MSME ଅନ୍ତର୍ଜାତୀୟ ମେଳା ୨୦୨୧: ଶ୍ରେଷ୍ଠ ଷ୍ଟଲ ଭାବେ ‘ରୁଚି’ ସମ୍ବର୍ଦ୍ଧିତ

Published By : Prameya-News7 Bureau | March 10, 2021 IST

ବୁଧବାର ୧୦/୦୩:  ଓଡ଼ିଶା ସରକାରଙ୍କ ଦ୍ବାରା ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ “ଏମ.ଏସ.ଏମ.ଇ ଅନ୍ତର୍ଜାତୀୟ ମେଳା - ୨୦୨୧”ରେ ‘ରୁଚି’ ଶ୍ରେଷ୍ଠ ଷ୍ଟଲ୍ ଭାବେ ବିବେଚିତ ହୋଇଛି। ଏଥିପାଇଁ ମଙ୍ଗଳବାର ସନ୍ଧ୍ୟାରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ  ରୁଚି ଉଦ୍ୟୋଗକୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ମେଳାରେ ରୁଚିକୁ ସମୟାନୁବର୍ତ୍ତିତା, ଆକର୍ଷଣୀୟ ଷ୍ଟଲ୍‌, ଉତ୍ତମ ପରିଚାଳନା, ଦର୍ଶକୀୟ ପସନ୍ଦ ଓ ସ୍ବତନ୍ତ୍ର ଆତିଥେୟତା ପାଇଁ ଏହି ପୁରଷ୍କାର ମିଳିଛି ।

ଚଳିତବର୍ଷ ମାର୍ଚ୍ଚ ୫ ତାରିଖରେ ଏହି ଅନ୍ତର୍ଜାତୀୟ ମେଳା ଉଦ୍‌ଘାଟିତ ହୋଇଥିବା ବେଳେ ରୁଚି ଷ୍ଟଲକୁ ଉଦ୍‌ଘାଟନ କରିଥିଲେ ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ନିର୍ଦ୍ଦେଶିକା ରଶ୍ମି ସାହୁ। ୫ ଦିନ ବ୍ୟାପୀ ଏହି ମେଳାରେ ଓଡିଶାର କୋଣ ଅନୁକୋଣରୁ ବହୁ ଦର୍ଶକ, ଛାତ୍ରଛାତ୍ରୀ, ଯୁବ ଓ ବରିଷ୍ଠ ଉଦ୍ୟୋଗୀ ଯୋଗଦେଇ ବିଭିନ୍ନ ମଣ୍ଡପ ବା ଷ୍ଟଲ୍ ପରିଦର୍ଶନ କରିଥିବା ବେଳେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ରୁଚିର ନିଆରା ଷ୍ଟଲ୍ । ପ୍ରତ୍ୟେକ ଦିନ ଆସୁଥିବା ଲୋକମାନଙ୍କୁ ସ୍ବତନ୍ତ୍ର ଆତିଥେୟତା ସହ ବିଭିନ୍ନ ଗିଫ୍ଟ ମଧ୍ୟ ପ୍ରଦାନ କରାଯାଇଥିଲା

ମାର୍ଚ୍ଚ ୮ତାରିଖରେ ରୁଚି ଷ୍ଟଲ୍ ପରିଦର୍ଶନ ପାଇଁ ସୂଦୁର ଆମେରିକାରୁ ଓଡିଆ ଉଦ୍ୟୋଗୀ ସୋମଦତ୍ତ ବେହେରା ଓ ତାଙ୍କ ସାଥୀମାନେ ଆସିଥିବାବେଳେ ରୁଚିର ଅର୍ଗାନିକ୍ ଦ୍ରବ୍ୟ ଏବଂ ବିଭିନ୍ନ ପ୍ରିମିୟମ୍ ଦ୍ରବ୍ୟ ଦେଖି ଖୁସି ହେବା ସହ ଆଗାମୀ ଭବିଷ୍ୟତରେ ରୁଚି ସହ ଅନୁବନ୍ଧିତ ହୋଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଆଗେଇନବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏତଦ୍ ବ୍ୟତୀତ ଅନେକ ମାନ୍ୟଗଣ୍ୟ ଉଦ୍ୟୋଗୀ ଓ ବ୍ୟକ୍ତିବିଶେଷମାନେ ଏହି ଷ୍ଟଲ୍ ପରିକ୍ରମା କରିଥିଲେ ।

ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ  ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ରୁଚି ପକ୍ଷରୁ ମାନସ ରଂଜନ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର ମାର୍କେଟିଙ୍ଗ ମୁଖ୍ୟ ଦେବବ୍ରତ ପଟ୍ଟନାୟକ, ସୂଚନା ଅଧିକାରୀ ଡ. ନିହାର ରଞ୍ଜନ ସାହୁ, ଆ.ଇ.ଟି ମୁଖ୍ୟ  ସୁରେନ୍ଦ୍ର ମହାନ୍ତି ଓ ଆଲୋକ ଦାସ ପ୍ରମୁଖ ସହଯୋଗ କରିଥିଲେ । ତେବେ ହ୍ବାଇଟ୍ କାନଭାସ୍ ଇଭେଣ୍ଟସ୍ ପକ୍ଷରୁ ଏହି ଷ୍ଟଲ୍ ନିର୍ମାଣ କରାଯାଇଥିଲା ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.