ଧୋନୀଙ୍କ ବିରୋଧରେ ଯିବା କଷ୍ଟକର, ସେ ସର୍ବଶ୍ରେଷ୍ଠ ଅଧିନାୟକ- କେଭିନ୍ ପିଟରସନ
19/04/2020 at 10:20 AM

ନୂଆଦିଲ୍ଲୀ, ୧୯|୦୪: ଭାରତରେ ଅନେକ ଭଲ ଖେଳାଳି ଅଛନ୍ତି । ଦଳ କପିଲ ଦେବଙ୍କଠୁ ଆରମ୍ଭ କରି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହମ୍ମଦ ଅଜହାରୁଦ୍ଦୀନ ଓ ବିରାଟ କୋହଲି ଆଦି ଖେଳାଳିଙ୍କ ନେତୃତ୍ୱରେ ଖେଳିଛି । ଏମାନେ ଦଳକୁ ଅନେକ ଏତିହାସିକ ବିଜୟ ଦେଇଛନ୍ତି । ସେହିପରି ବିଶ୍ୱସ୍ତରରେ କ୍ଲିଭ୍ ଲିଓଡ, ଇମରାନ ଖାନ, ରିକି ପଣ୍ଟିଂ ଓ ଗ୍ରେମ୍ ସ୍ମିଥଙ୍କ ଭଲି ମହାନ କ୍ୟାପଟେନ୍ ରହିଛନ୍ତି । ଏସମସ୍ତଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ ବୋଲି ଏକ ପ୍ରଶ୍ନ ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ କେଭିନ୍ ପିଟରସନଙ୍କୁ ପଚରାଯାଇଥିଲା । ଏହାର ଉତ୍ତରରେ ସେ ଭାରତକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନାଁ କହିଥିଲେ ।
ପିଟରସନ୍ କହିଛନ୍ତି ଯେ, ଧୋନୀଙ୍କ ବିରୋଧରେ ବିତର୍କ କରିବା କଷ୍ଟକର । ସେ ଦଳକୁ ଅନେକ ଥର ଚାମ୍ପିଅନ କରିଛନ୍ତି । ତାଙ୍କଠାରୁ ଯାହା ଆଶା କରାଯାଏ ତାହା ସେ ପୂରଣ କରିଥାନ୍ତି । ସେ ପ୍ରଥମେ ଭାରତର ନେତୃତ୍ୱ ନେଇଥିଲେ । ପରେ ସେ ଚେନ୍ନାଇ ସୁପର କିଙ୍ଗସର ମଙ୍ଗ ଧରିଲେ ।
ସେ ଆହୁରି କହିଛନ୍ତି ଯେ, ଭାରତ ଧୋନୀଙ୍କ ନେତୃତ୍ୱରେ ୨୦୦୭ ଟି୨୦ ବିଶ୍ୱକପ, ୨୦୧୧ ବିଶ୍ୱକପ, ୨୦୧୩ ଚାମ୍ପିଅନସ୍ ଟ୍ରଫି ଜିତିଛି । ଧୋନୀଙ୍କ ନେତୱତ୍ୱରେ ଭାରତ ନମ୍ବର ୧ ଟେଷ୍ଟ ଦଳ ହୋଇ ପାରିଥିଲା । ତାଙ୍କ ନେତୃତ୍ୱରେ ଦଳ ୨୭ଟି ଟେଷ୍ଟ ଜିତିଛି । ଆଇପିଏଲରେ ମଧ୍ୟ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୨୦୧୦,୨୦୧୧ ଓ ୨୦୧୮ ଟ୍ରଫି ଜିତିଥିଲା ।ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଫିନିସର ଆଖ୍ୟା ଦିଆଯାଏ ।
ସୂଚନାଯୋଗ୍ୟ, ଧୋନୀ ଗତ ବିଶ୍ୱକପ ପରଠୁ ଦଳରୁ ଦୂରରେ ରହିଛନ୍ତି । ତାଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେ ଆଇପିଏଲ ଜରିଆରେ ଦଳକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ କରୋନା ଭାଇରସ ପାଇଁ ଆଇପିଏଳ ସ୍ଥଗିତ ହୋଇଯାଇଛି ।