ମୁକେଶଙ୍କ ଫେସ୍‌ ଭାଲ୍ୟୁ ବଢାଇଦେଲା ଫେସ୍‌ବୁକ୍‌, ପୁଣି ଧନୀ ନଂ-୧

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ଫେସ୍‌ବୁକ୍‌ ଏବଂ ରିଲାଏନ୍ସ ଜିଓ ମଧ୍ୟରେ ହୋଇଥିବ ପ୍ରାୟ ୪୪ ହଜାର କୋଟିର । ଚୁକ୍ତି ପରେ ରିଲାଏନ୍ସର ସେୟାର ମୂଲ୍ୟରେ ୧୦.୩୦% ବୃଦ୍ଧି ଘଟିଛି । ଫଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନି ପୁଣି ଥରେ ଏସିଆର ନମ୍ବର ୧ ଧନୀ ପାଲଟିଛନ୍ତି । ପୂର୍ବରୁ ଚାଇନିଜ୍‌ ଇ-କମର୍ସ କମ୍ପାନି ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା’ ମୁକେଶଙ୍କଠାରୁ ଏହି ସ୍ଥାନ ଛଡାଇ ନେଇଥିଲେ ।

ମାର୍କ ଜୁକ୍କରବର୍ଗଙ୍କ କମ୍ପାନି ଫେସ୍‌ବୁକ୍‌ ମୁକେଶ ଅମ୍ବାନିଙ୍କ କମ୍ପାନି ରିଲାଏନ୍ସ ଜିଓରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବାକୁ ଚୁକ୍ତି ସ୍ୱାକ୍ଷର କରିଛି । ଏହି ନିବେଶ ପରେ ଜିଓରେ ଫେସ୍‌ବୁକ୍‌ର ଅଂଶଧନ ୯.୯୯% ହୋଇଯିବ । ଏହି ଚୁକ୍ତି ପରେ ଜିଓର ବଜାର ମୂଲ୍ୟ ୪.୬୨ ଲକ୍ଷ କୋଟି ଟଙ୍କାକୁ ବଢ଼ିବ । ନିୟାମକ ମଞ୍ଜୁରି ପରେ ଫେସ୍‌ବୁକ୍‌ ଜିଓର ସବୁଠାରୁ ବଡ଼ ସଂଖ୍ୟାଲଘୁ ଅଂଶୀଦାର ପାଲଟିବ । ଚୁକ୍ତି ଜରିଆରେ ଫେସ୍‌ବୁକ୍‌ ଏବଂ ରିଲାଏନ୍ସ ମଧ୍ୟରେ ଇ-କମର୍ସକୁ ନେଇ ବି ବଡ଼ ନିଷ୍ପତ୍ତି ନିଆଯାଇଛି । ରିଲାଏନ୍ସର ଜିଓମାର୍ଟ ଏବଂ ଫେସ୍‌ବୁକ୍‌ର ହ୍ୱାଟ୍‌ସଆପ୍‌ ଜରିଆରେ କୋଟି କୋଟି କିରାଣା ଦୋକାନ ଏବଂ ଗ୍ରାହକଙ୍କୁ ଯୋଡ଼ାଯିବ ।

ଏହି ଚୁକ୍ତି ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି ଇ-କମର୍ସ କମ୍ପାନିଙ୍କୁ ମାତ୍‌ ଦେବା ଥୟ । ଏ ଖବର ପ୍ରସାରିତ ହେବା ପରେ ଜିଓର ସେୟାର ମୂଲ୍ୟରେ ବଡ଼ ବୃଦ୍ଧି ଘଟିଛି । ଫଳରେ ମୁକେଶ ସମ୍ପତ୍ତି ବୃଦ୍ଧି ପାଇଛି । ଏହି ଚୁକ୍ତି ପରେ ମୁକେଶ ଅମ୍ବାନିଙ୍କ ସମ୍ପତ୍ତିରେ ପ୍ରାୟ ୪୦୦ କୋଟି ଡଲାର ବୃଦ୍ଧି ଘଟିଛି । ଏବେ ତାଙ୍କ ମୋଟ ସମ୍ପତ୍ତି ୪୯୦୦ କୋଟି ଡଲାରରେ ପହଞ୍ଚିଛି । ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ, ଏହି ଚୁକ୍ତି ଯୋଗୁ ଅମ୍ବାନିଙ୍କ ସମ୍ପତ୍ତି ଜ୍ୟାକ୍‌ ମା’ଙ୍କଠାରୁ ପାଖାପାଖି ୩୦୦ କୋଟି ଡଲାର ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.