କରୋନା ରୋଗୀଙ୍କୁ ମ୍ୟୁକୋରମାଇକୋସିସ୍ ବିପଦ : ଚାଲିଯାଉଛି ଦୃଷ୍ଟିଶକ୍ତି, କାନ ଓ ଗଳାରେ ବି ହେଉଛି ଭୟଙ୍କର ସଂକ୍ରମଣ

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୦୬/୦୪: ନୂଆବିପଦ । କରୋନା ମହାମାରୀ ମଧ୍ୟରେ ମଧୁମେହ, କିଡ୍‌ନି, ହାଇପରଟେନ୍‌ସନ ଓ ମୋଟାପଣଜନିତ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କୁ ବିଶେଷ ଭାବେ ସତର୍କ ରହିବା ଆବଶ୍ୟକ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି । ଏଭଳି ରୋଗରେ ପୀଡ଼ିତ ଲୋକେ ଏବେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ମ୍ୟୁକୋରମାଇକୋସିସ୍‌(ଫଙ୍ଗଲ ଇନ୍‌ଫେକ୍‌ସନ୍‌) ନାମକ ଏକ ଘାତକ ରୋଗ ହେଉଛି । ଅହମ୍ମଦାବାଦରେ ଏପର୍ଯ୍ୟନ୍ତ ଏପରି ୬୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ପ୍ରାଣହାନି ଘଟିଛି । ୩ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି । ୩୦ରୁ ଅଧିକ ରୋଗୀ ସିଭିଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅହମ୍ମଦାବାଦ ସିଭିଲ୍‌ ହସ୍ପିଟାଲର ଡାକ୍ତର ବେଲାବେନ୍‌ ପ୍ରଜାପତିଙ୍କ ଅନୁସାରେ ପୂର୍ବରୁ ଅନ୍ୟ ରୋଗ ଥିବା ଲୋକଙ୍କ ପାଇଁ କରୋନା ଏକ ବଡ଼ ବିପଦ ହୋଇ ଉଭା ହେଉଛି । ଏଭଳି ରୋଗୀଙ୍କୁ କରୋନା ହେଲେ ଶରୀରରେ ରକ୍ତଶର୍କରାର ପରିମାଣ ବଢ଼ିଯାଉଛି । ଏହାଛଡ଼ା ନାକ-କାନ-ଗଳାରେ ସଂକ୍ରମଣ ହୋଇ ମୁହଁ ଫୁଲି ଯାଉଛି । ଏହାର ସବୁଠୁ ଅଧିକ ପ୍ରଭାବ ଆଖି ଉପରେ ପଡ଼ୁଛି । ଠିକ୍‌ ସମୟରେ ଚିକିତ୍ସା କରାନଗଲେ ଦୃଷ୍ଟିଶକ୍ତି ନଷ୍ଟ ହେବାର ଆଶଙ୍କା ରହୁଛି ।

ପ୍ରତିଦିନ ଏହିପରି ୩-୪ ଜଣ ରୋଗୀ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏମତି ରୋଗୀଙ୍କୁ ପ୍ରଥମେ ଥଣ୍ଡା ହୋଇଥାଏ । ସେମାନେ ଡାକ୍ତରଙ୍କ ପାଖକୁ ନଯାଇ ଘରୋଇ ଚିକିତ୍ସା କଲେ ସଂକ୍ରମଣ ବଢ଼ିଥାଏ । କିଛି ଦିନ ପରେ କଫ ଜମା ହୋଇ ନାକ ପାଖରେ ଆବୁ ଭଳି ଫୁଲିଯାଏ । ସେହି ଆବୁର ସିଧା ପ୍ରଭାବ ଆଖି ଉପରେ ପଡ଼ିଥାଏ । ଏହାପରେ ଆଖି ସଂକ୍ରମିତ ହୁଏ ଓ ମୁଣ୍ଡ ବିନେ୍ଧ । ତେଣୁ ପ୍ରଥମରୁ ହିଁ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସିତ ହେବା ଦରକାର । ମଧୁମେହ ରୋଗୀଙ୍କ ପାଇଁ ଏହା ସବୁଠୁ ଖୁବ୍‌ ବିପଜ୍ଜନକ । ଏହାଯୋଗୁ ରୋଗୀଙ୍କ ନାକ ଫୁଲିବା ବା ଯନ୍ତ୍ରଣା ହେବା, ଆଖିକୁ ଝାପ୍‌ସା ଦିଶିବା ଭଳି ସମସ୍ୟା ହୋଇପାରେ । ଏହା ପ୍ରତି ଧ୍ୟାନ ଦିଆନଗଲେ ସଂକ୍ରମଣ କାରଣରୁ ଆଖିର ପିତୁଳା କିମ୍ବା ଆଖପାଖ ସ୍ଥାନ ପକ୍ଷାଘାତ ଆକ୍ରାନ୍ତ ହୋଇପାରେ । ସଂକ୍ରମଣ ଅଧିକ ବଢ଼ିଗଲେ ମସ୍ତିିଷ୍କ ସଂକ୍ରମିତ ହେବାର ଆଶଙ୍କା ରହେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବଲ୍ୟୁଏଚଓ) ନିଜର ଏକ ରିପୋର୍ଟରେ କହିଛି ଗତ ସପ୍ତାହକ ଭିତରେ ସମଗ୍ର ବିଶ୍ୱରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ଅଧା କେବଳ ଭାରତରେ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୨୭ରୁ ମେ’ ୪ ଭିତରେ ସମଗ୍ର ବିଶ୍ୱରେ ୫.୭ ନିୟୁତ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ଭିତରୁ ୨.୬ ନିୟୁତ କେବଳ ଭାରତରେ । ସେହିପରି ସପ୍ତାହକ ଭିତରେ ପୂରା ଦୁନିଆରେ ୯୩,୦୦୦ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିଲାବେଳେ ସେମାନଙ୍କ ଭିତରୁ ପ୍ରାୟ ୨୩,୦୦୦ ଭାରତର ନାଗରିକ । ଗତ ଦୁଇ ସପ୍ତାହ ହେଲାଣି ଭାରତରେ ପ୍ରତି ଘଣ୍ଟାରେ କରୋନା ଯୋଗୁ ୧୨୦ ଜଣଙ୍କର ମୃତ୍ୟୁ ହେଉଛି । ଏଥିରୁ କରୋନା ଯୋଗୁ ଭାରତରେ କିପରି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହେଉଥିବାର ସଂଗଠନ କହିଛି ।

ଭାରତରେ ଗତ ୨୪ ଘଣ୍ଟା ଭିତରେ ୪୧୨, ୨୬୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୩,୯୮୦ ଜଣ ପ୍ରାଣ ହରାଇଛନ୍ତି । ଗତ ୧୪ ଦିନ ହେଲାଣି, ଭାରତରେ ଦୈନିକ ଚିହ୍ନଟ କରାଯାଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଉପରେ ରହିଆସୁଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ବୁଧବାର ଦିଆଯାଇଥିବା ସୂଚନା ଅନୁସାରେ, ୧୨ଟି ରାଜ୍ୟରେ ପ୍ରାୟ ୧ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ଏହି ରାଜ୍ୟଗୁଡ଼ିକ ଭିତରେ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ରାଜସ୍ଥାନ ଏବଂ ବିହାର ଅନ୍ତର୍ଭୁକ୍ତ । ଗତ ୨୪ ଘଣ୍ଟା ଭିତରେ ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୭୧% କେବଳ ୧୦ଟି ରାଜ୍ୟରେ ରହିଛନ୍ତି । ସେହିପରି ଦିନକ ଭିତରେ କରୋନା ଯୋଗୁ ଯେତିକି ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ଭିତରୁ ୭୫% ୧୦ଟି ରାଜ୍ୟର ବାସିନ୍ଦା ଅଟନ୍ତି । ଭାରତରେ ଏବେ ସୁଦ୍ଧା ୨,୦୬,୬୫,୧୪୮ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଲେଣି ।

ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ ଆଜି କହିଛନ୍ତି ଯେ କରୋନା ଦ୍ୱିତୀୟ ଲହରୀ ଏମିତି ଭୟଙ୍କର ହେବ ବୋଲି କେହି ବି ଆକଳନ କରିନଥିଲେ । ସେ ଚେତାଇ ଦେଇଛନ୍ତି କି ଦେଶରେ କରୋନାର ତୃତୀୟ ଲହରୀ ଆସିବା ନିଶ୍ଚିତ । କିନ୍ତୁ ଏହା କେବେ ଆସିବ ଓ କେତେ ଭୟଙ୍କର ହେବ, ତାହା ଏବେଠାରୁ କହିହେବ ନାହିଁ । କିନ୍ତୁ ଏହି ଲହରୀର ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ସରକାର ମଧ୍ୟ ସୂଚନା ଦେଇଛନ୍ତି କି ଭାରତ ମାତ୍ର ୧୦୯ ଦିନରେ ୧୬ କୋଟି ଡୋଜ୍‌ ଟିକା ଦେଇ ଏକ ରେକର୍ଡ ସୃଷ୍ଟି କରିଛି । ସପ୍ତାହକ ଭିତରେ ୧୮ରୁ୪୪ ବର୍ଷ ବର୍ଗରେ ୩.୫ କୋଟି ଲୋକ ଟିକା ନେବା ପାଇଁ ପଂଜୀକରଣ କରିଛନ୍ତି । ହେଲେ ଏବେସୁଦ୍ଧା ସେମାନଙ୍କ ଭିତରୁ ୨%ରୁ ବି କମ୍‌ ଲୋକଙ୍କୁ ଟିକା ମିଳିପାରିଛି ।

ଆଉ ଏକ ଘଟଣାକ୍ରମରେ, ଆହ୍ଲାବାଦ ହାଇକୋର୍ଟ ନିଜ ରାୟରେ କହିଛନ୍ତି ଯେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେବା ଅତୀବ ଦୁଃଖଦାୟକ । ଯେଉଁ ସରକାରୀ ଅଧିକାରୀମାନେ ମେଡିକାଲ ଅକ୍ସିଜେନ ସଂଗ୍ରହ ଓ ଯୋଗାଣ ଦାୟିତ୍ୱରେ ଅଛନ୍ତି, ସେମାନେ ସାଂଘାତିକ ଅପରାଧ କରୁଛନ୍ତି ଯାହା ନରସଂହାର ଠାରୁ କମ୍‌ ନୁହେଁ । ରାଜ୍ୟର କେତେକ ଭାଗରେ ଏଭଳି ମୃତ୍ୟୁ ଘଟଣାର ଯାଞ୍ଚ କରି ରିପୋର୍ଟ ଦେବାକୁ ହାଇକୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.