ଇଂଲଣ୍ଡର ସିଖ୍ କ୍ରିକେଟର ମଣ୍ଚି ପାନେସର ଖୋଲିଲେ ପୁରୁଣା ଗୁମର, 'ଧୋନୀ ହିନ୍ଦୀରେ ଭାରତୀୟ ବୋଲରଙ୍କୁ କହୁଥିବା କଥା ମୁଁ ଶୁଣିଥିଲି, କିନ୍ତୁ ନ ବୁଝିଲା ଭଳି ଅଭିନୟ କରୁଥିଲି'

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ, ୨୭୦୮: ଗତ କିଛି ଦିନ ତଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଦଳ ତରଫରୁ ଓ୍ୱିକେଟ୍ କିପିଂ କରିଥାନ୍ତି । କିନ୍ତୁ ତାଙ୍କ ନଜର ବ୍ୟାଟସମ୍ୟନ୍, ଫିଲ୍ଡର ଓ ବୋଲରଙ୍କ ଉପରେ ଲଗାତାର ଭାବେ ରହିଥାଏ । ସେ ଓ୍ୱିକେଟ ପଛରେ ରହୁଥିଲେ ମଧ୍ୟ ବୋଲର୍ କିପରି ବୋଲିଂ କରିବା ଆବଶ୍ୟକ, ବ୍ୟାଟସମ୍ୟାନ୍ କିପରି ଭାବେ ଖେଳିବାକୁ ଯାଉଛନ୍ତି ତାହା ମଧ୍ୟ ବୋଲରଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି । ଏପରିକି ବୋଲରଙ୍କୁ ମଧ୍ୟ କିପରି ବୋଲିଂ କରିବା ଦରକାର କହିଥାନ୍ତି ।

ଅନ୍ତର୍ଜାତୀୟ ମ୍ୟାଚରେ ଧୋନୀ ପ୍ରାୟତଃ ହିନ୍ଦିରେ କଥା ହୋଇଥାନ୍ତି । କାରଣ ବିପକ୍ଷ ଦଳର ଖେଳାଳି ହିନ୍ଦୀ ବୁଝିପାରି ନଥାନ୍ତି । କିନ୍ତୁ ଇଂଲଣ୍ଡର ଖେଳାଳି ମଣ୍ଟି ପାନେସର୍ ହିନ୍ଦୀରେ ବୋଲରଙ୍କୁ କୁହାଯାଉଥିବା ଯୋଜନାକୁ ବୁଝିପାରିଥିଲେ । ଏପରିକି ଅଜଣା ଭାବେ ଅଭିନୟ କରିଥିଲେ । ପାନେସର ଭାରତ ବିରୋଧରେ ଚାରି ମ୍ୟାଚର ଟେଷ୍ଟ ସିରିଜ ଖେଳିଥିଲେ । ଧୋନୀ ମଧ୍ୟ ଏହି ସିରିଜରେ ସାମିଲ ଥିଲେ । ଇଂଲଣ୍ଡ ଟିମ୍  ଧୋନୀଙ୍କ ରଣନୀତି ବୁଝିପାରୁ ନଥିଲା । କିନ୍ତୁ ପାନେସର ଗୋଟିଏ ଶବ୍ଦ ବୁଝୁଥିଲେ ଯାହା ଧୋନୀ ହିନ୍ଦୀରେ କହୁଥିଲେ ।

ଟାଇମ୍ସ ଅଫ୍ ଇଣ୍ଡିଆ ସହ ଆଲୋଚନାରେ ପାନେସର କହିଛନ୍ତି ଯେ, ଧୋନୀ ଅଧିକ କିଛି କହି ନଥାନ୍ତି । ସେ ଭଲ ଭାବେ ଅନୁମାନ ଲଗାଇ ପାରନ୍ତି । ଆପଣ ତାଙ୍କୁ କିଛି କହିଲେ ସେ ଜବାବ ଦିଅନ୍ତି ନାହିଁ । ଏକଦା ଧୋନୀ ବୋଲରଙ୍କୁ ଓ୍ୱିକେଟ ପଛରେ ରହି ଟିପସ୍ ଦେଉଥିଲେ । ସେ ସ୍ପିନରଙ୍କୁ ବଲ୍ ଟିକିଏ ଓ୍ୱାଇଡ୍ କରି ପକାଇବାକୁ ଓ ସିଧା ଷ୍ଟମ୍ପ ଆଗରେ ରଖିବାକୁ କହିଥିଲେ । ଏପରିକି ସେ କ୍ରସ୍ ଲିଙ୍କରେ ଛକା ମାରିବେ ବୋଲି ଧୋନୀ କହିଥିଲେ । ଏହା ପାନେସର ବୁଝିପାରି ଥିଲେ ।

ପାନେସର କହିଛନ୍ତି ଯେ, ଧୋନୀ ଯାହା କହୁଥିଲେ ସେ ବୁଝିପାରୁ ଥିଲେ । କାରଣ ସେ ହିନ୍ଦୀ ଓ ପଞ୍ଜାବୀ ବୁଝିପାରନ୍ତି । କିନ୍ତୁ ଧୋନୀ ଭାବିଥିଲେ ଯେ ସେ କିଛି ବୁଝନ୍ତି ନାହିଁ । ସୂଚନାଯୋଗ୍ୟ, ପାନେସରଙ୍କ ପିତା ୧୯୭୯ରେ ପଞ୍ଜାବରୁ ଇଂଲଣ୍ଡ ଚାଲିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.