କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ୨୦ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କୁ ବେଲ୍, ୬ ଜଣ ଏବେ ବି ବନ୍ଦୀ

Published By : Prameya-News7 Bureau | October 30, 2021 IST

ମୁମ୍ୱାଇ, ୩୦/୧୦: ବହୁ ଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ସ୍ୱତନ୍ତ୍ର କୋର୍ଟ ୯ ଜଣଙ୍କୁ ଆଜି ଜାମିନ୍‌ ପ୍ରଦାନ କରିଛନ୍ତି । ଏହି ମାମଲାରେ ଆଜିର ଜାମିନ୍‌କୁ ମିଶାଇ ମୋଟ ୧୪ ଜଣଙ୍କୁ କୋର୍ଟ ବେଲ୍‌ ଦେଇଛନ୍ତି । କ୍ରୁଜ୍‌ରେ ପାର୍ଟି ଚାଲିଥିବା ବେଳେ ଏନସିବି ଚଢ଼ାଉ କରି ୨୦ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ମଧ୍ୟ ରହିଥିଲେ । ୩ ସପ୍ତାହ ପରେ ଆଜି ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି ।

ବହୁ ଛକା ପଞ୍ଛା ପରେ କୋର୍ଟ ଆର୍ଯ୍ୟନ ଖାନ୍‌ଙ୍କ ବେଲ୍‌ ଆବେଦନକୁ ଗୁରୁବାର ମଞ୍ଜୁରୀ ଦେଇଥିଲେ । ଏଥି ସହିତ କୋର୍ଟ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ୍‌ ମର୍ଚ୍ଚଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କୁ ମଧ୍ୟ ଜାମିନ୍‌ ପ୍ରଦାନ କରିଥିଲେ । ସେହିପରି ଗୋମିତ୍‌ ଚୋପ୍ରା, ନୂପୁର ସାରିକା ଏବଂ ଇସ୍‌ମିତ୍‌ ସିଂହଙ୍କୁ ଏନ୍‌ସିବି ଏହି ମାମଲାରେ ଜଡ଼ିତ ଥିବାରୁ ଗିରଫ କରିଥିଲା । କୋର୍ଟ ସେମାନଙ୍କୁ ମଧ୍ୟ ଜାମିନ୍‌ ପ୍ରଦାନ କରିଛନ୍ତି ।

ମନୀଷ ରାଜଗାରିଆ ନାମକ ଜଣେ ଯାତ୍ରୀଙ୍କ ଠାରୁ ୨.୪ ଗ୍ରାମ୍‌ର ଗଞ୍ଜେଇ ପାଇଥିଲା ଏନ୍‌ସିବି । ସେସନ୍‌ କୋର୍ଟଙ୍କ ଦ୍ୱାରା ସେ ଜାମିନ୍‌ ପାଇ ଏବେ ଜେଲ୍‌ରୁ ବାହାରକୁ ବାହିରିଛନ୍ତି । ଓଡ଼ିଶାର ଅଭିନ୍‌ ସାହୁଙ୍କ ଠାରୁ କୌଣସି ନିଶା ଦ୍ରବ୍ୟ ପାଇନଥିଲା ଏନ୍‌ସିବି । ତେଣୁ ସେସନ୍‌ କୋର୍ଟ ପୂର୍ବରୁ ତାଙ୍କୁ ମଧ୍ୟ ବେଲ୍‌ ପ୍ରଦାନ କରିଥିଲେ ।

ସେହିପରି ବେଆଇନ୍‌ ଭାବେ କ୍ରୁଜ୍‌ ଟ୍ରିପ୍‌ର ଆୟୋଜନ କରିଥିବା ଗୋପାଲ୍‌ ଆନନ୍ଦ, ସମୀର ସାଇଗଲ୍‌, ମାନବ ସିଙ୍ଘଲ ଏବଂ ଭାସ୍କର ଆରୋରାଙ୍କୁ ଏନ୍‌ସିବି ଗିରଫ କରିଥିବା ବେଳେ ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ସେମାନଙ୍କୁ ବେଲ୍‌ ଦେଇଥିଲେ । ଅନ୍ୟ ଅଭିଯୁକ୍ତ ଅର୍ଚିତ କୁମାର, ଶ୍ରେୟସ୍‌ ନାୟାରଙ୍କ ଜାମିନ୍‌ ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଥିଲେ । ମୋହକ୍‌ ଜସୱାଲ୍‌ ଏବଂ ଭିକ୍ରାନ୍ତ ଛୋକର କୋର୍ଟରେ ବେଲ୍‌ ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ଜାମିନ୍‌ ଏ ପର୍ଯ୍ୟନ୍ତ ବିଚାରାଧୀନ ରହିଛି । ଅନ୍ୟ ଅଭିଯୁକ୍ତ ଡ୍ରଗ୍ସ ପେଡ୍‌ଲର୍‌ ଅବ୍‌ଦୁଲ୍‌ କ୍ୱାଦିର, ଚିନେଦୁ ଇଗ୍ୱେ, ଶିବରାଜ ରାମଦାସ ହରିଜନ, ଓକାରୋ ଉଜିଓମା ଏ ପର୍ଯ୍ୟନ୍ତ ବେଲ୍‌ ପାଇଁ ଆବେଦନ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.