IPL ରଦ୍ଦ ହେଲେ ବି ଧୋନୀଙ୍କୁ ମିଳିବ ଶେଷ ସୁଯୋଗ, କୋଚ୍ଙ୍କ ଦୃଢୋକ୍ତି
27/03/2020 at 9:40 PM

କୋଲକାତା ୨୭।୦୩: ମହାମାରୀ ଘୋଷିତ ହୋଇ ସାରିଥିବା କୋଭିଡ୍ ୧୯ କାରଣରୁ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନୀଙ୍କ ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହେଉଥିବା ଆଶା ଲାଗୁ ନାହିଁ। ମାତ୍ର ତାଙ୍କ ପିଲା ବେଳର କୋଚ୍ କେଶବ ରଞ୍ଜନ ବାନାର୍ଜୀ ଆଶା ରଖିଛନ୍ତି ଯେ, ଧୋନୀଙ୍କୁ ଟି ୨୦ ବିଶ୍ଵକପରେ ସୁଯୋଗ ମିଳିପାରେ। ଆଇପିଏଲ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା, ମାତ୍ର କରୋନା ଭାଇରସ୍ର ପ୍ରକୋପ କାରଣରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ବ୍ୟତୀତ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଯୋଗୁଁ ଏହା ଆହୁରି ଘୁଞ୍ଚିବାର ପୂରା ସମ୍ଭାବନା ରହିଛି।
ଧୋନୀ ଗତ ବର୍ଷ ଜୁଲାଇରେ ବିଶ୍ଵ କପ୍ ସେମି ଫାଇନାଲରେ ଭାରତର ପରାଜୟ ପରଠୁ କ୍ରିକେଟ୍ରୁ ଦୂରେଇ ରହିଛନ୍ତି। ବାନାର୍ଜୀ ରାଞ୍ଚିରୁ କହିଛନ୍ତି ଯେ, ସଂପ୍ରତି ପରିସ୍ଥିତିକୁ ଦେଖିଲା ଚଳିତ ବର୍ଷ ଆଇପିଏଲ ଆୟୋଜନ ଆଶା ଖୁବ୍ କମ ରହିଛି। ଆମକୁ ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡିବ। ସଂପ୍ରତି ଧୋନୀଙ୍କ ସ୍ଥିତି କଠିନ ରହିଛି ଏବଂ ମୋର ଅନୁଭବ କହୁଛି ଯେ, ତାଙ୍କୁ ଟି-୨୦ ବିଶ୍ଵକପରେ ଖେଳିବାକୁ ସୁଯୋଗ ମିଳିବ ଯାହା ତାଙ୍କର ଶେଷ ବିଶ୍ଵକପ୍ ହେବ।
ଭାରତର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପୂର୍ବରୁ କହିଥିଲେ ଯେ, ଆଇପିଏଲରେ ହିଁ ଧୋନୀଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ହେବ। ଆଇପିଏଲ ଘୁଞ୍ଚିବା ସମ୍ଭାବନା ମଧ୍ୟରେ ସୁନିଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ଵାଗଙ୍କ ପରି ବରିଷ୍ଠ ଖେଳାଳି ଦୁଇ ଥରର ବିଶ୍ଵକପ୍ ବିଜେତା ଅଧିନାୟକଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶ୍ନ ଉଠାଇଥିଲେ।