେ ଅଫ

କ୍ଵାଲିଫାୟର ୧- ଗୁଜରାଟ ଟାଇଟନ୍ସ ବନାମ ରାଜସ୍ଥାନ ରୟାଲ୍ସ

ଏଲିମିନେଟର- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.