ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲେ ହର୍ଷଲ ପଟେଲ୍, ରୟାଲ ଚ୍ୟାଲେଞ୍ଜର୍ସକୁ ମିଳିଲା ୧୬୦ ରନର ବିଜୟ ଲକ୍ଷ୍ୟ

Published By : Prameya-News7 Bureau | April 09, 2021 IST

ଚେନ୍ନାଇ ୦୯।୦୪: ଆଜିଠୁ ଆରମ୍ଭ ହୋଇଛି ଫଟାଫଟ୍‌ କ୍ରିକେଟ୍‌ର ମଜା ଆଇପିଏଲ। ଦୁନିଆର ସବୁଠାରୁ ଆକର୍ଷକ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ୨୦୨୧ର ବିଗୁଲ ବାଜିଛି। ପ୍ରଥମ ମ୍ୟାଚ୍ ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ପ୍ରଥମ ମୁକାବିଲାରେ ଛାଇ ଯାଇଛନ୍ତି ବେଙ୍ଗାଲୁରୁ ବୋଲର ହର୍ଷଲ ପଟେଲ। ସେ ଶାଣିତ ବୋଲିଂ କରି ୫ ଓ୍ଵିକେଟ୍ ନେଇ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି।  

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ହର୍ଷଲ ପଟେଲଙ୍କ ମାପଚୁପ ବୋଲିଂର ମୁକାବିଲା କରି ନପାରି ୧୬୦ ରନ ଭିତରେ ସୀମିତ ରହିଛି। କ୍ରିସ୍ ଲିନ୍‌ଙ୍କ ୪୯ ରନ ଜରିଆରେ ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୯  ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ସୂର୍ଯ୍ୟକୁମାର ଯାଦବ ୩୧ ଏବଂ ଇଶାନ କିଷନ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ।  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସମ୍ମୁଖରେ ୧୬୦ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଟସ୍ ଜିତି ବିରାଟ କୋହଲି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ଇନିଂସ ଓପନ କରିଥିବା ଅଧିନାୟକ ରୋହିତ ଶର୍ମା ଓ କ୍ରିସ୍ ଲିନ ପ୍ରଥମ ଓ୍ଵିକେଟ୍‌ରେ ୨୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୯ ରନ କରି ଦୁର୍ଭାଗ୍ୟବଶତଃ ରନ ଆଉଟ୍  ହୋଇଥିଲେ। ଏହା ପରେ କ୍ରିସ୍ ଲିନ ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ  ବଢାଇଥିଲେ। ଦ୍ଵିତୀୟ ଓ୍ଵିକେଟ୍ ପାଇଁ ଦୁଇ ବ୍ୟାଟସମ୍ୟାନ ୭୦ ରନ  ଯୋଡି ବଡ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ।

{"id":435961,"width":830,"height":553,"sizeSlug":"large","linkDestination":"none"}

ସୁର୍ଯ୍ୟକୁମାର ଯାଦବ ୨୩ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୩୧ ରନ କରି ପାଭିଲିୟନ ଫେରିଥିଲେ। ୧୦୫ ରନ ସ୍କୋରରେ ମୁମ୍ବାଇ କ୍ରିସ୍ ଲିନଙ୍କ ଭାବେ ତୃତୀୟ ଓ୍ଵିକେଟ୍ ହରାଇଥିଲା। ଲିନ୍ ଗୋଟିଏ ରନ ଦୂରରେ ରହି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୩୫ ବଲ୍‌ରୁ ସେ  ୪ ଚୌକା ଓ ୩ ଛକା ଜରିଆରେ ୪୯ ରନ କରି ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧୩) ମଧ୍ୟ କିଛି ଖାସ୍ କରି ପାରିନଥିଲେ। ଶେଷ ଆଡକୁ ଇଶାନ କିଷନ ୨୮ ରନ କରି ଏଲବିଡବ୍ଲ୍ୟୁ ହୋଇଥିଲେ। ଶେଷ ଓଭରରେ ମୁମ୍ବାଇ ଦୟନୀୟ ବ୍ୟାଟିଂ କରି ୪ ଓ୍ଵିକେଟ୍ ହରାଇଥିଲା। କୃଣାଲ ପାଣ୍ଡ୍ୟା(୭) ଓ କୈରନ ପୋଲାର୍ଡ୯୭)ଙ୍କୁ କ୍ରମାଗତ ଦୁଇଟି ବଲ୍‌ରେ ଆଉଟ୍ କରି ହର୍ଷଲ ପଟେଲ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ।

ଶେଷରେ ନିର୍ଦ୍ଧାରିତ ଓଭରରେ ମୁମ୍ବାଇ ୯ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ଏକଦା ୧୧ ଓଭରରେ ୨ ଓ୍ଵିକେଟ୍‌ରେ ୯୪ ରନ କରିଥିବା ମୁମ୍ବାଇ ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ଦ୍ଵାରା ଆଶାନରୂପ ପ୍ରଦର୍ଶନ ନହେବାରୁ ଦଳ ବଡ ସ୍କୋର କରିବାରେ ବିଫଳ ହୋଇଛି। ଶେଷ ୯ ଓଭରରେ ମୁମ୍ବାଇ ୭ ଓ୍ଵିକେଟ୍ ହରାଇ ମାତ୍ର ୬୫ ରନ ସଂଗ୍ରହ କରି ପାରିଥିଲା।

ବେଙ୍ଗାଲୁରୁ ପକ୍ଷରୁ ହର୍ଷଲ ପଟେଲ୍ ୨୭ ରନ ଦେଇ ୫ଟି ଓ୍ଵିକେଟ୍ ନେଇଥିବା ବେଳେ କାଇଲ ଜେମିସନ ଓ ଓ୍ଵାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.