ପୁଣି NIAହାଜତକୁ ଗଲେ ସଚ୍ଚିନ ବାଜେ, ୭ ଏପ୍ରିଲ ପର୍ଯ୍ୟନ୍ତ ବଢିଲା ରିମାଣ୍ଡ
3/04/2021 at 5:48 PM

ମୁମ୍ବାଇ ୩।୪: ମୁମ୍ବାଇ କ୍ରାଇମବ୍ରାଞ୍ଚ ଏପିଆଇ ସଚ୍ଚିନ ବାଜେଙ୍କୁ ଶନିବାର ଏନଆଇଏ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଥିଲା। କୋର୍ଟ ତାଙ୍କୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି। ଶନିବାର କୋର୍ଟରେ ହାଜର ବେଳେ ବାଜେଙ୍କ ଭାଇ ସୁଧରାମ ତାଙ୍କୁ ଭେଟିବାକୁ ଚାହିଁଥିଲେ। କୋର୍ଟ ତାଙ୍କୁ ୫ ମିନିଟ୍ ସମୟ ଦେଇଥିଲେ। ଏହି ସମୟରେ ସେ ଆଣିଥିବା କିଛି ପୋଷାକ ବାଜେଙ୍କୁ ଦେଇଥିବା ଜଣାପଡିଛି।
ଏହ ପୂର୍ବରୁ କୋର୍ଟ ବାଜେଙ୍କୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ଛାଡିଥିଲେ। ଶନିବାର ଅବଧି ପୂରଣ ହେବା ପରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିବା ବେଳେ ସେ ୭ ଏପ୍ରିଲ ପର୍ଯ୍ୟନ୍ତ ଏନଆଇଏ ହାଜତରେ ରହିବେ ବୋଲି ସ୍ପଷ୍ଟ ହୋଇଯାଇଛି। ଅମ୍ବାନୀ ସୁରକ୍ଷା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏହି ଅଧିକାରୀ ଚାକିରୀରୁ ନିଲମ୍ବିତ ହୋଇଥିବା ବେଳେ ତାଙ୍କୁ ଏନଆଇଏ ଗିରଫ କରିଛି

ପୂର୍ବଥର କୋର୍ଟରେ ହାଜର ବେଳେ ତାଙ୍କୁ ବଳିର ପଶୁ କରାଯାଇଥିବା ସେ ଏନଆଇଏ କୋର୍ଟଙ୍କୁ କହିଥିଲେ। ଏହି ମାମଲା ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କୋର୍ଟଙ୍କୁ କହିଥିଲେ। ସେ ମାତ୍ର ଦେଢ ଦିନ ମାମଲାର ଯାଞ୍ଚ କରିଥିବାର କହିଥିଲେ। ଯାଞ୍ଚ ଯେପରି କରାଯାଏ ସେ ସେହିପରି କରିଥିଲେ। ତେବେ ମାମଲାରସେ କେବଳ ଏକାକୀ ଯାଞ୍ଚ କରୁନଥିଲେ, ତାଙ୍କ ସହ ମୁମ୍ବାଇ ପୋଲିସ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ ଥିଲେ ବୋଲି ସେ କୋର୍ଟଙ୍କୁ କହିଥିଲେ।