ଟିଏମସିକୁ ଫେରିବା ପରେ ଦୂର ହେଲା ମୁକୁଲ ରୟଙ୍କ ଭୟ, ଜେଡ୍ ସୁରକ୍ଷା ହଟାଇବାକୁ ଗୃହ ମନ୍ତ୍ରଣାଳୟକୁ ଲେଖିଲେ ଚିଠି

Published By : Prameya-News7 Bureau | June 12, 2021 IST

କୋଲକାତା ୧୨।୦୬: ଭାରତୀୟ ଜନତା ପାର୍ଟି(ବିଜେପି)କୁ ଛାଡି ତୃଣମୂଳ କଂଗ୍ରେସକୁ ଫେରିଥିବା ମୁକୁଲ ରୟଙ୍କ ଉପରେ ବର୍ତ୍ତମାନ କୌଣସି ବିପଦ ନାହିଁ। ଏହା ଖୋଦ୍ କହିଛନ୍ତି ମୁକୁଲ ରୟ। ବିଜେପିରେ ଥିବା ବେଳେ ତାଙ୍କୁ ଜେଡ୍ କାଟାଗୋରୀର ସୁରକ୍ଷା ମିଳିଥିଲା। ତେବେ ଗତକାଲି ବିଜେପି ଛାଡିବା ପରେ ଏବେ ସେ କେନ୍ଦ୍ରୀୟ ସୁରକ୍ଷା ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶନିବାର କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ସେ ଚିଠି ଲେଖିଛନ୍ତି। ହେଲେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଦ୍ୟାବଧି କୌଣସି ସୂଚନା ଆସିନାହିଁ।

ତୃଣମୂଳ କଂଗ୍ରେସକୁ ଫେରିବାର ୨୪ ଘଣ୍ଟା ଭିତରେ ମୁକୁଲ ରୟ ଏହି ନିଷ୍ପତ୍ତି ନେଇଛନ୍ତି।  ବିଜେପିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବେଳେ ମୁକୁଲ ରୟଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ର ଓ୍ଵାଇ ପ୍ଲସ୍ କାଟାଗୋରୀର ସୁରକ୍ଷା ଦିଆଯାଇଥିଲା। ହେଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହିଂସାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କୁ ଜେଡ୍  କାଟାଗୋରୀର ସୁରକ୍ଷା ଦିଆଯାଇଥିଲା।

ଜେଡ୍ କାଟାଗୋରୀର ସୁରକ୍ଷାରେ ୨୪ ରୁ ୩୦ ଅତ୍ୟାଧୁନିକ ଅସ୍ତ୍ରରେ ସଜ୍ଜିତ ଯବାନଙ୍କୁ ମୁତୟନ କରାଯାଏ। ରୟ ୨୦୧୭ ନଭେମ୍ଵରରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। କୁହାଯାଉଛି ଯେ, ଶୁଭେନ୍ଦୁ ଅଧିକାରୀଙ୍କ ବିଜେପିରେ ପତିଆରା ବଢିବାରୁ ରୟ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ସେ ଟିଏମସିକୁ ଫେରିବାକୁ ନିଷ୍ପତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.