ଚୀନର ମହାଧନୀଙ୍କୁ ପଛରେ ପକାଇ ଅରବପତିଙ୍କ ଲିଷ୍ଟରେ ଚମକିଲେ ଅମ୍ବାନୀ ଏବଂ ଅଦାନୀ, ଅଧିକାର କଲେ ଏହି ସ୍ଥାନ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ  ୯/୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ଏବଂ ଅଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ଅଦାନୀ ଚୀନର ମହାଧନୀଙ୍କୁ ପଛରେ ପକାଇ ବିଶ୍ବ ଧନୀ ତାଲିକାରେ ଚମକିଛନ୍ତି । ସବୁଠୁ ବଡ଼ ଧନୀ ବ୍ୟବସାୟୀଙ୍କ ଲିଷ୍ଟରେ ମୁକେଶ ଅମ୍ବାନୀ ୧୨ ତମ ସ୍ଥାନରେ ପହଞ୍ଚିଥିବା ବେଳେ ଅଦାନୀ ୧୪ ତମ ସ୍ଥାନରେ ପହଞ୍ଚିଛନ୍ତି। ବ୍ଲୁମ୍‌ବର୍ଗ ଲିଷ୍ଟ ଅନୁସାରେ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୪ ଅରବ ଡଲାର ହୋଇଥିବା ବେଳେ କଠିନ ପରିଶ୍ରମ ସହ ଅଦାନୀ ନିଜର ସମ୍ପତ୍ତି ୭୮ ଅରବ ଡଲାର କରିଛନ୍ତି।

ଦୁଇ ଜଣ ଚୀନ ବ୍ୟବସାୟୀଙ୍କୁ ପଛରେ ପକାଇଛନ୍ତି। ପୂର୍ବରୁ ଚୀନର ଜ୍ୟାକ୍‌ ମା  ଭାରତର ବ୍ୟବସାୟୀଙ୍କୁ ଟପିଯାଇଥିଲେ। କିନ୍ତୁ ଏବେ ପଛରେ ପଡ଼ିଯାଇଛନ୍ତି। କରୋନା କାଳରେ ଭାରତର ଅର୍ଥନୀତି କ୍ଷତି ସହିଥିବା ବେଳେ ଅମ୍ବାନୀ ଏବଂ ଅଦାନୀ ନିଜର ବ୍ୟବସାୟ ବଢ଼ାଇଛନ୍ତି। ଏବେର ଲିଷ୍ଟ ଦେଖିଲେ ଶୀର୍ଷରେ ଆମେରିକୀୟ ବ୍ୟବସାୟୀଙ୍କ ଦବଦବା ଦେଖିବାକୁ ମିଳିଛି। ଫ୍ରାନ୍ସ ନାଗରିକ ବର୍ଣ୍ଣାଡ୍‌ ଅର୍ନଲ୍ଟ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଦୁନିଆର ସବୁଠୁ ଧନୀ ମହିଳା ଫ୍ରେଙ୍କୋଇସ୍‌ ବେଟେନକର୍ଟ ଦଶମ ସ୍ଥାନ ନେଇଛନ୍ତି। ଲିଷ୍ଟରେ ଆମଜନ ମାଲିକ ଜେଫ ବେଜୋସ୍‌ ୧୯୦ ଅରବ ଡଲାର ସମ୍ପତ୍ତି ସହ ଶୀର୍ଷ ସ୍ଥାନରେ କାଏମ ଅଛନ୍ତି। ଟେସଲା ଏବଂ ସ୍ପେସ୍‌ ଏକ୍ସର ମାଲିକ ଏଲନ ମସ୍କ ତୃତୟ ସ୍ଥାନରେ ଥିବା ବେଳେ ଚତୁର୍ଥ ସ୍ଥାନରେ ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ରହିଛନ୍ତି।

ଓ୍ବିପ୍ରୋର ଅଜିଜ୍‌ ପ୍ରେମଜୀ ଏହି ତାଲିକାରେ ୪୩ ତମ ସ୍ଥାନରେ ଅଛନ୍ତି। ଏଚସିଏଲ୍‌ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଶିବ ନାଡାର ୭୦ ତମ ସ୍ଥାନରେ ରହିଥିବା ବେଳେ ଚୀନ କମ୍ପାନୀ ଅଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ୨୭ ତମ ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.