ଆରସିବି ବିପକ୍ଷରେ ଖେଳିବେନି ଡି’କକ୍, ଏହି ଖେଳାଳିଙ୍କୁ ପ୍ରଥମ ମ୍ୟାଚରେ ଖେଳାଇବ ମୁମ୍ବାଇ ଇଣ୍ଡିଆନ୍ସ !
6/04/2021 at 10:34 AM

ମୁମ୍ବାଇ,୦୬/୦୪: ମମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନକୁ ନେଇ କେହି ହେଲେ ଦ୍ୱନ୍ଦ୍ୱରେ ନାହାଁନ୍ତି । କାରଣ ଦଳ ସମସ୍ତ ସିଜିନରେ ଭଲ ପ୍ରଦର୍ଶନ କରିଛି । ଦଳ ଚଳିତ ଆଇପିଏଲରେ ୨ ବିଦେଶୀ ବୋଲର ନାଥାନ କୁଲଟନ୍ ନାଇଲ୍ ଓ ଆଡାମ ମିଲନୋଙ୍କ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ରୋହିତ ଶର୍ମା ନିଜ ନେତୃତ୍ୱରେ ମୁମ୍ବାଇକୁ ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିଅନ କରିଛନ୍ତି । ଦଳ ଚଳିତ ସିଜିନର ପ୍ରଥମ ମ୍ୟାଚ୍ ୯ ତାରିଖରେ ବେଙ୍ଗାଲୁରୁ ସହ ଖେଳିବ ।
ଦଳ ନିଲାମରେ ୭ଜଣଙ୍କୁ କିଣିଥିଲେ ମଧ୍ୟ ଚୂଡାନ୍ତ ଏକାଦଶ ଏକପ୍ରକାର ସ୍ଥିର ହୋଇଛି । ତେବେ ଓପନର ବ୍ୟାଟସମ୍ୟାନ୍ ଓ୍ୱିଣ୍ଟନ୍ ଡିକକ୍ ପ୍ରଥମ ମ୍ୟାଚ ଖେଳିବେ ନାହିଁ । ସେ ନିକଟରେ ପାକିସ୍ତାନ ବିପକ୍ଷ ଦିନିକିଆରେ ସାମିଲ ହୋଇଥିଲେ । ତେଣୁ ତାଙ୍କୁ କ୍ୱାରେଣ୍ଟାଇନରେ ୭ ଦିନ ରହିବାକୁ ହେବ । ତାଙ୍କ ସ୍ଥାନରେ ରୋହିତଙ୍କ ସହ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ କ୍ରିସ୍ ଲିନ୍ ଓପନିଂ କରିପାରନ୍ତି । ସେ ବିଗ୍ ବାସ୍ ଲିଗରେ ଭଲ ପ୍ରଦର୍ଶନ କରିଥିଲେ ।
୩ନମ୍ବର ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳିବା ଏକପ୍ରକାର ସ୍ପଷ୍ଟ । ଏହାପରେ ଇଷାନ କିଶାନ ବ୍ୟାଟିଂ ପାଇଁ ଓହ୍ଲାଇବେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା, କାୟରନ ପୋଲାର୍ଡ ଓ କୃଣାଲ ପାଣ୍ଡ୍ୟା ଖେଳିବେ । ଜସପ୍ରିତ ବୁମରାହ ଓ ଟ୍ରେଣ୍ଡ ବୋଲ୍ଟ ବୋଲିଂ ଦାୟିତ୍ୱ ସମ୍ଭାଳିବେ । ସେହିପରି ପ୍ରଥମ ମ୍ୟାଚରେ କୁଲଟନ୍ ନାଇଲ ଏକ ପ୍ରକାର ଖେଳିବା ସ୍ପଷ୍ଟ । ରାହୁଲ ଚହର ମଧ୍ୟ ପ୍ରଥମ ମ୍ୟାଚ୍ ଖେଳିପାରନ୍ତି ।

ସମ୍ଭାବ୍ୟ ଏକାଦଶ- ରୋହିତ ଶର୍ମା, କ୍ରିସ ଲିନ୍, ସୂର୍ଯ୍ୟକୁମାର ଯାଦବ, ଇଷାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ପୋଲାର୍ଡ, କୃଣାଲ ପାଣ୍ଡ୍ୟା, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରାହ ଓ କୁଲଟର ନାଇଲ୍