ଯେ କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିପାରିବ, ଆମ ଦେଶ ବସୁଧୈବ କୁଟୁମ୍ବକମ: କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକବୀ

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮/୦୯ : ଦେଶରେ ଧର୍ମାନ୍ତରଣ ପ୍ରସଙ୍ଗ ସରଗରମ ରହିଛି। ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକବୀ କହିଛନ୍ତି ଯେ ଯେକୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଧର୍ମାନ୍ତରଣ କରିପାରିବେ। ସେ କହିଛନ୍ତି ଦେଶରେ ସବୁ କାମ ପାଇଁ ସ୍ୱାଧୀନତା ଅଛି। ମଙ୍ଗଳବାର ଦିନ ନକବୀ ଦିଲ୍ଲୀରେ ଈସାଈ ସଂଗଠନ ସହ ସାକ୍ଷାତ କରିଛନ୍ତି। ଏଥିରେ ସମ୍ପ୍ରଦାୟ ତରଫରୁ ସରକାରଙ୍କୁ ଶିକ୍ଷା ନୀତି ଓ ଧର୍ମାନ୍ତରଣ ପ୍ରସଙ୍ଗକୁ ନେଇ ଦୁଇଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ନକବୀ କହିଛନ୍ତି ଯେଉଁମାନେ ଭୋଟ ଦେଇଛନ୍ତି ଓ ଯେଉଁମାନେ ଦେଇନାହାନ୍ତି ସମସ୍ତଙ୍କ ପାଇଁ କାମ କରିବୁ। ଆମେ ସମସ୍ତଙ୍କ ବିକାଶ ଓ ସୁରକ୍ଷା ପାଇଁ କାମ କରୁଛୁ। ଦେଶରେ ସବୁ ଧର୍ମର ଲୋକେ ବାସ କରୁଛନ୍ତି। ଆସ୍ତିକ ବି ଅଛନ୍ତି, ନାସ୍ତିକ ବି ଅଛନ୍ତି। ଅନେକତା ମଧ୍ୟରେ ଏକତା, ପୁରୁଣା ସଂସ୍କୃତି ଅଛି। ସେଥିପାଇଁ ଦେଶରେ ଅସହିଷ୍ଣୁତା ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ନକବୀ କହିଛନ୍ତି, ପଡୋଶୀ ଦେଶରେ ଦେଖନ୍ତୁ କଣ ହେଉଛି। କିନ୍ତୁ ଆମ ଦେଶରେ ଏସବୁ ହୁଏନି ଓ ଯଦିବି କିଏ କରେ ତାହେଲେ ସମାଜ ତାକୁ ସ୍ୱୀକାର କରେନାହିଁ। ଧର୍ମାନ୍ତରଣ କୌଣସି ଦେଶର ବିକାଶର ମାପ ହୋଇପାରିବ ନାହିଁ। ଯଦି କିଏ ନିଜ ଇଚ୍ଛାରେ ଧର୍ମାନ୍ତରଣ କରେ ତାହେଲେ ନିଶ୍ଚୟ କରୁ। କିଏ ଶିଖ ହେବ କିଏ ଆଉ କିଛି ହେବ। ସମସ୍ତଙ୍କ ପାଇଁ ସବୁ ଖୋଲା। ସେ କହିଛନ୍ତି ଆମ ଦେଶ ବସୁଧୈବ କୁଟୁମ୍ବକମ।

ନକବୀ ଈସାଈ ସଂଗଠନର କାମକୁ ପ୍ରଶଂସା କରି କହିଛନ୍ତି ଯେ ମାନବିକତା ହିଁ ସେବା। କରୋନା ସମୟରେ ଆପଣଙ୍କ ଅନେକ ସଂସ୍ଥା କାମ କରିଛନ୍ତି। ଆପଣଙ୍କ ଏହି ସେବା କାର୍ଯ୍ୟକୁ ସଲାମ। ହସ୍ତାନ୍ତର କରିଥିବା ସ୍ମାରକପତ୍ରରେ ଈସାଈ ସଂଗଠନ କହିଛି ଯେ ଏହି ନୀତି ଅନୁସାରେ ଅନେକ ସ୍କୁଲ ଓ କଲେଜ ବନ୍ଦ ହୋଇପାରେ। କାରଣ ପୁରୁଣା ନିୟମ ଓ ନୂଆ ନୀତିରେ ଅନେକ ପ୍ରକାର ବିରୋଧାଭାସ ରହିଛି। ଏହାସହ ସଂଗଠନକୁ ଧର୍ମାନ୍ତରଣ ଅଭିଯୋଗରେ ହଇରାଣ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.