୭ ନମ୍ବରରେ ଯାଦୁଗର ଥିଲେ ଧୋନୀ, ଜାଣନ୍ତୁ ଧୋନୀଙ୍କ ସେହି ରେକର୍ଡ ଯାହା ତାଙ୍କୁ ସମସ୍ତଙ୍କଠୁ କରିଥାଏ ଭିନ୍ନ

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୦୮: ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ମହେନ୍ଦ୍ର ସିଂହ ଧୋନୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ଗ୍ରହଣ କରିଛନ୍ତି। ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଏମଏସ ଧୋନୀ ଲେଖିଛନ୍ତି ଆପଣ ସମସ୍ତଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ବହୁତ ଧନ୍ୟବାଦ। ଆଜି ସନ୍ଧ୍ୟା ୭ଟା ୨୯ ମିନିଟ୍‌ରୁ ମୁଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଉଛି। ନିଜର ଏହି ପୋଷ୍ଟ ସହିତ ଧୋନୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ରାଞ୍ଚିର ଏକ ଛୋଟ ପରିବାରରୁ ଆସି କ୍ରିକେଟ୍ ଦୁନିଆରେ ଛାଇ ଯାଇଥିବା ମହେନ୍ଦ୍ର ସିଂହ ଧୋନୀ ଏକ ସାଧାରଣ ପରିବାରରୁ ବଢିଛନ୍ତି। ତାଙ୍କୁ ଅନେକ ପ୍ରକାରର ଅସୁବିଧା ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ମାତ୍ର ତାଙ୍କ ମାର୍ଗରେ ଏହି ସବୁ ପ୍ରତିବନ୍ଧକ ବାଧା ଦେଇପାରିନଥିଲା।

ମହେନ୍ଦ୍ର ସିଂହ ଧୋନୀ ଟିମ୍ ଇଣ୍ଡିଆକୁ ସେହି ସବୁ ଟାଇଟଲ୍‌ ଦେଇଛନ୍ତି, ଯାହାକୁ କ୍ରିକେଟ୍ ଦୁନିଆରେ ସର୍ବଶ୍ରେଷ୍ଠ କୁହାଯାଏ। ତାଙ୍କ ନାମରେ ଅନେକ ଏମିତି ରେକର୍ଡ ରହିଛି, ଯାହା ମାହିଙ୍କ ଅନ୍ୟ ଖେଳାଳିଙ୍କଠୁ ଭିନ୍ନ  କରିଥାଏ। ଧୋନୀଙ୍କ ଲକି ନମ୍ବର ୭ ରହିଛି, ଏମିତିରେ ତାଙ୍କର କିଛି ଖାସ୍ ରେକର୍ଡ ଉପରେ ନଜର ପକାନ୍ତୁ…

୧-  ସପ୍ତମ ନମ୍ବରରେ ବ୍ୟାଟିଂ ହାସଲ କଲେ ଏହି ସଫଳତା

କ୍ୟାରିୟର ଆରମ୍ଭରେ ଧୋନୀ ଟପ୍ ଅର୍ଡରରେ ବ୍ୟାଟିଂ କରୁଥିଲେ। ମାତ୍ର  ସେ ଅଧିନାୟକ ହେବା ପରଠୁ ନିମ୍ନ କ୍ରମରେ ବ୍ୟାଟିଂ କରିବାକୁ ଲାଗିଲେ। ୭ମ ନମ୍ବରରେ ବ୍ୟାଟିଂ କରି ଧୋନୀଙ୍କ ନାମରେ ଦିନିକିଆରେ ସର୍ବାଧିକ ଶତକ ଲଗାଇବାର ରେକର୍ଡ ରହିଛି। ସେ ଏହି କ୍ରମରେ ଦୁଇଟି ଶତକ ଅର୍ଜନ କରିଛନ୍ତି। ଗୋଟିଏ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଏବଂ ଦ୍ଵିତୀୟ ଏସିଆ ଏକାଦଶ ପକ୍ଷରୁ ଆଫ୍ରିକା ଏକାଦଶ ବିପକ୍ଷରେ।

୨ – ଛକାର ବାଦଶାହା ମାହି

ପଡିଆରେ ଲମ୍ବା ଲମ୍ବା ଛକା ମାରିବାରେ ଧୋନୀଙ୍କ ସ୍ଵତନ୍ତ୍ର ପରିଚୟ ଥିଲା। ଧୋନୀ ମୋଟ୍ ୩୫୯ଟି ଛକା ମାରିଛନ୍ତି। ଏଥିରୁ ୨୨୯ ଛକା ଦିନିକିଆରେ। ଧୋନୀ ଦିନିକିଆରେ ସର୍ବାଧିକ ଛକା ମାରିବାରେ ଭାରତୀୟ ବ୍ୟାଟସମ୍ୟାନ। ଏମିତି ଅନେକ ଥର ସେ ଛକା ମାରି ଭାରତକୁ ଜିତାଇଛନ୍ତି। ୨୦୧୧ ବିଶ୍ଵକପ୍ ଫାଇନାଲର ଛକା କେହି କେମିତି ହେଲେ ଭୁଲି ପାରିବ।

୩ – ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ସବୁଠୁ ଅଧିକ ଷ୍ଟମ୍ପିଂ

ଧୋନୀ ଯେତେ ଚତୁର ବ୍ୟାଟସମ୍ୟାନ ଥିଲେ ଓ୍ଵିକେଟ୍ ପଛରେ ସେତିକି ଦମଦାର ଓ୍ଵିକେଟ୍ କିପିଂ କରୁଥିଲେ। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ଧୋନୀଙ୍କ ନାମରେ ୧୯୫ ଷ୍ଟମ୍ପିଂରେ ରେକର୍ଡ ରହିଛି। ଧୋନୀ ମୋଟ୍ କ୍ୟାଚ୍ ଓ ଷ୍ଟମ୍ପିଂକୁ ମିଶାଇ ୮୨୯ ଶିକାର କରିଛନ୍ତି।

୪ – ଓ୍ଵିକେଟ୍ କିପର ଭାବେ ଗୋଟିଏ ଇନିଂସରେ ସର୍ବାଧିକ ରନ୍

ଜଣେ ଓ୍ଵିକେଟ୍ କିପର ଭାବେ ଗୋଟିଏ ଇନିଂସରେ ସବୁଠୁ ଅଧିକ ରନ କରିବାର ରେକର୍ଡ ଧୋନୀଙ୍କ ନାମରେ ରହିଛି। ଧୋନୀ ୨୦୦୫ରେ ଜୟପୁରରେ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ କରିଥିଲେ। ଏହା ଧୋନୀଙ୍କ ଦିନିକିଆରେ ସର୍ବଶ୍ରେଷ୍ଠ ସ୍କୋର ମଧ୍ୟ। ଏହା ବ୍ୟତୀତ ଟେଷ୍ଟରେ ସେ ଦ୍ଵିତଶକ ଅଷ୍ଟ୍ରେଲିଆ ବିରୋଧରେ ଅର୍ଜନ କରିଛନ୍ତି।

୫ – ଅନ୍ତରାଷ୍ଟ୍ରୀୟ ଟି-୨୦ରେ ସବୁଠୁ ଅଧିକ ବିଜୟ

ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଅନେକ ରେକର୍ଡ ରହିଛି। ଏଥିରେ ଟି-୨୦ରେ ସବୁଠୁ ଅଧିକ ବିଜୟ ରହିଛି। ଧୋନୀ ୭୨ଟି ଟି-୨୦ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି ଏବଂ ଦଳକୁ ୪୧ଟିରେ ବିଜୟୀ କରାଇଛନ୍ତି। ଭାରତ ଦିନିକିଆରେ ମଧ୍ୟ ସବୁଠୁ ଅଧିକ ମ୍ୟାଚ୍‌ ଧୋନୀଙ୍କ ଅଧିନାୟକତ୍ଵରେ ହିଁ ଜିତିଛି।

ଏହା ବ୍ୟତୀତ ଅଧିନାୟକ ଭାବେ ସମସ୍ତ ଆଇସିସି ଟ୍ରଫି ଜିତିବା, ଭାରତକୁ ଏକ ନମ୍ବର ଟିମ୍ କରିବା, ଅନେକ ମ୍ୟାଚ୍‌ରେ ଟିମ୍‌କୁ ପରାଜୟର ଦ୍ଵାରଦେଶରୁ ଆଣି ବିଜୟୀ କରାଇବା ଏମିତି ଅନେକ ରେକର୍ଡ ଧୋନୀଙ୍କ ନାମରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.