ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ କରିବାକୁ ଭରସା ଦେଲେ ମୁକେଶ ଅମ୍ବାନୀ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୦୮/୧୨ : ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୨୦୨୧ ସୁଦ୍ଧା ୫ଜି ସେବା ଆରମ୍ଭ କରିବାକୁ ସଂକେତ ଦେଇଛନ୍ତି। ମଙ୍ଗଳବାର ଦିନ ମୁକେଶ ଅମ୍ବାନୀ ଇଣ୍ଡିଆ ମୋବାଇଲ କଂଗ୍ରେସ-୨୦୨୦କୁ ସମ୍ବୋଧିତ କରି କହିଛନ୍ତି ଯେ ୫ଜି ସେବା ସେବା ଆରମ୍ଭ କରିବାକୁ ନୀତିଗତ ପଦକ୍ଷେପ ନେବା ଆବଶ୍ୟକ। ନୀତିଗତ ପଦକ୍ଷେପ ଦ୍ୱାରା ହିଁ ଆମେ ଉଚିତ ଦାମରେ ସମସ୍ତଙ୍କୁ ୫ଜି ସେବା ଉପଲବ୍ଧ କରାଇପାରିବା ବୋଲି ସେ କହିଛନ୍ତି।

ଆଜି ଭାରତ ସବୁଠାରୁ ଉତ୍ତମ ତରିକାରେ ଡିଜିଟାଲ ଦୁନିଆ ସହ ଜଡିତ। ସେଥିପାଇଁ ୫ଜି ସେବା ଉପରେ ଶୀଘ୍ର କାମ କରିବା ଦରକାର। ତାଙ୍କ କମ୍ପାନୀ ଜିଓ ଦେଶରେ ୫ଜି କ୍ରାନ୍ତି ଆଣିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, 'ମୁଁ ଆପଣମାନଙ୍କୁ ଭରସା ଦେଉଛି ଯେ ଜିଓ ୨୦୨୧ ର ଅଧବାର୍ଷିକ ସୁଦ୍ଧା ୫ଜି ସେବା ଆରମ୍ଭ କରିବ '

ସମ୍ମିଳନୀକୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ କହିଛନ୍ତି, ଭାରତକୁ ଆଗକୁ ବଢ଼ିବାରେ କେହି ରୋକି ପାରିବେନି। ଏହାସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ମିଶନକୁ ପ୍ରଶଂସା କରି ଦେଶକୁ ବିପତ୍ତି ଏବଂ ମହାମାରୀ ଭଳି ସମୟରେ ଏହି ମିଶନ ଜନତାଙ୍କୁ ବହୁତ ସାହାଯ୍ୟ କରିଛି ଏବଂ ଆଗକୁ ମଧ୍ୟ ଡିଜିଟାଲ ଟ୍ରାନ୍ସଫରମେସନ କ୍ଷେତ୍ରରେ ଆଗକୁ ବଢିବ ବୋଲି କହିଛନ୍ତି। କରୋନା ମହାମାରୀ ସମୟରେ ଅନେକ ଲୋକ ଘରୁ କାମ କରୁଛନ୍ତି। ଏହିଭଳି ସ୍ଥିତିରେ ଜିଓର ହାଇସ୍ପିଡ଼ ୪ଜି ଲୋକଙ୍କୁ ବହୁତ ସାହାଯ୍ୟ କରିଛି ବୋଲି ସେ କହିଛନ୍ତି। ମହାମାରୀ ସମୟରେ ଭାରତ ଅନଲାଇନ୍ ମିଡିୟମ ଉପରେ ଅଧିକ ଫୋକସ କରିଛି। ଚଳିତ ବର୍ଷ ଦେଶରେ ଲୋକେ ଅନଲାଇନ୍ କାମ କଲେ, ଅନଲାଇନ୍ ପାଠ ପଢିଲେ, ଅନଲାଇନ୍ କିଣାବିକା କଲେ, ଅନଲାଇନ୍ ଗେମ୍ ଖେଳିଲେ, ସ୍ୱାସ୍ଥ୍ୟ ସେବା ମଧ୍ୟ ଅନଲାଇନରେ ପ୍ରାପ୍ତ କଲେ। ତାଛଡା ଦୈନନ୍ଦିନ ଜୀବନରେ ମଧ୍ୟ ସବୁ କାମ ଅନଲାଇନ ମାଧ୍ୟମରେ ପୁରା କଲେ।

ଦେଶରେ ଏବେ ମଧ୍ୟ ପାଖାପାଖି ୩୦୦ ମିଲିୟନ ମୋବାଇଲ ଗ୍ରାହକ ୨ଜି ଯୁଗରେ ଫସି ରହିଛନ୍ତି। ଏମାନଙ୍କ ପାଇଁ କିଛି ନୀତିଗତ ପଦକ୍ଷେପ ଉଠାଇବା ଆବଶ୍ୟକ ଯେପରି ଏମାନେ ମଧ୍ୟ ଡିଜିଟାଲ ସେବାର ଲାଭ ଉଠାଇ ପାରିବେ।

ସିଓଏଆଇ କହିଛି ଯେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଟେଲିକମ ରାଜ୍ୟମନ୍ତ୍ରୀ ସଞ୍ଜୟ ଢ଼ୋତ୍ରେ ତଥା ଟେଲିକମ ସଚିବ ଅନଶୁ ପ୍ରକାଶ ଉଦଘାଟନ ଉତ୍ସବରେ ଉପସ୍ଥିତ ରହିବେ। ଏହା ବ୍ୟତୀତ ୩୦ ରୁ ଅଧିକ ଦେଶ, ୨୧୦ ଜାତୀୟ ତଥା ଆନ୍ତର୍ଜାତୀୟ ବକ୍ତା, ପ୍ରଦର୍ଶନୀରେ ସାମିଲ ହେବାକୁଥିବା ୧୫୦ ୟୁନିଟ୍ ଏବଂ ୩ ହଜାରରୁ ଅଧିକ ପ୍ରତିନିଧୀ ଇଣ୍ଡିଆନ ମୋବାଇଲ କଂଗ୍ରେସରେ ସାମିଲ ହେବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.