ଧୋନୀ ଏକମାତ୍ର ଅଧିନାୟକ, ଯିଏ ICC ର ତିନୋଟି ବଡ ଟ୍ରଫି ଜିତିଛନ୍ତି

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୦୮: ଭାରତକୁ ଦୁଇ ଦୁଇଟି ବିଶ୍ଵକପ୍ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ତଥା ଅନୁଭବୀ ଓ୍ଵିକେଟେ୍ କିପର ବ୍ୟାଟସମ୍ୟାନ ୩୯ ବର୍ଷୀୟ ମହେନ୍ଦ୍ର ସିଂହ ଧୋନୀ ଶେଷରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ବିଦାୟ ନେଇଛନ୍ତି। ସେ ଶନିବାର ୧୬ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଉପରେ ବିରାମ ଲଗାଇଛନ୍ତି। ଧୋନୀ ୨୦୧୪ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। କିନ୍ତୁ ଧୋନୀ ଆଇପିଏଲ ଖେଳ ଜାରି ରଖିବେ। ତେଣୁ ତାଙ୍କର ପ୍ରଶଂସକ ଧୋନୀଙ୍କୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ପାଇ ପାରିବେ।

ମହେନ୍ଦ୍ର ସିଂହ ଧୋନୀ ଏହା ପୂର୍ବରୁ ୨୦୧୪ ଡିସେମ୍ବର ମାସରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଧୋନୀ ଭାରତ ପାଇଁ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣରେ ଖେଳିଥିଲେ। ଏହି ପରି ଧୋନୀ ନିଜର ଶେଷ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ୨୦୧୯ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ବେଙ୍ଗାଲୁରୁରେ ଖେଳିଥିଲେ। ୨୦୧୯ ଜୁଲାଇ ୯-୧୦ରେ ଖେଳା ଯାଇଥିବା ବିଶ୍ଵ କପ୍ ସେମି ଫାଇନାଲ ମ୍ୟାଚ୍ ଧୋନୀଙ୍କ ଶେଷ ଦିନିକିଆ ମ୍ୟାଚ୍‌ ଥିଲା।

୧୯୮୧ ଜୁଲାଇ ୭ରେ ଜନ୍ମିତ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟିଂରେ ବୟସର ଛାପ ଦେଖିବାକୁ ମିଳିଥିଲା। ଧୋନୀଙ୍କୁ କ୍ରମାଗତ ନିଜର ମନ୍ଥର ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେବାକୁ ପଡିଥିଲା।

ବିଶ୍ଵକପ୍-୨୦୧୯ରେ ମହେନ୍ଦ୍ର ସିଂହ ଧୋନୀ ୯ଟି ମ୍ୟାଚ୍‌ର ୮ଟି ଇନିଂସରେ ୪୫.୫୦ ହାରରେ ୨୭୩ ରନ କରିଛନ୍ତି। ଏଥିରେ ୨ ଟି ଅର୍ଦ୍ଧଶତକ ସାମିଲ। ଏହି ସମୟରେ ଧୋନୀ ନିଜର ବ୍ୟାଟିଂ ପାଇଁ ମଧ୍ୟ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା।

ଧୋନୀ ବିଶ୍ଵ କ୍ରିକେଟ୍‌ରେ ଏକ ମାତ୍ର ଅଧିନାୟକ ଯିଏ ଆଇସିସିର ତିନୋଟି ବଡ ଟ୍ରଫି  ଜିତିଛନ୍ତି। ଧୋନୀଙ୍କ ଅଧିନାୟକତ୍ଵରେ ଟିମ୍ ଇଣ୍ଡିଆ ଆଇସିସି ବିଶ୍ଵ ଟି-୨୦(୨୦୦୭), କ୍ରିକେଟ୍  ବିଶ୍ଵ କପ୍(୨୦୧୧) ଓ ଆଇସିସି ଚମ୍ପିଆନ୍ସ ଟ୍ରଫି(୨୦୧୩) ଜିତିଛି। ଏହା ବ୍ୟତୀତ ଭାରତ ୨୦୦୯ରେ ପ୍ରଥମ ଥର ଟେଷ୍ଟରେ ଏକ ନମ୍ବର ମାନ୍ୟତା  ହାସଲ କରିଥିଲା।

ଅଧିନାୟକ ଭାବେ ଧୋନୀଙ୍କ ଉପଲବ୍ଧି

୧  କ୍ରିକେଟ୍ ବିଶ୍ଵ କପ୍(୨୦୧୧)

୧  ଟି-୨୦ ବିଶ୍ଵ କପ୍‌(୨୦୦୭)

୧  ଚମ୍ପିଆନ୍ସ ଟ୍ରଫି(୨୦୧୩)

୩ ଆଇପିଏଲ ଟାଇଟଲ୍(୨୦୧୦, ୨୦୧୧, ୨୦୧୮)

୨ ଚମ୍ପିଆନ୍ସ ଲିଗ୍ ଟି-୨୦ ଟାଇଟଲ୍‌(୨୦୧୦, ୨୦୧୪)

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପ୍ରଦର୍ଶନ

୧୦,୭୭୩ ଦିନିକିଆ ରନ, ଓ୍ଵିକେଟ୍ ପଛରେ ୪୪୪ ଶିକାର

୪୮୭୬ ଟେଷ୍ଟ ରନ, ଓ୍ଵିକେଟ୍ ପଛରେ ୨୯୪ ଶିକାର

୧୬୧୭ ଟି-୨୦ ଅନ୍ତରାଷ୍ଟ୍ରୀୟ ରନ, ଓ୍ଵିକେଟ୍ ପଛରେ ୯୧ ଶିକାର

ଦିନିକିଆରେ ପ୍ରଦର୍ଶନ

ମହେନ୍ଦ୍ର ସିଂହ ଧୋନୀ ଭାରତ ପାଇଁ ୩୫୦ ଦିନିକିଆ ମ୍ୟାଚ୍‌ରେ ୫୦.୫୭ ହାରରେ ୧୦,୭୭୩ ରନ କରିଛନ୍ତି। ଏଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ସାମିଲ। ଦିନିକିଆରେ ସର୍ବୋଚ୍ଚ ସ୍କୋର ଅପରାଜିତ ୧୮୩।

ଟେଷ୍ଟ ମ୍ୟାଚ୍‌ରେ ପ୍ରଦର୍ଶନ

ମହେନ୍ଦ୍ର ସିଂହ ଧୋନୀ ଭାରତ ପକ୍ଷରୁ ୯୦ଟି ଟେଷଟ୍ ମ୍ୟାଚ୍‌ ଖେଳି ୩୮.୦୯ ହାରରେ ୪୮୭୬ ରନ କରିଛନ୍ତି। ଏଥିରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ। ଏହି ସମୟରେ ତାଙ୍କର ସର୍ବାଧିକ ସ୍କୋର ୨୨୪ ରନ।
ଟି-୨୦ ଅନ୍ତରାଷ୍ଟ୍ରୀୟରେ ପ୍ରଦର୍ଶନ

ମହେନ୍ଦ୍ର ସିଂହ ଧୋନୀ ଭାରତ ପାଇଁ ୯୮ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ୩୭.୬୦ ହାରରେ ୧୬୧୭ ରନ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ସାମିଲ। ସର୍ବୋଚ୍ଚ ସ୍କୋର ୫୬ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.