ଚୀନ୍ ଓ ଆମେରିକା ପଛକୁ ଭାରତ ହେବ ବିଶ୍ୱର ତୃତୀୟ ଧନୀ ଦେଶ : ମୁକେଶ ଅମ୍ବାନୀ

Published By : Prameya-News7 Bureau | July 24, 2021 IST

ମୁମ୍ବାଇ ୨୪।୭: ଗତ ୩ ଦଶକରୁ ଭାରତରେ ହୋଇଥିବା ଆର୍ଥିକ ସୁଧାରର ଲାଭ ସବୁ ନାଗରିକଙ୍କୁ ସମାନ ଭାବେ ମିଳି ନାହିଁ ବୋଲି ମନେ କରନ୍ତି ଦେଶର ଶୀର୍ଷ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ । ଏଣୁ ସମାଜର ସବୁଠୁ ନିମ୍ନସ୍ତରରେ ସମ୍ପତ୍ତି ସୃଜନ ଲାଗି ଏବେ ଭାରତୀୟ ମଡେଲର ଆବଶ୍ୟକତା ଜରୁରି ବୋଲି କହିଛନ୍ତି। ତେବେ ଭାରତ ୨୦୪୭ ବେଳକୁ ଚୀନ୍‌ ଓ ଆମେରିକା ପରେ ବିଶ୍ୱର ତୃତୀୟ ଧନୀ ରାଷ୍ଟ୍ରରେ ପରିଣତ ହୋଇଥିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଦେଶରେ ଆର୍ଥିକ ଉଦାରିକରଣର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମ୍ବାନୀ ଏକ ଆଲେଖ୍ୟରେ ଲେଖିଛନ୍ତି ଯେ ଆର୍ଥିକ ସଂସ୍କାର ଲାଗି ଏକ ଦୁଃସାହାସୀକ ପଦକ୍ଷେପ ଯୋଗୁ  ୧୯୯୧ ମସିହାରେ ୨୬୬ ବିଲିୟନ ଜିଡିପର ଭାରତୀୟ ଅର୍ଥନୀତି ଆଜି ୧୦ ଗୁଣାରୁ ଅଧିକ ହୋଇପାରିଛି। ବଜାର ପୁଞ୍ଜିକରଣ ଦୃଷ୍ଟିରୁ ସର୍ବ ବୃହତ୍ତ ଭାରତୀୟ କମ୍ପାନୀର ଅଧ୍ୟକ୍ଷ ଭାବେ ହୁଏତ ଅମ୍ବାନୀଙ୍କର ଦେଶର ଅର୍ଥନୀତି ନେଇ ଲେଖିଥିବା ଏହା ପ୍ରଥମ ଆଲେଖ୍ୟ ଯାହା ଶନିବାର ‘ଟାଇମ୍ସ ଅଫ ଇଣ୍ଡିଆ’ରେ ପ୍ରକାଶିତ ହୋଇଛି।

ଏଥିରେ ୧୯୯୧ ମସିହାରେ ଭାରତ ଏକ ଅଭାବୀ ଅର୍ଥ ବ୍ୟବସ୍ଥା ଥିବା ବେଳେ ୨୦୨୧ ବେଳକୁ ଏହା ସ୍ୱଚ୍ଛଳ ହୋଇପାରିତିବା ସେ ଲେଖିଛନ୍ତି। ଏଣୁ ଏବେ ଭାରତକୁ ୨୦୫୧ ସୁଧା  ଦୀର୍ଘସ୍ଥାୟୀ, ସ୍ୱଚ୍ଛଳ ତଥା ସମସ୍ତଙ୍କ ଲାଗି ସମାନ ସମୃଦ୍ଧିକାରକ ଅର୍ଥବ୍ୟବସ୍ଥା ନିର୍ମାଣ କରିବାକୁ ପଡିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଅମ୍ବାନୀ ଲେଖିଛନ୍ତି ଯେ ଭାରତ ୧୯୯୧ ମସିହାରେ ଅର୍ଥନୀତିର ଦିଶା ଓ ଦଶା ଉଭୟ ପରିବର୍ତ୍ତନ ଲାଗି ଦୂରଦୃଷ୍ଟି ସହ ଦୁଃସାହାସ ଦେଖାଇଥିଲା। ସରକାର ଘରୋଇ କ୍ଷେତ୍ରକୁ ମଧ୍ୟ ଜାତୀୟ ଅର୍ଥ ବ୍ୟବସ୍ଥାରେ ପ୍ରଭାବଶାଳୀ ଶୀର୍ଷସ୍ଥାନ ଦେଇଥିଲେ। ଯାହା ପୂର୍ବ ଦଶକମାନଙ୍କରେ କେବଳ ସାର୍ବଜନିକ କ୍ଷେତ୍ରର ଦଖଲରେ ଥିଲା।

{"id":485294,"width":839,"height":420,"sizeSlug":"large","linkDestination":"none"}

ସରକାରଙ୍କ ପଦକ୍ଷେପ ଯୋଗୁ ଲାଇସେନସିଂ ବ୍ୟବସ୍ଥାର ଉଚ୍ଛେଦ ସହ ବ୍ୟାପାର, ଔଦ୍ୟୋଗିକ ନୀତି ଉଦାର ହୋଇଥିବା ବେଳେ ପୁଞ୍ଜିବଜାର ଓ ଆର୍ଥିକ କ୍ଷେତ୍ର ମୁକ୍ତ ହୋଇପାରିଥିଲା। କେବଳ ଏହି ସୁଧାର ଯୋଗୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇପାରିଛି। ଯଦିଓ ଏହି ସମୟରେ ଜନ ସଂଖ୍ୟା ୮୮ କୋଟିରୁ ୧୩୮ କୋଟିକୁ ରେ ପହଞ୍ଚି ଯାଇଛି, ତଥାପି ଏଥିରେ ଦାରିଦ୍ର୍ୟତା ହାର ମଧ୍ୟ ୫୦ ପ୍ରତିଶତରୁ ତଳେ ରହିଛି।  କେବଳ ଏତିକି ନୁହେଁ ଆମର ଭିତ୍ତିଭୂମି ମଧ୍ୟ ଆମ କଳ୍ପନାରୁ ଅନେକ ଅଧିକ ବିକଶିତ ହୋଇପାରିଛି। ଆମର ଏବେ ବିଶ୍ୱସ୍ତରୀୟ ଏକ୍ସପ୍ରେସ୍-ୱେ, ବିମାନବନ୍ଦର ଓ ବନ୍ଦର ଅଛି। ଏପରି ବିକାଶ ଆମର ଉଦ୍ୟୋଗ ଓ ସେବାରେ ମଧ୍ୟ ଆସିଥିବା ସେ ଲେଖିଛନ୍ତି।

ସେ ଲେଖିଛନ୍ତି ଯେ ଏକଦା ଆମେ ଟେଲିଫୋନ ସଂଯୋଗଟିଏ ହେଉ କି ରୋଷେଇ ଲାଗି ଗ୍ୟାସ୍‌ ପାଇଁ ଆବେଦନ କରି ବର୍ଷବର୍ଷ ଅପେକ୍ଷା କରି ରହୁଥିଲୁ ।  ଏହା ହୁଏତ ଆଜିର ଦିନରେ କେହି ବିଶ୍ୱାସବି  କରିପାରିବେନି। କେବଳ ଟେଲିଫୋନ କି ରୋଷେଇ ଗ୍ୟାସ୍‌ ନୁହେଁ କମ୍ପାନୀ ଲାଗି କମ୍ପ୍ୟୁଟରଟିଏ  କ୍ରୟ ଲାଗି ମଧ୍ୟ ସରକାରୀ ମଞ୍ଜୁରୀକୁ ଅପେକ୍ଷା କରିବାକୁ ପଡୁଥିଲା। ସେ ଲେଖିଛନ୍ତି ଯେ ୨୦୪୭ ମସିହାରେ ଭାରତ ସ୍ୱାଧୀନତାର ଶତସମ୍ବତ୍ସର ପାଳନ କରିବ। ସେତେବେଳ ସୁଧା ଭାରତକୁ ବିଶ୍ୱର ୩ ମହାନ ଧନୀ ଦେଶଙ୍କ ସ୍ଥାନରେ ପ୍ରତିଷ୍ଠିତ କରିବା ବ୍ୟତୀତ ଆମର ଆଉ ବଡ଼ ସ୍ୱପ୍ନ କଣ ହୋଇପାରେ।  ହୁଏତ ସେତେବେଳକୁ ଆମେ ଚୀନ୍‌ ଓ ଆମେରିକା ପରେ ବିଶ୍ୱର ତୃତୀୟ ଧନୀ ଦେଶ ହୋଇ ନଥିବା କଳ୍ପନାତୀତ ନୁହେଁ।

ତେବେ ଆଗକୁ ରାସ୍ତା ଏତେ ସହଜ ନୁହେଁ। କରୋନା ଭାଇରସ ମହାମାରୀ ଭଳି ଅଚାନକ ଦେଖା ଦେଇଥିବା ଅସ୍ଥାୟୀ ସମସ୍ୟାରେ ଆମେ ଘାବରେଇ ଗଲେ ହେବନି, ଅପ୍ରସଙ୍ଗରେ ଆମର ଧ୍ୟାନ ଭଟକାଇବାର ମଧ୍ୟ ଏହା ସମୟ ନୁହେଁ। ଆମ ପାଖରେ ଅବସର ଅଛି ଓ ଏହାର ଆମେ ଉପଯୋଗ କରି ଆମର ପିଲା ଓ ଯୁବକମାନଙ୍କ ଲାଗି ଆଗାମୀ ୩୦ ବର୍ଷକୁ ସ୍ୱାଧୀନ ଭାରତର ଇତିହାସରେ ସ୍ୱର୍ଣ୍ଣିମ ବର୍ଷ ଭାବେ ଗଢି ତୋଳିବା।  ଏହି ଲକ୍ଷ ହାସଲ ଲାଗି ଆମକୁ ଆତ୍ମ ନିର୍ଭର ହେବା ସହ ଅବଶିଷ୍ଟ ବିଶ୍ୱ ସାଙ୍ଗରେ ଆମର ସମ୍ପର୍କ ଓ ସହଯୋଗକୁ  ମଜଭୁତ କରିବା ଜରୁରି ବୋଲି ଲେଖିଛନ୍ତି ଅମ୍ବାନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.