ସଙ୍ଘବଦ୍ଧ ହତ୍ୟା ପରେ ଗାଏବ କରିଥିଲେ ମୃତଦେହ, ୩ଦିନ ପରେ ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ଗଳିତ ଶବ

Published By : Prameya-News7 Bureau | November 07, 2021 IST

ଢେଙ୍କାନାଳ ୦୭/୧୧ : ତିନିଦିନ ଧରି ପୁଲିସର ଖୋଜା ଖୋଜି ପରେ ରବିବାର ସକାଳେ ଏକ ପରିତ୍ୟକ୍ତ କୂଅରୁ ଗାଏବ ଯୁବକଙ୍କ ମୃତଦେହ ମିଳିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ବୋରାପଦା ଗାଁରେ ଗତ ୩ତାରିଖ ରାତିରେ ଯୁବକଙ୍କୁ ଡାକି ନେଇ ସଂଘବଦ୍ଧ ଭାବେ ହତ୍ୟା ପରେ ମୃତଦେହକୁ ଏକ କୂଅରେ ପକାଇ ଦେଇଥିଲେ ଅଭିଯୁକ୍ତ । ସଦର ଥାନା ପୁଲିସ ମୃତଦେହ ଜବତ କରିଛି । ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ।

ସୂଚନା ଥାଉକି, ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବୋରାପଦା ଗ୍ରାମର ପୀତବାସ ଦାସ । ବୋରାପଦା  ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ରବିବାର ସକାଳେ ପିତବାସଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଛି ସଦର ଥାନା ପୁଲିସ । ପୀତବାସ ପୂର୍ବରୁ ଏକ ହତ୍ୟାକଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଗାଁର କିଛି ଯୁବକଙ୍କ ସହ ତାଙ୍କର ତିକ୍ତତା ରହିଥିଲା ।  ଏପରିକି ଗତ କିଛିଦିନ ପୂର୍ବେ ପିତବାସଙ୍କ ଭାଇ ରତ୍ନାକର ଦାସଙ୍କ ସହ ଅଭିଯୁକ୍ତ ମାନଙ୍କର ଗଣ୍ଡଗୋଳ ହୋଇଥିଲା । ଫଳରେ ରତ୍ନାକର ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଚୁପ ହୋଇ ବସିରହିଥିଲା । ତେବେ ଘଟଣାର ଆପୋଷ ବୁଝାମଣା ପାଇଁ ଗତ ୩ତାରିଖ ରାତିରେ ପୀତବାସଙ୍କୁ ଅଭିଯୁକ୍ତମାନେ ଡାକିଥିଲେ ।

ବୋରାପଦା ଗାଁ ମୁଣ୍ଡରେ ପୀତବାସଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଶବ ଗାଏବ କରିନେଇଥିଲେ । ପରେ ସେ ନିଖୋଜ ହେବାନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଖବର ପାଇ ସଦର ପୁଲିସ ଗାଁରେ ପହଞ୍ଚି ଏକ ପରିତ୍ତ୍ୟକ୍ତ ସ୍ଥାନକୁ କେବଳ ପୀତବାସଙ୍କ ବାଇକ ଜବତ କରିଥିଲା । ଅଭିଯୁକ୍ତଙ୍କୁ ଗିରଫ ଏବଂ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଥିଲେ ପରିବାର ଲୋ​‌କେ ।

ଏପରି ସ୍ଥଳେ ରବିବାର ସକାଳେ ବୋରାପଦା ଗ୍ରାମ ନିକଟରେ ଏକ ନିଛାଟିଆ ସ୍ଥାନରେ ଥିବା ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଇ ସଦର ପୁଲିସ ପହଞ୍ଚିଥିଲା । ପରେ ଦମକଳ ବାହିନୀ ଓ ଜେସିବି ମାଧ୍ୟମରେ କୂଅକୁ ଖୋଳି ମୃତଦେହକୁ ଉଦ୍ଧାର କରିବାରୁ ଏହା ପୀତବାସଙ୍କ ମୃତଦେହ ବୋଲି ଜଣାପଡ଼ିଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଫରେନସିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.