ଚେନ୍ନାଇ ହାରିବା ପରେ ଧୋନିଙ୍କୁ ଆଉ ଏକ ଝଟ୍‌କା: ଲାଗିଲା ୧୨ ଲକ୍ଷ ଟଙ୍କା ଜରିମାନା

Published By : Prameya-News7 Bureau | April 11, 2021 IST

ନୂଆଦିଲ୍ଲୀ ୧୧/୦୪ : ଯୁବ କ୍ୟାପଟେନ ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ପ୍ରଥମ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୭ ୱିକେଟରେ ହରାଇଛି। ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଥିଲା। ଦିଲ୍ଲୀ ଟିମର ଶିଖର ଧୱନ ଓ ପୃଥ୍ବୀ ଶଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଟିମ ସହଜରେ ବିଜୟ ହାସଲ କରିଥିଲା। ସିଏସକେ କ୍ୟାପଟେନ୍ ଓ ଧୋନିଙ୍କ ପାଇଁ ପ୍ରଥମ ମ୍ୟାଚ ଭଲ ପ୍ରମାଣିତ ହୋଇନଥିଲା। ଧୋନି ଖାତା ନ ଖୋଲି ବୋଲ୍ଡ ହୋଇଗଲେ। ମ୍ୟାଚ୍ ପରେ ଆଇପିଏଲ୍ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ ତାଙ୍କ ଉପରେ ଜରିମାନା ଲଗାଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସ୍ଲୋ ଓଭର ରେଟ୍ ପାଇଁ ଧୋନିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ବିସିସିଆଇ ନିୟମ କରିଛି ଯେ ପ୍ରତ୍ୟେକ ଟିମକୁ ୯୦ ମିନିଟରେ ୨୦ ଓଭର ପୁରା କରିବାକୁ ହେବ। ଏହା ପୂର୍ବରୁ ନିୟମ ଥିଲା ଯେ ୨୦ତମ ଓଭର ୯୦ ମିନିଟରେ ଆରମ୍ଭ କରାଯାଉ କିନ୍ତୁ ବର୍ତ୍ତମାନ ଦେଢ଼ ଘଣ୍ଟା ଭିତରେ ନିର୍ଦ୍ଧାରିତ ୨୦ ଓଭର ଶେଷ କରିବାକୁ ହେବ। ୯୦ ମିନିଟରେ ଟିମକୁ ଅଢେଇ-ଅଢେଇ ମିନିଟର ଦୁଇଥର ଟାଇମ୍ ଆଉଟ୍ ମିଳିବ। ଅର୍ଥାତ ଟିମକୁ ୮୫ ମିନିଟରେ ମୋଟ୍ ୨୦ ଓଭର୍ ଖେଳିବାକୁ ହେବ। ସେ ହିସାବରେ ଘଣ୍ଟାଏରେ ପ୍ରତି ଟିମକୁ ୧୪.୧୧ ଓଭର୍ ଖେଳିବାକୁ ହେବ।

ଅପରପକ୍ଷରେ ମ୍ୟାଚ ହରିବାପରେ ଧୋନି କହିଥିଲେ ଯେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆଇପିଏଲର ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ବୋଲରଙ୍କୁ ନିଜ ନିଜ ଭୁଲ ସୁଧାରିବାକୁ ହେବ। ଧୋନି କହିଥିଲେ, 'ଆମେ ଆହୁରି ଭଲ ବୋଲିଂ କରି ପାରିଥାନ୍ତି। ବୋଲର ଭଲ ପ୍ରଦର୍ଶନ କରିନାହାନ୍ତି ଏବଂ ଅଭୁତ ଢିଲା ବୋଲିଂ କରିଛନ୍ତି। ଆଗକୁ ଭଲ ପ୍ରଦର୍ଶନ କରିବେ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.