ଆଜି ରୋହିତ-ମୋର୍ଗାନ୍ ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | April 13, 2021 IST

ଚେନ୍ନାଇ,୧୪/୦୪: ମଙ୍ଗଳବାର ଆଇପିଏଲ୍‌ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ୩ଦିନର ଅଭ୍ୟାସ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ଦିଗରେ ନାଇଟ ରାଇଡର୍ସ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ।

ଆତ୍ମ ବିଶ୍ୱାସରେ ଭରପୁର ନାଇଟ୍ ରାଇଡର୍ସ                         

ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବା ପରେ ନାଇଟ୍‌ ରାଇଡର୍ସ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପାଇଁ ଦଳ ବର୍ତ୍ତମାନ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ଘରୋଇ ଖେଳାଳିଙ୍କ ପ୍ରଦର୍ଶନ ଦଳ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ।

ଭୁଲ ସୁଧାରିବ ମୁମ୍ବାଇ ଇଣ୍ଡିଆନ୍ସ

ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ପରାଜିତ ହୋଇଥିଲା ଡିଫେଣ୍ଡିଂ ଚାମ୍ପିଅନ ଦଳ । ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା, କିରେନ ପୋଲାର୍ଡ ପ୍ରମୁଖ ବିଫଳ ହୋଇଥିଲେ । ଏହା ବ୍ୟତୀତ ଦଳ ଅନେକ କ୍ୟାଚ୍‌ ହାତଛଡ଼ା କରିଥିଲା । ୩ଦିନର ଅଭ୍ୟାସ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସମସ୍ତ ତ୍ରୁଟି ସୁଧାରି ନେଇଛି ।

ବୋଲରଙ୍କ ମଧ୍ୟରେ ହେବ ଲଢେଇ

ମଙ୍ଗଳବାର ଉଭୟ ଦଳର ବୋଲିଂ ବିଭାଗ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଉଭୟ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ । ସନରାଇଜର୍ସ ବିପକ୍ଷରେ ନାଇଟ୍‌ ରାଇଡର୍ସ ୬ଜଣ ବୋଲରଙ୍କୁ ନିୟୋଜିତ କରିଥିଲା । ଭେଟେରାନ ହରଭଜନ ମାତ୍ର ଗୋଟିଏ ଓଭର ବୋଲିଂ କରିବାକୁ ସୁଯୋଗ ପାଇଥିଲେ । ତଥାପି ନାଇଟ୍‌ ରାଇଡର୍ସ ୧୦ ରନ୍‌ରେ ବିଜୟୀ ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମଧ୍ୟ ଏକାଧିକ ଅଲ୍‌ରାଉଣ୍ଡର ରହିଛନ୍ତି । ଜଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଉପରେ ଦଳର ବୋଲିଂ ବିଭାଗ ନିର୍ଭର କରିବ । ତଥାପି କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ପୋଲାର୍ଡଙ୍କ ଭଳି ଅଲ୍‌ରାଉଣ୍ଡର ଦଳରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ନବାଗତ ପେସ୍‌ ବୋଲର ମାର୍କୋ ଜାନସେନ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.