ରୋହିତ-ପୋଲାର୍ଡ-ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଶେଷ ୫ ଓଭରରୁ ୮୯ ରନ, ପଞ୍ଜାବକୁ ୧୯୨ରନ ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | October 01, 2020 IST

ଆବୁଧାବି ୦୧।୧୦: ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ପୋଲାର୍ଡ ଓ ହାର୍ଦ୍ଦିକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୧୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଛି। ଟସ୍ ହାରି ପ୍ରଥମେ ବ୍ୟାଟି କରି ମୁମ୍ବାଇ ରୋହିତଙ୍କ ୭୦, ପୋଲାର୍ଡଙ୍କ ଅପରାଜିତ ବିସ୍ଫୋରକ ୪୭ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଦ୍ରୁତ ୩୦ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି। ଶେଷ ୫ ଓଭରରୁ ମୁମ୍ବାଇ ଧୂଆଁଧାର ବ୍ୟାଟିଂ କରି ୮୯ ରନ ସଂଗ୍ରହ କରିଛି ଯାହା ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ନିଭାଇପାରେ। ଏହା ପୂର୍ବରୁ ଦୁଇ ଦଳ ନିଜ ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ଏହି ମ୍ୟାଚ୍‌ ଜିତି ବିଜୟ ମାର୍ଗକୁ ଫେରିବାକୁ ଦୁଇ ଦଳ ଆଶା ରଖିଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଭଲ ନଥିଲା। ଦଳ ଖାତା ଖୋଲିବା ପୂର୍ବରୁ କ୍ଵିଣ୍ଟନ ଡିକକ୍‌ ସେଲଡ୍ରନ କଟ୍ରେଲଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ସୂର୍ଯ୍ୟ କୁମାର ଯାଦବ(୧୦) ଦୁର୍ଭାଗ୍ୟବଶତଃ ରନ ଆଉଟ୍  ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ରୋହିତ ଶର୍ମା ଓ କିଶାନ କିଶନ ଦଳର ଇନିଂସ ଆଗକୁ ବଢାଇଥିଲେ। ଉଭୟ ଭ୍ୟାଟସମ୍ୟାନ ଦେଖିରଖି ବ୍ୟାଟିଂ କରିଥିଲେ। ୮୩ ରନ୍ ସ୍କୋରରେ ଇଶାନ କିଶନ ବଡ  ସଟ୍‌ ଖେଳିବାକୁ ଯାଇ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ରୋହିତ ଓ ଇଶାନ କିଶନ ତୃତୀୟ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡି ଦଳର ସ୍ଥିତିରେ ଉନ୍ନତି ଆଣିଥିଲେ।

{"id":337305,"sizeSlug":"large"}

୧୫ ଓଭର ପର୍ଯ୍ୟନ୍ତ ମୁମ୍ଵାଇ ୬ ରନ ହାରରେ ରନ ସଂଗ୍ରହ କରି ୧୦୦ ରନ ପୂରଣ କରିଥିଲା। ଏହା ପରେ ରୋହିତ ଶର୍ମା ଓ କିରଣ ପୋଲାର୍ଡ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହି କ୍ରମରେ ରୋହିତ ଶର୍ମା ଆଇପିଏଲରେ ୩୮ ତମ ଅର୍ଦ୍ଧଶତକ ହାସଲ କରିଥିଲେ। ୧୬ତମ ଓଭରରେ ରୋହିତ ବିସ୍ଫୋରକ ବ୍ୟାଟିଂ କରି ୨୧ ରନ ସଂଗ୍ରହ କରିଥିଲେ। ହେଲେ ୧୭ତମ ଓଭରରେ ମ୍ୟାକ୍ସଓ୍ଵେଲଙ୍କ ଦର୍ଶନୀୟ କ୍ୟାଚ୍‌ ରୋହିତଙ୍କ ଇନିଂସରେ ପୂର୍ଣ୍ଣଛେଦ ପକାଇଥିଲା। ରୋହିତ ୪୫ ବଲରୁ ୮ ଚୌକା ଓ ୩ ଛକା ଜରିଆରେ ୭୦ ରନର ବଡ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ଧୂଆଁଧାର ବ୍ୟାଟିଂ କରିଥିଲେ।  ପାଣ୍ଡ୍ୟା ୧୧ ବଲରୁ(୩ ଚୌକା ଓ ୨ ଛକା) ୩୦ ରନ ଏବଂ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ୨୦ ବଲରୁ (୩ ଚୌକା ଓ ୪ ଛକା) ୪୭ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୧୯୧ ରନ କରିଛି। ଏକଦା ୧୫ ଓଭରରେ ୧୦୦ ରନ ପୂରଣ କରିଥିବା ମୁମ୍ଵାଇ ଶେଷ ୫ ଓଭରରେ ଧୂଆଁଧାର ବ୍ୟାଟିଂ କରି ୮୯ ରନ କରି ପଞ୍ଜାବ ସମ୍ମୁଖରେ ୧୯୧ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି।

ପଞ୍ଜାବ ତରଫରୁ ମହମ୍ମଦ ସାମି, ସେଲଡ୍ରନ କଟ୍ରେଲ ଓ କୃଷ୍ଣାପା ଗୌତମ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.