କ’ଣ ସରିଗଲା କି ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିଅର ? କ'ଣ ଥିଲା ଭୁଲ୍‌, କାହିଁକି ପଡ଼ିଲେ ବାଦ୍‌...

Published By : Prameya-News7 Bureau | January 16, 2020 IST

 ନୂଆଦିଲ୍ଲୀ୧୬/୧: ବିସିସିଆଇ ଚଳିତ କ୍ରିକେଟ ସିଜିନ୍ ପାଇଁ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି । ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଖେଳାଳି ସୂଚୀରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁ ସାମିଲ ହୋଇନାହିଁ । ଏହା ବହୁ କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ବିଶ୍ବକପ ପର ଠାର ଭାରତୀୟ ଦଳରୁ ଦୂରେଇ ରହିଥିବା ଧୋନୀ କ’ଣ କ୍ରିକେଟରୁ ଅବସର ନେଇ ଗଲେ କି ? କ୍ରିକେଟ ପ୍ରେମୀଙ୍କ ମନରେ ଏବେ ଏହି ପ୍ରଶ୍ନ ।

କ’ଣ ସରିଗଲା କି ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିଅର ? ଧୋନୀ କଣ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଯାଉଛନ୍ତି ?  ଏମିତି କିଛି ଆକଳନ ଆରମ୍ଭ ହୋଇଗଲାଣି । କାରଣ ବିସିସିଆଇ ପକ୍ଷରୁ ଚଳିତ ସିଜିନ୍  ପାଇଁ ପ୍ରସ୍ତୁତ ଖେଳାଳି କଣ୍ଟ୍ରାକ୍ଟ ଓ ଗ୍ରେଡେସନ୍ ତାଲିକାରେ ଧୋନୀଙ୍କ ନାଁ ନାହିଁ । ଅକ୍ଟୋବର ୨୦୧୯ ରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଘୋଷିତ ବିସିସିଆଇ କଣ୍ଟ୍ରାକ୍ଟରେ ଧୋନୀଙ୍କୁ  କୌଣସି ଗ୍ରେଡ୍ରେ ସ୍ଥାନ ମିଳିନାହିଁ । ଧୋନୀ ଦୀର୍ଘଦିନ ହେଲା ଏ-ପ୍ଲସ୍ ଓ ଏ-ଗ୍ରେଡ୍ ରେ ରହି ଆସୁଥିଲେ । ଏଥର ଏ-ପ୍ଲସ୍  ଗ୍ରେଡେସନ୍ ଲିଷ୍ଟରେ  ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରିତ୍ ବୁମ୍ ରା ରହିଛନ୍ତି।

 ଏମାନଙ୍କ ଛଡା ରବୀଚନ୍ଦ୍ରନ୍ ଅଶ୍ବିନୀ , ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ମହମ୍ମଦ ସାମୀ, ଚେତେଶ୍ବର ପୂଜାରା , ଲୋକେଶ ରାହୁଲ, ଆଜିଙ୍କ୍ୟ ରାହାଣେ, ଶିଖର ଧାୱନ୍ , ଇଶାନ୍ତ ଶର୍ମା, କୂଲଦୀପ ଯାଦବ ଏବଂ ରିଷଭ ପନ୍ଥଙ୍କୁ ଗ୍ରେଡ୍  ଏ ତାଲିକାରେ ସ୍ଥାନ ମିଳିଛି । ସେହିଭଳି ରିଦ୍ଧିମାନ ଶାହା, ଉମେଶ ଯାଦବ, ଯୁଝବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍  ଗ୍ରେଡ୍ ବି ରେ ଏବଂ କେଦାର ଯାଦବ, ନବଦୀପ ସୈନୀ, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟର ଓ ୱାସିଂଟନ୍ ସୁନ୍ଦର ଗ୍ରେଡ୍- ସିରେ ସ୍ଥାନ ପାଇଛନ୍ତି । ଗ୍ରେଡ୍  ଏ-ପ୍ଲସ୍ ତାଲିକାର ଖେଳାଳି ବାର୍ଷିକ ୭କୋଟି, ଗ୍ରେଡ୍-ଏ ଖେଳାଳି ୫ କୋଟି, ଗ୍ରେଡ୍  ବି ଖେଳାଳି ୩ କୋଟି ଓ ଗ୍ରେଡ୍ ସି ଖେଳାଳି ୧ କୋଟି ଟଙ୍କା ବର୍ଷକୁ ପାଇବେ ।

ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି କୌଣସି ତାଲିକାରେ ପୂର୍ବତନ ଅଧିନାୟକ ଧୋନୀଙ୍କର ନାଁ ନାହିଁ । ଧୋନୀ ଗତ ଜୁଲାଇ ମାସରେ ଇଂଲଣ୍ଡ ବିଶ୍ବକପ୍ ରେ ଶେଷ ଥର ପାଇଁ ଖେଳିଥିଲେ । ତା ପରଠାରୁ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍  ଖେଳିନାହାନ୍ତି । ସେପଟେ ବିସିସିଆଇ ରିଦ୍ଦିମାନ୍ ସାହା ଓ ମୟଙ୍କ ଅଗ୍ରୱଲ୍  ଏବଂ ୱାସିଂଟନ୍  ସୁନ୍ଦରଙ୍କ ଭଳି ସ୍ପେସାଲିଷ୍ଟ ୱିକେଟ୍ କିପର ବ୍ୟାସମ୍ୟାନଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍  ଖେଳାଇ ଆସୁଛି ।

ତେଣୁ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିଅର ଶେଷ ହୋଇଗଲା ବୋଲି ଆକଳନ କରାଯାଉଛି । ଅଧିନାୟକ ଭାବେ୨୦୦୭ ଟି-ଟ୍ବେଣ୍ଟିଂ ଓ୨୦୧୧ ବିଶ୍ବକପ୍ ରେ ଭାରତକୁ ବିଜୟ କରାଇଥିଲେ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କୁ ଭାରତର ସବୁଠାରୁ ସଫଳ ଅଧିନାୟକ କୁହାଯାଉଛି । ଧୋନୀ ପୂର୍ବରୁ ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କରିସାରିଛନ୍ତି । ଧୋନୀ ୩୫୦ ଟି ୱାନ୍ ଡେରୁ ୧୦ ଶତକ ଓ ୭୩ ଟି ଅର୍ଦ୍ଧଶତକ ସହ ୫୦.୫୭ ହାରରେ ୧୦ ହଜାର ୭୭୩ ରନ୍ କରିଛନ୍ତି ।  ସେହିପରି ଷ୍ଟମ୍ପ ପଛରେ ୩୨୧ ଟି କ୍ୟାଚ୍  ଓ ୧୨୩ ଟି ଷ୍ଟମ୍ପିଂ କରିଛନ୍ତି । ସେହିପରି ଟି-ଟେଣ୍ଟିଂରେ ୯୮ ମ୍ୟାଚ୍ ଖେଳି ୨ ଟି ଅର୍ଦ୍ଧଶତକ ସହ ୧୬୧୭ ରନ୍ କରିଛନ୍ତି । ଷ୍ଟମ୍ପ ପଛରେ ୫୭ ଟି କ୍ୟାଚ୍  ୩୪ ଟି ଷ୍ଟମ୍ପିଂ କରିଛନ୍ତି ଧୋନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.