ଆନ୍ଦ୍ରେ ରସେଲଙ୍କ ଉପରେ ଭାରି ପଡିଲେ ରାହୁଲ ଚହର, କୋଲକାତା ମୁହଁରୁ ବିଜୟ ଛଡାଇ ଆଣିଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | April 13, 2021 IST

ଚେନ୍ନାଇ ୧୩।୦୪: ଆଇପିଏଲର ୧୪ଶ ସଂସ୍କରଣର ରୋମାଞ୍ଚକର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ମୁହଁରୁ ବିଜୟ ଛଡାଇ ଆଣିଛି। କୋଲକାତା ନାଇଟ୍‌ ରାଇଡର୍ସକୁ ୧୦ ରନରେ ପରାସ୍ତ କରିଛି ମୁମ୍ବାଇ। ରାହୁଲ ଚହରଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଦ୍ଵିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି କୋଲକାତା ନାଇଟ୍ ରାଇଡର୍ସ। ସୂର୍ଯ୍ୟକୁମାର ଯାଦବଙ୍କ ୫୬ ଏବଂ ରୋହିତ ଶର୍ମାଙ୍କ ୪୩ ରନ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୧୫୨ ରନରେ ଅଲ୍‌ଆଉଟ୍ ହୋଇଥିଲା। ଜବାବରେ କୋଲକାତା ଦୁଇ ଓପନର ନୀତିଶ ରାଣାଙ୍କ ୫୭ ଏବଂ ଶୁବମାନ ଗିଲ୍‌ଙ୍କ ୩୩ ରନ ସତ୍ତ୍ଵେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍  ହରାଇ ୧୪୨ ରନରେ ସୀମିତ ରହିଥିଲା। ଆନ୍ଦ୍ରେ ରସେଲ ୫ ଓ୍ଵିକେଟ୍ ସଫଳତା ବ୍ୟର୍ଥ ହୋଇଥିବା ବେଳେ  ରାହୁଲ ଚହର ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୧୫୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା କୋଲକତା ନାଇଟ୍ ରାଇଡର୍ସକୁ ଦୁଇ ଓପନର ଶୁବମାନ ଗିଲ୍ ଓ ନୀତିଶ ରାଣା ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍‌ରେ ୭୨ ରନ ଯୋଡି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ଗିଲ୍ ୩୩ ରନ କରି ବିଦାୟ ନେଇଥିଲେ। ରାହୁଲ ଚହର ଓପନିଂ ଯୋଡି ଭାଙ୍ଗିବା ସହ କୋଲକାତାର ୪ ବ୍ୟାଟସମ୍ୟାନଙ୍କୁ ଶୀଘ୍ର ପାଭିଲିୟନ ପଠାଇଥିଲେ। ରାହୁଲ ତ୍ରିପାଠୀ(୫) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅଧିନାୟକ ଇଅନ ମୋର୍ଗାନ(୭) ନିରାଶ କରିଥିଲେ। ନୀତିଶ ରାଣା ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୭ ବଲ୍‌ରୁ ୬ ଚୌକା ଓ ୨ ଛକା ସହ ୫୭ ରନ କରି ଆଉଟ୍ ହୋଇଥିଲେ। ସାକିବ ଉଲ ହସନ ୯ ରନ କରି ଆଉଟ୍ ହୋଇଥିଲେ। କୋଲକାତା ୧୨୨ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଏକତରଫା ମ୍ୟାଚ୍‌ ରୋମାଞ୍ଚକର ମୋଡ ନେଇଥିଲା।

ପ୍ରଥମରୁ କୌଣସି ସଫଳତା ପାଇନଥିବା ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଶେଷ ଭାଗରେ ଶାଣିତ ବୋଲିଂ କରିଥିଲେ। ଶେଷ ୫ ଓଭରରେ କୋଲକାତାକୁ ୩୧ ରନ ଦରକାର ଥିଲା। ହେଲେ ମୁମ୍ବାଇ ବୋଲର ମାପଚୁପ ବୋଲିଂ କରି କୋଲକାତା ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇବା ସହ ବ୍ୟାଟ୍ ଖୋଲିବାକୁ ଦେଇନଥିଲେ। ଶେଷ ଦୁଇ ଓଭରରେ କୋଲକାତାକୁ ୧୯ ରନ ଦରକାର ଥିବା ବେଳେ ୧୯ତମ ଓଭରରେ ବୁମରା ମାତ୍ର ୪ ରନ ଦେଇଥିଲେ। ଶେଷ ଓଭରରେ କୋଲକାତାକୁ ଜିତିବା ପାଇଁ ୧୫ ରନ ଦରକାର ଥିବା ବେଳେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ପାରିନଥିଲା। ଅନ୍ତିମ ଓଭରରେ ଟ୍ରେଣ୍ଟ ବୋଲ୍ଡ ଆନ୍ଦ୍ରେ ରସେଲ(୯) ଓ ପାଟ୍ କମିନ୍ସ(୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଦଳକୁ ବିଜୟ କରାଇଥିଲେ। ନିର୍ଦ୍ଧାରିତ ଓଭରରେ କୋଲକାତା ୭ ଓ୍ଵିକେଟ୍  ହରାଇ ୧୪୨ ରନରେ ସୀମିତ ରହିଥିଲା।

ମୁମ୍ବାଇ ପକ୍ଷରୁ ରାହୁଲ ଚହର ୨୭ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କୃଣାଲ ପାଣ୍ଡ୍ୟା ମାତ୍ର ୧୩ ରନ ଦେଇ ଗୋଟିଏ ସଫଳତା ନେଇ ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଟ୍ରେଣ୍ଟ ବୋଲ୍ଡ ୨୭ ରନ ଦେଇ ୨ଟି ସଫଳତା ନେଇ ଦଳ ବିଜୟରେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି।

କେକେଆର ଅଧିନାୟକ ଇଅନ୍‌ ମୋର୍ଗାନ୍‌ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ମୁମ୍ବାଇ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ୍‌ ଡିକକ୍‌ ଇନିଂସ୍‌ ଓପନ କରିିଥିଲେ। ଦଳୀୟ ସ୍କୋର ୧୦ ହୋଇଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା। କ୍ବିଣ୍ଟନ୍‌ ଡିକକ୍‌ ମାତ୍ର ୨ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ରୋହିତଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସୂର୍ଯ୍ୟକୁମାର ୩୬ ବଲରେ ୫୬ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ଇଶାନ୍‌ କିଷନ ବ୍ୟାଟିଂ କରିବାକୁ ଆିସିଥିଲେ ସୁଦ୍ଧା ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ଦଳୀୟ ସ୍କୋର ୧୧୫ ଥିବା ବେଳେ ଦଳକୁ ଲାଗିଥିଲା ବଡ଼ ଝଟକା। ରୋହିତ ୪୩ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ।

ରୋହିତ ଆଉଟ୍‌ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ବଡ଼ ସ୍କୋର କରି ପାରନିଥିଲା। ରୋହିତଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୫, କିରନ୍‌ ପୋର୍ଲାଡ ୫, କୃଣାଲ ପାଣ୍ଡ୍ୟା ୧୫, ମାର୍କେ ଜନସେନ ୦, ରାହୁଲ ଚହର ୨, ବୁମରା ୦ ଓ ଟ୍ରେଣ୍ଟ ବୋଲ୍ଟ ମାତ୍ର ୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଯାହାଫଳରେ ମୁମ୍ବାଇ ନିର୍ଦ୍ଧାରତି ୨୦ ଓଭରରରେ ସମସ୍ତ ଓ୍ବିକେଟ ହରାଇ ୧୫୨ ରନ୍‌ କରି ପାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.