ଅସହାୟଙ୍କୁ ସାହା ହେଲେ ତହସିଲଦାର: କୋକେଇକୁ ଦେଲେ କାନ୍ଧ, ଆତ୍ମୀୟ ସ୍ୱଜନଙ୍କୁ ଜଣାଇଲେ ସମବେଦନା

Published By : Prameya-News7 Bureau | January 18, 2022 IST

ଖଲ୍ଲିକୋଟ ୧୮/୦୧: ଅସହାୟ, ଦୁଃସ୍ଥ ଓ ପୀଡ଼ିତଙ୍କ ନିକଟରେ ପହଞ୍ଚୁଛି ପ୍ରଶାସନ । ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବପାଇଁ ଗଞ୍ଜାମ ପ୍ରଶାସନ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି । ଏହାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମରେ । ଉକ୍ତ ଗାଁର ବାସହୀନ ଗରିବ ଶିବରାମ ନାୟକ ଗତ ୧୦ ବର୍ଷ ଧରି କିଡନୀ ରୋଗାକ୍ରାନ୍ତ ଥିଲେ ସୋମବାର ଅପରାହ୍ନରେ ତାଙ୍କର ବିୟୋଗ ହୋଇଥିଲା ।

ତେବେ ଏହି ଖବର ପାଇଥିଲେ ପୁରୁଷୋତ୍ତମପୁର ତହସିଲଦାର ନୀତିଶ କୁମାର ତ୍ରିପାଠୀ । ସେ କୌଣସି ବିଳମ୍ବ ନକରି ଶିକୁଳା ଗ୍ରାମରେ ପହଞ୍ଚିଥିଲେ । ପରେ ଶିବରାମଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏତିକିରେ ନିଜ କର୍ତ୍ତବ୍ୟ ସାରି ଦେଇ ନଥିଲେ ତହସିଲଦାର । ନିଜେ ଶିବରାମଙ୍କ ମରଶରୀର ଲଦା ହୋଇଥିବା କୋକେଇକୁ ବୋହି ଗ୍ରାମ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ ।

ସେଠାରେ ସମ୍ମାନପୂର୍ବକ ଶବଦାହ ବ୍ୟବସ୍ଥା ମଧ୍ୟ କରିଥିଲେ। ପୁରୁଷୋତ୍ତମପୁର ତହସିଲଦାରଙ୍କ ଏହି ମାନବିକତା ଓ ଦରଦୀ ମନୋଭାବ ଅଞ୍ଚଳରେ ଚର୍ଚ୍ଚିତ ହୋଇଛି । ସୂଚନା ଥାଉକି, ଶିବରାମ ନାୟକ କିଡନୀ ରୋଗର ଚିକିତ୍ସା ପାଇଁ ନିଜର ସବୁ ଧନସମ୍ପତ୍ତି ଖର୍ଚ୍ଚ କରି ସାରିଥିଲେ । ନିଜର ବୋଲି ଘର ଖଣ୍ଡେ ନଥିବା ବେଳେ ୩ ଝିଅ ଓ ପରିବାର ଲୋକଙ୍କ ସହ କୁଡ଼ିଆରେ ରହି ଆସୁଥିଲେ ।

ଏ ବାବଦରେ ଅବଗତ ହୋଇ ପୁରୁଷୋତ୍ତମପୁର ତହସିଲଦାର ଗତ ମାସ ୨୮ ତାରିଖରେ ଶିବରାମଙ୍କୁ ଭେଟି ରାଜ୍ୟ ସରକାରଙ୍କ ସହାୟତା ରାଶି ବାବଦ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ମାସକ ପାଇଁ ରାସନ୍ ସାମଗ୍ରୀ, ଲୁଗାପଟା, କମ୍ବଳ, ଝିଅମାନଙ୍କ ପାଇଁ ପୋଷାକ ଆଦି ପ୍ରଦାନ କରିବା ସହ ଶିବରାମଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ତହସିଲଦାରଙ୍କ ପ୍ରେରଣାରେ ଶିବରାମଙ୍କୁ ଅନ୍ୟ ଆଡୁ ମଧ୍ୟ ସହାୟତା ମିଳିବା ଆରମ୍ଭ ହୋଇଥିଲା।

ଏପରିକି ତହସିଲଦାର ନୀତିଶ ତ୍ରିପାଠୀ ସେମାନଙ୍କ ମୁଣ୍ଡ ଉପରେ ଛାତ ବ୍ୟବସ୍ଥା କରିବାକୁ ତଥା ସରକାରୀ ଆବାସ ଖଣ୍ଡିଏ ପ୍ରଦାନ କରିବାକୁ ମଧ୍ୟ ଆଶ୍ଵାସନା ଦେଇଥିଲେ। ହେଲେ ମାସେ ନପୁରୁଣୁ ଶିବରାମ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ଦରଦୀ ତହସିଲଦାର ଆତ୍ମୀୟ ସ୍ବଜନଙ୍କ ପରି ଉକ୍ତ ପରିବାରର ଦୁଃଖରେ ସେମାନଙ୍କ ସହ ଠିଆ ହୋଇଥିଲେ। ଏହିଭଳି ମହତ୍ୱ କାମ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.