ମୁକେଶ ଅମ୍ବାନୀ, ତାଙ୍କ ପରିବାର ଓ ବନ୍ଧୁଙ୍କ ମାଲିକାନାରେ ରହିଛି INX ମିଡିଆ, ୨୦୧୮ରେ EDକୁ କହିଥିଲେ ପିଟର ମୁଖାର୍ଜୀ: ଗଣମାଧ୍ୟମ ରିପୋର୍ଟକୁ ନେଇ ଆସିଲା ବଡ଼ ଷଡ଼ଯନ୍ତ୍ରର ଚର୍ଚ୍ଚା
7/12/2020 at 9:49 PM

ନୂଆଦିଲ୍ଲୀ ୦୭/୧୨: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା ନୂଆ ମୋଡ ନେଉଛି। ଜାତୀୟ ଗଣମାଧ୍ୟମ ‘ଦି ଓ୍ବାୟର’ରେ ପ୍ରକାଶିତ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଇଏନଏକ୍ସ ମାମଲାର ମୁଖ୍ୟ ଅଭିଯୁକ୍ତ ପିଟର ମୁଖାର୍ଜୀ ଦେଶର ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ଉପରେ ସାଂଘାତିକ ବୟାନ ଦେଇଥିବା ଜଣାପଡ଼ିଛି। ମୁକେଶ ଅମ୍ବାନୀ ଏବଂ ତାଙ୍କର ‘ପରିବାର ଓ ବନ୍ଧୁ’ଙ୍କ ମାଲିକାନରେ ଆଇଏନଏକ୍ସ ମିଡିଆ ରହିଥିବା ପିଟର କହିଥିଲେ ।
ପୂର୍ବରୁ ପିଟର ମୁଖାର୍ଜୀ ଓ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନ ପରେ ଆଇଏନଏକ୍ସ ମିଡିଆ ଘୋଟାଲା ସମ୍ପୃକ୍ତି ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଜେଲ ହୋଇଥିଲା। ଏହା ସହ ପିଟର ମୁଖାର୍ଜୀ ଇଡିକୁ କହିଥିଲେ ଯେ, ଅମ୍ବାନୀ, ଚିଦାମ୍ବରମ ବାପ ପୁଅଙ୍କ ସମ୍ପର୍କରେ ରହିଥିଲେ। ପିଟରଙ୍କ ଏହି ବୟାନରୁ ଜଣାପଡ଼ୁଛି ଇଡି ଅଭିଯୋଗ କରିଥିବା କଥା ସତ। ଅମ୍ବାନୀ ଫାର୍ମରୁ କାର୍ତ୍ତିଙ୍କୁ ଟଙ୍କା ପଠାଯାଇଥିବା ନେଇ ଇଡି ଅଭିଯୋଗ କରିଥିଲା। ମୁଖାର୍ଜୀ ସ୍ବାମୀ ସ୍ତ୍ରୀ ଯେଉଁ ଫାର୍ମର ରିପ୍ରେଜେଣ୍ଟିଭ୍ ତାର ମାଲିକ ହେଉଛନ୍ତି ମୁକେଶ ଅମ୍ବାନୀ। ଏନେଇ ମୁଖାର୍ଜୀ ତଦନ୍ତ ବେଳେ କହିଥିଲେ।
କେନ୍ଦ୍ର ଆର୍ଥିକ ମନ୍ତ୍ରଳାୟ ଅଧିନରେ ଆସୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ମୁଖ୍ୟଙ୍କ କାର୍ଯ୍ୟକାଳ କେନ୍ଦ୍ର ସରକାର ଗୋଟିଏ ବର୍ଷ ବଢାଇ ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଜେରା ପାଇଁ ଡାକି ଚିଦାମ୍ବରମ ବାପ ପୁଅଙ୍କୁ ଇଡି ଗିରଫ କରିଥିଲା। କିନ୍ତୁ ମାମଲାରେ ଅମ୍ବାନୀଙ୍କ ସମ୍ପୃକ୍ତି ନେଇ ମୁଖ୍ୟ ଅଭିଯୁକ୍ତ ମୁଖାର୍ଜୀ ଦମ୍ପତି କହିବା ପରେ ବି ଇଡି ମୁକେଶଙ୍କୁ ଜେରା ପାଇଁ ସମନ କରିନଥିଲା।
ସେପଟେ ଏନେଇ ‘ଦି ଓ୍ବାୟର’ ପକ୍ଷରୁ ଇଡିକୁ ସମ୍ପର୍କ କରାଯାଇଥିଲେ ସୁଦ୍ଧା ସେମାନେ କିଛି କହିବାକୁ ମନା କରିଦେଇଥିବା ଜଣାପଡ଼ିଛି। ‘ଦି ଓ୍ବାୟର’ ଜାଣିବାକୁ ଚାହିଁଥିଲା ଯେ, ୨୦୧୮ରେ ପିଟର, ଅମ୍ବାନୀଙ୍କ ସମ୍ପୃକ୍ତି କହିସାରିଥିବା ବେଳେ ଇଡି ଏବେ ଯାଏ ମୁକେଶଙ୍କୁ ଜେରା ପାଇଁ କିଛି ପଦକ୍ଷେପ ନେଇଛି କି ? କାର୍ତ୍ତିଙ୍କୁ ଟଙ୍କା ଦେଇଥିବା ଫାର୍ମ ଅମ୍ବାନୀଙ୍କ ନାଁରେ ଅଛି କି, ଯଦି ଅଛି ସେ ଲାଞ୍ଚ ଦେଇଥିବା ସମ୍ପର୍କରେ ଜାଣିଛନ୍ତି କି ନାହିଁ ? ଏ ସମ୍ପର୍କରେ ଜାଣିବାକୁ ଇଡି ଏବେ ଯାଏ କଣ ପଦକ୍ଷେପ ନେଇଛି ସେ ସମ୍ପର୍କରେ ଜାଣିବାକୁ ବି ଚେଷ୍ଟା କରିଥିଲା ‘ଦି ଓ୍ବାୟର’।
ମାମଲାର ତଦନ୍ତ ଦାୟିତ୍ବରେ ଥିବା ଜଣେ ଇଡି ଅଧିକାରୀ ଏନେଇ କିଛି କହିବାକୁ ମନା କରିବା ସହ ତାଙ୍କ ଉପର ଅଧିକାରୀ କହିପାରିବେ ବୋଲି କହିଥିଲେ। ପରେ ଏନେଇ ତାଙ୍କ ଉପର ଅଧିକାରୀଙ୍କୁ ପଚାରିବାରୁ ସେ ମଧ୍ୟ ସମାନ ଉତ୍ତର ଦେଇଥିବା ଜଣାପଡ଼ିଛି। ସେପଟେ ରିଲାଏନ୍ସ କମ୍ପାନୀକୁ ଏନେଇ ପ୍ରଶ୍ନ ପଚରା ଯାଇଥିବା ବେଳେ କୌଣସି ଉତ୍ତର ମିଳିପାରି ନାହିଁ।
ଫାର୍ମରେ ସିଧାସଳଖ ୬୦ ପ୍ରତିଶତ ସେୟାର କେବଳ ମୁକେଶ, ପରିବାର ଓ ବନ୍ଧୁଙ୍କ ନାଁରେ ରହିଛି ବୋଲି ପିଟର ମାନିଥିଲେ। ୧୦ ପ୍ରତିଶତ ସ୍ବେଟ୍ ଇକ୍ବିଟି ସେ ଓ ତାଙ୍କର ସ୍ତ୍ରୀ ଇନ୍ଦ୍ରାଣୀଙ୍କ ନାଁରେ ଥିବା ବେଳେ ୪୦ ପ୍ରତିଶତ ଇନ୍ଦ୍ରାଣୀଙ୍କ ଦ୍ବାରା ମୁକେଶ ଅମ୍ବାନୀ ଓ ପରିବାର ପାଇଁ ରଖାଯାଇଥିବା ସେ କହିଥିଲେ। ଗୋଟିଏ ପ୍ରାଇଭେଟ୍ ଇକ୍ବିଟି ଫାର୍ମ ଏନଏସ୍ଆର ପିଇ ମାଧ୍ୟମରେ ମୁକେଶଙ୍କ ବନ୍ଧୁ ୨୦ ପ୍ରତିଶତ କିଣିଥିଲେ। ତେଣୁ ଅମ୍ବାନୀ ଆଏନଏକ୍ସ ମିଡିଆର ବଡ଼ ସେୟାର ହୋଲ୍ଡର ବୋଲି ପିଟର କହିଥିଲେ। ତେବେ ପିଟର ନିଜର ଷ୍ଟେଟମେଣ୍ଟ ହାତରେ ୭ ମାର୍ଚ୍ଚ ୨୦୧୮ରେ ଆସିଷ୍ଟାଣ୍ଟ ଡିରେକ୍ଟର ବିବେକ ମାହେଶ୍ବରୀଙ୍କୁ ସାମ୍ନାରେ ପ୍ରସ୍ତୁତ କରିଥିଲେ। ତେବେ ଏହି ପିଏମଏଲଏ ଅଧିନରେ ହାତ ଲେଖା ଷ୍ଟେଟମେଣ୍ଟ ଜଣେ ଆସିଷ୍ଟାଣ୍ଟ ଡିରେକ୍ଟରଙ୍କ ସାମ୍ନାରେ ରେକର୍ଡ ହେଲେ ତାହା କୋର୍ଟରେ ଯୋଗ୍ୟ ପ୍ରମାଣପତ୍ର ବିବେଚିତ ହୋଇପାରିବ। ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ ନିଜର ଷ୍ଟେଟମେଣ୍ଟ ବେଳେ ମୁକେଶ ଅମ୍ବାନୀଙ୍କ ନାଁ ନେଇଥିଲେ। ୫ ଅକ୍ଟୋବର ୨୦୧୯ରେ ଇନ୍ଦ୍ରାଣୀ ଜଣେ ଆସିଷ୍ଟାଣ୍ଟ ଡିରେକ୍ଟରଙ୍କୁ ଏହି ପ୍ରତିକ୍ରିୟା ଦେଇଥିଲେ।
ତେବେ ଦୁଇ ଅଭିଯୁକ୍ତଙ୍କ ଷ୍ଟେଟ୍ମେଣ୍ଟ ରେକର୍ଡ କରିବା ପରେ ମାମଲାରେ ମୁକେଶ ଅମ୍ବାନୀଙ୍କ ସମ୍ପୃକ୍ତି ନେଇ ଇଡିର ପରବର୍ତ୍ତୀ ତଦନ୍ତ କଣ ହେଲା ସେନେଇ ଜଣାପଡ଼ିନାହିଁ। ତେବେ ଏହା ପ୍ରଥମ ନୁହେଁ ଯେ ଅମ୍ବାନୀ ଏମିତି କିଛି ମାମଲା ସହ ଜଡ଼ିତ ଅଛନ୍ତି ଯାହା ରାଜନୀତି ସହ ସିଧା ସମ୍ପର୍କିତ । କିନ୍ତୁ କୌଣସି ମାମଲରେ ତାଙ୍କୁ ଜେରା କରାଯାଇନଥିବା ନେଇ ‘ଦି ଓ୍ବାୟର’ରେ ପ୍ରକାଶ ପାଇଛି।