Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ହଟସ୍ପଟ୍ ହେବାରେ ଲାଗିଛି ଏହି ଜେଲ, ଆହୁରି ୮୧ କଏଦୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ

10/05/2020 at 9:51 PM

ମୁମ୍ବାଇ, ୧୦|୦୫:   ମୁମ୍ବାଇରେ କରୋନା ଭାଇରସର ସଂକ୍ରମଣ ଥମିବାର ନା ନେଉନାହିଁ । ମୁମ୍ବାଇର ଆର୍ଥର ରୋଡ୍ ଜେଲର ଆହୁରି ୮୧ଜଣ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ମାମଲା ପରେ ଆର୍ଥର ଜେଲରେ ମୋଟ କୋଭିଡ୍-୧୯ ପଜିଟିଭଙ୍କ ସଂଖ୍ୟା ୧୮୪ ହୋଇଯାଇଛି । ଏଥିରେ ୨୬ଜଣ ଜେଲ୍ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।ପ୍ରଥମେ ଜେଲରେ ଥିବା ଜଣେ ୫୦ ବର୍ଷୀୟ ବିଚାରାଧିନ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ କେସ୍ ବଢିଚାଲିଛି । ଏହି କଏଦୀ କିପରି ସଂକ୍ରମିତ ହେଲେ ସେନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।ଏବେ ସୁଦ୍ଧା ଜେଲର ପ୍ରାୟ ୨୦୦ରୁ ଅଧିକ କଏଦୀଙ୍କ କରୋନା ଟେଷ୍ଟ କରାଯାଇଛି ।

ଆର୍ଥର ରୋଡ୍ ଜେଲ ମୁମ୍ବାଇର ସବୁଠାରୁ ପୁରୁଣା ଜେଲ୍ ଅଟେ । ଏହାର କ୍ଷମତା ହେଉଛି ୮୦୦ । ବର୍ତ୍ତମାନ କିନ୍ତୁ ଏଠାରେ ୨୮୦୦ ବିଚାରାଧିନ କଏଦୀ ରହିଛନ୍ତି । ସୂତ୍ରାନୁସାରେ, ଆର୍ଥର ରୋଡ ଜେଲରେ ସାଧାରଣ କଏଦୀଙ୍କ ସହ ଅଣ୍ଡରଓ୍ୱାର୍ଲଡ୍ ସହ ଜଡିତ ଅପରାଧୀ ମଧ୍ୟ ରହିଥାନ୍ତି । କ୍ଷମତାଠୁ ଅଧିକ କଏଦୀ ରହୁଥିବାରୁ ୨ଜଣଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ଏକ ପ୍ରକାର ଅସମ୍ଭବ ।

ସାରା ଭାରତରେ ମହାରାଷ୍ଟ୍ର କରୋନା ଭାଇରସର ହଟସ୍ପଟ୍ ହୋଇଛି । ରିପୋର୍ଟ ଅନୁସାରେ, କେବଳ ଏହି ରାଜ୍ୟରେ ୨୦,୨୨୮ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୭୭୯ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭାଇରସ ଦ୍ୱାରା ଅନେକ ପୋଲିସ କର୍ମୀ, ସାମ୍ବାଦିକ ମଧ୍ୟ ସଂକ୍ରମିତ ହୋଇସାରିଛନ୍ତି । ମହାରାଷ୍ଟ୍ର ପୋଲିସର କହିବାନୁସାରେ ମୋଟ ୭୮୬ ପୋଲିସ କର୍ମୀ ସଂକ୍ରମିତ ହୋଇଥିବା ବେଳେ ୭୦୩ଜଣଙ୍କର ଚିକିତ୍ସା ଜାରି ରହିଛି । ୭୬ଜଣ ସୁସ୍ଥ ହୋଇଥିବା ବେଳେ ୭ଜଣ ଜୀବନ ହାରିଛନ୍ତି ।  

   Related Posts