ବେଙ୍ଗଲ ବିଧାନସଭାରେ ମୁକୁଲ ରାୟଙ୍କୁ ମିଳିବ ସମ୍ମାନଜନକ ୬୫ ନମ୍ବର ଆସନ! ଆପତ୍ତି ଉଠାଇଲେ ପୂର୍ବତନ ସିପିଏମ ନେତା

Published By : Prameya-News7 Bureau | July 01, 2021 IST

କୋଲକାତା ୧।୭ : ନିକଟରେ ବିଜେପି ଛାଡି ତୃଣମୂଳ କଂଗ୍ରେସ (ଟିଏମସି)କୁ ଫେରି ଆସିଥିବା ମୁକୁଲ ରାୟ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଯଦିଓ ସେ ନିଜର ହାତଗଢା ପାର୍ଟିକୁ ଫେରିସାରିଛନ୍ତି ତେବେ କାଗଜପତ୍ରରେ ଏବେବି ସେ ବିଜେପି ବିଧାୟକ ଅଛନ୍ତି। ଏଣୁ ତାଙ୍କୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ଆସନରେ ବସିବାକୁ ପଡିବ। ବେଙ୍ଗଲ ବିଧାନସଭା ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ତାଙ୍କୁ  ଗୃହର ୬୫ ନମ୍ବର ଆସନଟି ଆବଣ୍ଟିତ ହେବ। ତେବେ ଏହି ଆସନ ଆବଣ୍ଟନକୁ ନେଇ ଗତ ବିଧାନସଭାରେ ସିପିଏମ ବିଧାୟକ ଦଳ ନେତା ଏବେ ଆପତ୍ତି କରୁଥିବା  ଜଣାପଡିଛି।  

ବେଙ୍ଗଲ ବିଧାନସଭାରେ ଏହି ଆସନର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଗତ ବିଧାନସଭାରେ ବରିଷ୍ଠ ସିପିଏମ ନେତା ସୁଜନ ଚକ୍ରବର୍ତ୍ତୀଙ୍କୁ ଏହି ଆସନଟି ଆବଣ୍ଟିତ ଥିଲା। କେବଳ ବରିଷ୍ଠ ବିରୋଧୀ ଦଳ ନେତାଙ୍କୁ ଗୃହରେ ଏହି ଆସନଟି ମିଳିଥାଏ। ଏଥିରେ ସୁଜନ ଗତଥର ସିପିଏମ ବିଧାୟକ ଦଳ ନେତା ମଧ୍ୟ ଥିଲେ। ଏଥର ନିର୍ବାଚନରେ ଦଳର ଜଣେ ହେଲେ ବିଧାୟକ ନିର୍ବାଚିତ ହୋଇ ନାହାନ୍ତି। ସେହିପରି କଂଗ୍ରେସ ମଧ୍ୟ ନିର୍ବାଚନରେ ପୋଛି ହୋଇଯାଇଛି।  ଏଣୁ ଗୃହରେ ବିଜେପି ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବାରୁ ଆସନଟି ମୁକୁଲ ରାୟଙ୍କୁ ଯିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଛି। 

{"id":474072,"sizeSlug":"large","linkDestination":"none"}

ସେପଟେ ରାୟଙ୍କୁ ବିଧାନସଭାରେ ଏହି ଆସନଟି ମିଳୁ ବୋଲି ତୃଣମୂଳ କଂଗ୍ରେସ ମଧ୍ୟ ଚାହୁଁଛି। ଏଣୁ ବିଧାନସଭା  ଅଧିବେଶନ ପୂର୍ବରୁ ରାୟଙ୍କୁ ପବ୍ଲିକ ଆକାଉଣ୍ଟ କମିଟି ସଦସ୍ୟ ମନୋନୀତ କରିଛି ଟିଏମସି । ହୁଏତ ଆଗକୁ ରାୟ କମିଟିର ଅଧ୍ୟକ୍ଷ ମଧ୍ୟ ହୋଇପାରନ୍ତି।  ଏଣୁ ବିଧାନସଭାରେ ୬୫ ନମ୍ବର ଆସନ ତାଙ୍କୁ ମିଳିବାରେ କୌଣସି ଅସୁବିଧା ହେବନି।  ତେବେ ବିଧାସନଭା ସୂତ୍ର ଅନୁସାରେ କରୋନା ଭାଇରସ ମହାମାରୀକୁ ନଜରରେ ରଖି ଏଥର ଗୃହରେ ଆସନ ଆବଣ୍ଟନ କରାଯିବ।  

ମୁକୁଲ ରାୟଙ୍କୁ ବିଧାନସଭାର ଏହି ଆସନରେ ସୁଜନ ଚକ୍ରବର୍ତ୍ତୀ କିନ୍ତୁ ଦେଖିବାକୁ ଚାହୁଁ ନଥିବା ଜଣାପଡିଛି। ସେ କହିଛନ୍ତି ଯେ କାହାଲାଗି ପୂର୍ବରୁ କେଉଁ ଆସନ ନିର୍ଦ୍ଧାରିତ ନଥାଏ। ସେହିପରି ଆସନ ମଧ୍ୟ କାହାର ଜାଗିର ନୁହେଁ ଯାହା ସବୁଦିନ ତାଙ୍କର ହୋଇ ରହିବ। ସେ କହିଛନ୍ତି ଯେ ପ୍ରଥମ ଥର ବିଧାୟକ ନିର୍ବାଚିତ ହେବା ବେଳେ ବିଧାନସଭାରେ ଅନ୍ୟ ଆସନରେ ସେ ବସୁଥିଲେ। ହେଲେ ୨୦୧୬ ବିଧାନସଭା ନିର୍ବାଚନରେ ବିଧାୟକ ଦଳ ନେତା ନିର୍ବାଚିତ ହେବାରୁ ତାଙ୍କୁ ଗୃହରେ ୬୫ ନମ୍ବର ଆସନ ଦିଆଯାଇଥିଲା।

{"id":474076,"width":837,"height":595,"sizeSlug":"large","linkDestination":"none"}

ତେବେ ବିଧାନସଭାରେ ଏହି ଆସନକୁ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଦିଆଯାଇଥାଏ ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ବିଧାନସଭାର ଏହା ପରମ୍ପରା, ଏଣୁ ଏହାକୁ ଜଣେ ଦୁଇପ୍ରକାର ମାନସିକତା ରଖୁଥିବା ବ୍ୟକ୍ତିଙ୍କୁ ଆବଣ୍ଟିତ କରିବା ଲାଗି ବିଧାନସଭାର ବିଚାର ମୋତେ ଅଜବ ଲାଗୁଥିବା ସେ  କହିଛନ୍ତି। ସେପଟେ ବିଜେପି ମୁକୁଲ ରାୟଙ୍କ ବିଧାୟକ ସଦସ୍ୟତା ଖାରଜ କରିବା ଲାଗି ବିଧାନସଭା ବାଚସ୍ପଚିଙ୍କୁ ବିଧିବଦ୍ଧ ଆବେଦନ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.