ଓ୍ଵାର୍ଣ୍ଣରଙ୍କ ଅର୍ଦ୍ଧଶତକ ବେକାର, ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | October 04, 2020 IST

ସାରଜା ୦୪।୧୦।: କ୍ଵିଣ୍ଟନ ଡିକକ୍‌ଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଦମରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୧୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ମୁମ୍ବାଇ ପଞ୍ଚମ ମ୍ୟାଚ୍‌ରୁ ୩ଟି ବିଜୟ ସହିତ ଅଙ୍କ ତାଲିକାର ଶୀର୍ଷରେ ପହଞ୍ଚି ଯାଇଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଚମ ମ୍ୟାଚ୍‌ରୁ ତିନୋଟିରେ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ କ୍ଵିଣ୍ଟନ ଡିକକ୍‌ଙ୍କ ୬୭ ରନ ବଳରେ ୫ ଓ୍ଵିକେଟ୍ ବିନିମୟରେ ୨୦୮ ରନ କରିଥିଲା। ଜବାବରେ ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୬୦ ରନ ସତ୍ଵେ ୭ ଓ୍ଵିକେଟ୍ ବିନିମୟରେ ୧୭୪ ରନରେ ସୀମିତ ରହିଥିଲା।

୨୦୯ରନ ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି କରିଥିବା ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବ୍ୟାଟିଂ ଆରମ୍ଭ କରିଥିଲା। ହେଲେ ଦଳ ୩୪ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଜନି ବେୟାରଷ୍ଟୋ ୧୫ ବଲରୁ ୨ ଚୌକା ଓ ୨ ଛକା ଜରିଆରେ ୨୫ ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଓ ମନିଷ ପାଣ୍ଡେ ଇନିଂସ ଆଗକୁ ବଢାଇଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୧୦ ଓଭରରେ ୯୪ ରନରେ ପହଞ୍ଚାଇଥିଲେ। ମନିଷ ପାଣ୍ଡେଙ୍କକୁ ଆଉଟ୍ କରି ଜେମ୍ସ ପାଟିନସନ ବିପଦଜ୍ଜନକ ସାଜି ଆସୁଥିବା ଏହି ଯୋଡିକୁ ଭାଙ୍ଗିଥିଲେ। ଓ୍ଵାର୍ଣ୍ଣର ଓ ପାଣ୍ଡେ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡିଥିଲେ। ପାଣ୍ଡେ ୧୯ ବଲରୁ ୩୦ ରନ କରିଥିଲେ।

wp:html /wp:html

କେନ୍ ଓ୍ଵିଲିୟମସନ କିଛି ଖାସ୍ କରିପାରିନଥିଲେ। ସେ ୩ ରନ କରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ୍ ହୋଇଥିଲେ। ପ୍ରିୟମ ଗର୍ଗ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଆଇପିଏଲରେ ୪୫ ତମ ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ କରୁଥିବା ଅଧିନାୟକ ଓ୍ଵାର୍ଣ୍ଣର ଆଉଟ୍ ହେବା ପରେ ଦଳ ବିଜୟଠୁ ଦୂରେଇ ଯାଇଥିଲା। ଓ୍ଵାର୍ଣ୍ଣରଙ୍କୁ ଆଉଟ୍ କରି ଜେମ୍ସ ପାଟିନସନ ଦଳକୁ ବହୁତ ବଡ ସଫଳତା ଦେଇଥିଲେ। ସେ ୪୪ ବଲରୁ ୫ ଚୌକା ଓ ୨ ଛକା ବଳରେ ୬୦ ରନ କରି ପାଭିଲିୟନ ଫେରିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍  ହରାଇ ୧୭୪ ରନରେ ସୀମିତ ରହିଥିଲା।

ମୁମ୍ଵାଇ ତରଫରୁ ଟ୍ରେଣ୍ଟ ବୋଲ୍ଟ ,ଜେମ୍ସ ପାଟିନସନ ଓ ଯଶପ୍ରୀତ ବୁମରା ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। କୃଣାଲ ପାଣ୍ଡ୍ୟା ଗୋଟିଏ ଓ୍ଵକେଟ୍ ନେଇଥିଲେ।

ମୁମ୍ବାଇ ଇନିଂସ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମ ଓଭରରେ  ଜୋରଦାର  ଝଟକା ଲାଗିଥିଲା। ଅଧିନାୟକ ରୋହିତ ଶର୍ମା(୬) ସନ୍ଦୀପ ଶର୍ମାଙ୍କ ବଲରେ କ୍ୟାଚ୍‌ ଆଉଟ୍ ହୋଇଥିଲେ। ଏହା ପରେ ଓପନର ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୪୨ ରନ  ଯୋଡିଥିଲ। ହେଲେ ପାଓ୍ଵାରପ୍ଲେର ଶେଷ ଓଭରରେ ସୂର୍ଯ୍ୟକୁମାର ଯାଦବ ସିଦ୍ଧାର୍ଥ କୌଲଙ୍କ ଶିକାର ହୋଇଥିଲେ। ସେ ୧୮ ବଲରୁ ୬ ଚୌକା ଜରିଆରେ ଦ୍ରୁତ ୨୭ ରନ କରିଥିଲେ।

ଏହା ପରେ ଡିକକ୍‌ ଓ ଇଶାନ କିଶନ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ଡିକକ୍‌ ୩୨ ବଲରୁ ଆଇପିଏଲରେ ୧୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। ମୁମ୍ବାଇ ୧୧.୩ ଓଭରରେ ୧୦୦ ରନ ପୂରଣ କରିଥିଲା। ଡିକକ୍‌ ରସିଦ ଖାନଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସେ ୩୯ ବଲରୁ ୪ ଚୌକା ଓ ୪ ଛକା ଜରିଆରେ ୬୭ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲା। ସେ ଇଶାନ କିଶନଙ୍କ ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୭୮ ରନ ଯୋଡି ଦଳର ସ୍କୋରକୁ ୧୨୬ରେ ପହଞ୍ଚାଇଥିଲେ।

ଏହା ପରେ ଶେଷ ଆଡକୁ କିରଣ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋର ୨୦୦ରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରୁ (୨ ଚୌକା ଓ ୨ ଛକା) ୨୮ ରନ କରି ପାଭିଲିୟନ ଫେରିଥିଲେ। ପୋଲାର୍ଡ ୧୪ ବଲରୁ ୩ ଚୌକା ୩ ଛକା ସହାୟତାରେ ୩୦ ରନ ଏବଂ କୃଣାଲ ପାଣ୍ଡ୍ୟା ୪ ବଲରୁ ବିସ୍ଫୋରକ ୨୦ ରନ କରିବାରୁ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୮ ରନ କରିଛି। ଶେଷ ୬ ଓଭରରୁ ମୁମ୍ଵାଇ ୭୪ ରନ କରିଥିଲା।

ସନରାଇଜର୍ସ ତରଫରୁ ସଫଳ ବୋଲର ଭାବେ ସନ୍ଦୀପ ଶର୍ମା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ରସିଦ ଖାନ ୧ ଓ ସିଦ୍ଧାର୍ଥ କୌଲ ୨  ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.