ବିସ୍ଫୋରଣରେ ଥରିଲା କାବୁଲ, ଅନେକ ଲୋକ ଆହତ ହୋଇଥିବା ଆଶଙ୍କା

Published By : Prameya-News7 Bureau | November 21, 2020 IST

କାବୁଲ ୨୧/୧୧ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଶନିବାର ଦିନ ସିରିଏଲ ବୋମା ବିସ୍ଫୋରଣ ହୋଇଛି। ଏଏଫପି ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସହରର ମଝିରେ ସ୍ଥିତ ଜନବହୁଳ ଗ୍ରୀନ ଜୋନ ଏବଂ ଉତ୍ତର ଅଞ୍ଚଳରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଅନେକ ଲୋକ ହତାହତ ହୋଇଥିବା ଆଶଙ୍କା କରାଯାଉଛି। ତେବେ କେତେ ସଂଖ୍ୟାରେ ଲୋକେ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ବିସ୍ଫୋରଣର ଶବ୍ଦ ଏତେ ଜୋର ଥିଲା ଯେ ଗୋଟିଏ ପରେ ଗୋଟିଏ ରକେଟ ଚାଲିଲା ଭଳି ଜଣାପଡିଥିଲା।

ତେବେ ବିସ୍ଫୋରଣ ମାମଲା ସମ୍ପର୍କରେ ଅଧିକାରୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଆନ୍ତରିକ ମନ୍ତ୍ରାଳୟ କହିଛି ଯେ, ଶନିବାର ଦିନ ସକାଳୁ ଦୁଇଟି ଷ୍ଟିକୀ ବୋମା ବିସ୍ଫୋରଣ ହୋଇଛି। ପୋଲିସ କାରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ କର୍ମଚାରୀ ଆହତ ହୋଇଥିଲେ। ଏହି ବିସ୍ଫୋରଣର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ତେବେ ଭାଇରାଲ ଫଟୋର ସତ୍ୟତା ଯାଞ୍ଚ ହୋଇନାହିଁ। ସୂଚନାଯୋଗ୍ୟ ଯେ, ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିୟୋ ଓ ତାଲିବାନ ଏବଂ କତର ରାଜ୍ୟର ଆଫ୍ଗାନ ସରକାରଙ୍କ ବୈଠକ ପୂର୍ବରୁ ବିସ୍ଫୋରଣ ହୋଇଛି। ଶନିବାର ଦିନ ହୋଇଥିବା ଏହି ବିସ୍ଫୋରଣ ପାଇଁ ଏବେ ଯାଏଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।  

ତାଲିବାନ ଶପଥ ନେଇଛି ଯେ ସେମାନେ ୟୁଏସ ୱିଥଡ୍ରୟାଲ ଡିଲ୍ ପୂର୍ବରୁ କୌଣସି ସହରୀ ଅଞ୍ଚଳରେ ହମଲା କରିବେନାହିଁ। କିନ୍ତୁ ନିକଟରେ କାବୁଲରେ ହୋଇଥିବା ହମଲା ପାଇଁ କାବୁଲ ପ୍ରଶାସନ ସେମାନଙ୍କ ସମର୍ଥକଙ୍କ ଉପରେ ଆରୋପ ଲଗାଇଥିଲେ। ତାଲିବାନ୍ ଓ ଆଫଗାନ୍ ସରକାର ତରଫରୁ କଥାବାର୍ତ୍ତା ପ୍ରକ୍ରିୟା ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଛି। କିନ୍ତୁ କଥାବାର୍ତ୍ତା ବହୁତ ମନ୍ଥର ଗତିରେ ଚାଲିଛି।

ଆନ୍ତରିକ ମନ୍ତ୍ରାଳୟ ପ୍ରବକ୍ତା ତାରିକ ଆରିୟାନ କହିଛନ୍ତି ଯେ ଗତ ୬ମାସ ମଧ୍ୟରେ ତାଲିବାନରେ ୫୩ଥର ହମଲା ହୋଇଛି ଏବଂ ୧୨୫୦ ବିସ୍ଫୋରଣ ହୋଇଛି। ଏହି ହମଲାରେ ମୋଟ ୧୨୧୦ ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ ୨୫୦୦ ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.