ସୁମା ରିଅଲ୍ ମିଡିଆର ତୃତୀୟ ଅବଦାନ ‘ଓ୍ୱୁହାନରୁ ଓଡିଶା’ : ଦମ୍ଦାର ଶୁଭମହୁରତ ସହ ଆରମ୍ଭ ହେଲା ସିନେମା ସୁଟିଂ
24/02/2021 at 1:48 PM

ଭୁବନେଶ୍ୱର ୨୪।୦୨: ‘ଓ୍ୱୁହାନରୁ ଓଡିଶା’ ଚଳଚ୍ଚିତ୍ରର ଶୁଭ ମହୁରତ । ସୁମା ରିଅଲ ମିଡିଆର ଏହା ତୃତୀୟ ଅବଦାନ । ଯାହାକି ସୋଆର ଦ୍ୱିତୀୟ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି । କ୍ଲାପ ନେଇ ସିନେମାର ଶୁଭ ମହୁରତ ଆରମ୍ଭ କରିଥିଲେ ସୋଆ କୁଳପତି ପ୍ରଫେସର ଅଶୋକ ମହାପାତ୍ର ।

ଗଣମାଧ୍ୟମ ସହ ସାମାଜିକ ସଚେତନତା ଭିତ୍ତିକ ମନୋରଞ୍ଜନରେ ପାଠକ, ଦର୍ଶକ ତଥା ଜନସାଧାରଣଙ୍କ ବିଶ୍ୱାସ ଜିତିଥିବା ସୁମା ରିଅଲ ମିଡିଆର ତୃତୀୟ ଅବଦାନ ‘ଓ୍ୱୁହାନରୁ ଓଡିଶା’ । କୋଭିଡ଼ ମହାମାରୀ, ତାହାର ମୁକାବିଲା ଏବଂ କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗକୁ ନେଇ ନିର୍ମିତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ସୁନୀଲ ଦାସ । ସିନେମାଟିରେ ଆଗଧାଡିର ଓଡିଆ ସିନେ ନିର୍ଦ୍ଦେଶକ ସଂଜୟ ନାୟକ । ସିନେମାନର କାହାଣୀ ଦିଲ୍ଲୀପ ଦାସ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବସନ୍ତରାଜ ସାମଲ । ଷ୍ଟାରକାଷ୍ଟରେ ବର୍ତ୍ତମାନ ସୁଦ୍ଧା ଅଭିଜିତ୍, ଲିପିକା, ବିରଜା ଦାସ, ପ୍ରଦ୍ୟୁମ ଲେଙ୍କା, କୁନା ତ୍ରିପାଠୀ, ଗୁଡୁ, ସସ୍ମିତା ପ୍ରଧାନ, ବିଜୁ ବଡ଼ଜେନା ପ୍ରମୁଖ ନାମ ଚୂଡ଼ାନ୍ତ ହୋଇଛି ।

ସୋଆର ଦ୍ୱିତୀୟ କ୍ୟାମ୍ପସ ଅଡିଟୋରିୟମରେ ଅନୁଷ୍ଠିତ ମହୁରତ ଉତ୍ସବରେ ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ସୁମା ରିଅଲ ମିଡିଆର ସିଇଓ ସୁନୀଲ ଦାସ, ନ୍ୟୁଜ ସେଲସ୍ ଡାଇରେକ୍ଟର ହିଂମାସୁ ହୋତା, ସୋଆ ଡିନ୍ ଜ୍ୟୋତିପ୍ରକାଶ ଦାସ, ନ୍ୟୁଜ ସେଭେନ୍ ଓ୍ୱାର୍କିଂ ଏଡିଟର ଦେବନାରାୟଣ ସେଠୀ, ପ୍ରମେୟ ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆଁରଙ୍କ ସହ ଶିକ୍ଷା ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ ଯେ, ସୁମା ରିଅଲ ମିଡିଆ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ପ୍ରଥମ ଚଳଚ୍ଚିତ୍ର ‘ଫେରିଆ’ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛି । ବିଭିନ୍ନ ବର୍ଗରେ ‘ଫେରିଆ’କୁ ୮ଟି ପୁରସ୍କାର ମିଳିଥିଲା । ସେହିପରି ସୁମା ରିଅଲ ମିଡିଆର ଦ୍ୱିତୀୟ ଅବଦାନଟି ହେଉଛି ସଂଜୟ ନାଏକଙ୍କ ନିର୍ଦ୍ଦେଶିତ “ ମନ ମୋ ନେଇଗଲୁରେ ” । ତାହା ଏବେ ରିଲିଜ ଅପେକ୍ଷାରେ । ସଚେତନତା ଓ ମନୋରଞ୍ଜନ ସହ ଶକ୍ତିଶାଳୀ ସାମାଜିକ ବାର୍ତ୍ତା ଦେବା ଲକ୍ଷ୍ୟରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ସୁମା ରିଅଲ ମିଡିଆ, ତାହାର ତୃତୀୟ ଚଳଚ୍ଚିତ୍ର ‘ଓ୍ୱୁହାନରୁ ଓଡିଶା’କୁ ସେହି ଆଭିମୁଖ୍ୟ ସହ ଶୀର୍ଷ ଛୁଇଁବାକୁ ଲକ୍ଷ୍ୟ ରଖିଛନ୍ତି ।