ଏହି ସ୍ଥାନକୁ ମୃତ୍ୟୁ ବରଣ କରିବାକୁ ଆସିଥାଆନ୍ତି ଲୋକେ : ମାତ୍ର ଦୁଇ ସପ୍ତାହରେ ହୋଇଥାଏ ମୃତ୍ୟୁ
21/10/2019 at 11:42 AM

‘ମୃତ୍ୟୁ ସତ୍ୟ’ କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଲୋକେ ଶୀଘ୍ର ମରିବାକୁ ଚାହିଁନଥାଆନ୍ତି। କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏପରି ଏକ ଭବନ ରହିଛି ଯେଉଁଠି ଲୋକେ ମୃତ୍ୟୁର ଅପେକ୍ଷା କରିବାକୁ ଯାଇଥାଆନ୍ତି।

୧୯୦୮ମସିହାରେ ନିର୍ମାଣ କରାଯାଇଥିବା ଏହି ଭବନକୁ ମୁକ୍ତ ଭବନ କୁହାଯାଇଥାଏ। ଏଠାରେ ଏକ ପୁସ୍ତକ ରହିଛି ଯାହା ଏଠାକୁ ଆସୁଥିବା ଲୋକଙ୍କର ବହିଖାତା ରଖିଥାଏ। ଏହି ପୁସ୍ତକରେ ଅଧିକାଂଶ ଏପରି ଲୋକଙ୍କର ନାଁ ରହିଛି,ଯେଉଁମାନେ ମୁକ୍ତି ଭବନରେ ଆସିବାର କିଛି ଦିନ ଭିତରେ ଚାଲି ଯାଇଥାଆନ୍ତି।

ପ୍ରତି ବର୍ଷ ଦେଶର କୋଣ ଅନୁକୋଣରୁ ହିନ୍ଦୁ ଧର୍ମକୁ ବିଶ୍ବାସ କରୁଥିବା ହଜାର ହଜାର ଲୋକ ଏଠାକୁ ଆସିଥାଆନ୍ତି ଏବଂ ନିଜ ଶେଷ ସମୟ ଏଠାରେ ବିତାଇଥାଆନ୍ତି। ଇଂରେଜ କାଳରେ ନିର୍ମାଣ ହୋଇଥିବା ଏହି ଧର୍ମଶାଳାରେ ୧୨ଟି ରୁମ୍ ରହିଛି। ଏହା ସହିତ ଏକ ଛୋଟ ମନ୍ଦିର ଏବଂ ପୂଜାରୀ ମଧ୍ୟ ଅଛନ୍ତି। ଏହି ରୁମରେ କେବଳ ସେମାନଙ୍କୁ ସ୍ଥାନ ମିଳିଥାଏ ଯେଉଁମାନେ ମୃତ୍ୟୁର ଅତ୍ୟନ୍ତ ନିକଟତର ଥାଆନ୍ତି। ମୃତ୍ୟୁକୁ ଅପେକ୍ଷା କରୁଥିବା ବ୍ୟକ୍ତି ୨ସପ୍ତାହ ଯାଏଁ ଏଠାରେ ରହିପାରିଥାଆନ୍ତି।

ଏହି ରୁମର ପ୍ରତିଦିନର ଶୁଳ୍କ ୭୫ ଟଙ୍କା। ଏହି ରୁମରେ ଶୋଇବା ପାଇଁ ଗୋଟିଏ କାଠପଟା,ଗୋଟିଏ ଚାଦର ଏବଂ ତକିଆ ରହିଥାଏ। ଏହା ସହିତ ପିଇବା ପାଇଁ କଳସର କିମ୍ବା ମାଠିଆରେ ପାଣି ରହିଥାଏ। ଗେଷ୍ଟ ହାଉସକୁ ଆସୁଥିବା ଲୋକଙ୍କୁ କମ୍ ଜିନିଷ ସହ ଭିତରକୁ ଆସିବାକୁ ଅନୁମତି ମିଳିଥାଏ।

ପୂଜାରୀ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଆଳତୀ ପରେ ଏଠାରେ ରହୁଥିବା ଲୋକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଥାଆନ୍ତି ଯାହା ଦ୍ବାରା ତାଙ୍କୁ ଶାନ୍ତିରେ ମୁକ୍ତି ମିଳିପାରିବ।

୨ସପ୍ତାହ ମଧ୍ୟରେ ଯଦି ରୋଗୀଙ୍କର ମୃତ୍ୟୁ ହୋଇନଥାଏ ତେବେ ତାଙ୍କୁ ମୁକ୍ତି ଭବନ ଛାଡ଼ିବାକୁ କୁହାଯାଇଥାଏ। ଏହା ପରେ ସାଧାରଣତଃ ଲୋକେ ହୋଟେଲ୍ କିମ୍ବା ବାହାରର ଧର୍ମଶାଳାରେ ରହିଯାଇଥାଆନ୍ତି। କିଛି ଦିନ ପରେ ପୁଣି ମୁକ୍ତି ଭବନରେ ସ୍ଥାନ ଖୋଜିଥାଆନ୍ତି।

କୁହାଯାଏ ଯେ କାଶୀରେ ମୃତ୍ୟୁବରଣ କଲେ ସିଧାସଳଖ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାର ମହତ୍ତ୍ବ ଏକ ପ୍ରକାରର ମୁସଲିମଙ୍କ ହଜ ଭଳି।
