ସନ୍ଦିଗ୍ଧ ସ୍କର୍ପିଓ ମାମଲା : ମୁକେଶ ଅମ୍ବାନୀଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡାକଡି, ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | February 26, 2021 IST

ମୁମ୍ବାଇ ୨୬/୦୨ : ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାକୁ ସନ୍ଦିଗ୍ଧ ଗାଡି ମିଳିବା ପରେ ଆଲୋଡନ ଖେଳି ଯାଇଛି । ମୁକେଶଙ୍କ ଘର ସାମ୍ନାରୁ ଗୋଟିଏ ସ୍କର୍ପିଓକୁ ଜବତ କରାଯାଇଛି । ଉକ୍ତ ଗାଡିରେ ପ୍ରାୟ ୨୦ଟି ଜିଲେଟିନ୍‌ ରଡ୍ ଥିଲା ।  ଏହାପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଙ୍କ ନିଦ ହଜିଯାଇଛି । ଗାଡି ଜବତ ହେବାପରେ ମୁମ୍ବାଇ ପୋଲିସର ବମ୍‌ ସ୍କ୍ବାଡ୍‌ ତୁରନ୍ତ ଆଣ୍ଟିଲିଆ ନିକଟରେ ପହଞ୍ଚିବା ସହ କ୍ରାଇମ୍ ବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି । ଏନେଇ ମୁମ୍ବାଇ ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ୨୮୬, ୪୬୫, ୪୭୩, ୫୦୬ଖ, ୧୨୦ଖ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏହାସହ ଆତଙ୍କବାଦୀଙ୍କ ହାତ ରହିଛି ନା ନାହିଁ ସେଦିଗରୁ ମଧ୍ୟ ତଦନ୍ତ ହେଉଛି ।

ଜିଲୋଟିନ୍ ଭର୍ତ୍ତି ଗାଡି ଜବତ ହେବା ପରେ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବା ସହିତ ଯାଞ୍ଚ ଜୋରଦାର କରିଛି ପୋଲିସ । ପୋଲିସର କହିବାନୁସାରେ, ​ଜବତ ଗାଡିଟି ସ୍କର୍ପିଓ ଅଟେ । ଏହା ଦୀର୍ଘ ସମୟ ଧରି ଅମ୍ବାନୀଙ୍କ ଘର ବାହାରେ ଛିଡା ହୋଇଥିଲା । ସନ୍ଦେହ ହେବାରୁ ସୁରକ୍ଷା ଦାୟିତ୍ବରେ ଥିବା କର୍ମୀମାନେ ପୋଲିସକୁ ଏ ବାବଦରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାଞ୍ଚ ବେଳେ ଗାଡିରୁ ଜିଲେଟିନ୍‌ ଜବତ କରାଯାଇଥିଲା ।

ଜିଲେଟିନ୍‌ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଏ । ତେଣୁ ଏତେ ପରିମାଣର ଜିଲେଟିନ୍‌ କିପରି ସେଠାକୁ ଆସିଲା ଏବଂ କଣ ପାଇଁ ସେଠାରେ ରଖାଯାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପ୍ରଶାସନ । ଗାଡିର ଯେଉଁ ରେଜିଷ୍ଟ୍ରେସନ ନମ୍ବର ଅଛି ତାହା ମୁକେଶ ଅମ୍ବାନୀଙ୍କ କାରକେଡର ଏକ ଗାଡି ସହ ମ୍ୟାଚ୍ କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.