୬ ଦିନ ପରେ ମିଳିଲା ନିଖୋଜ ଯୁବତୀଙ୍କ ପତ୍ତା, ତାହା ପୁଣି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ; ହତ୍ୟା ନା ଆତ୍ମହତ୍ୟା ?

Published By : Prameya-News7 Bureau | April 05, 2021 IST

କନ୍ଧମାଳ ୦୫।୦୪: ୬ଦିନ ପରେ ମିଳିଲା ନିଖୋଜ ଯୁବତୀଙ୍କ ପତ୍ତା । ତାହା ପୁଣି ଝୁଲନ୍ତା ଅବସ୍ଥାରେ ଠାବ ହେଲା ମୃତଦେହ ।  ମୃତକ ହରପ୍ରିୟା ମଲିକ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ପୁଟୁକିପଡ଼ାରେ ଟୁକେଲପଦର ପାହାଡରୁ ଠାବ ହୋଇଛି ମୃତଦେହ ।

ଖବର ଅନୁଯାୟୀ, ପୁଟୁକିପଡ଼ା ଗ୍ରାମର କିସ୍ତାର ମଲିକଙ୍କ ଝିଅ ହରପ୍ରିୟା ମଲ୍ଲି କ ଗତ ମଙ୍ଗଳବାର ଠାରୁ କାହାକୁ ନଜଣାଇ କୁଆଡେ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ସୋମବାର ଦିନ ସକାଳ ସମୟରେ ନିଖୋଜ ଯୁବତୀଙ୍କ ମାଆ ପାହାଡ଼କୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ । ହଠାତ୍‌ ଜଙ୍ଗଲରେ ଥିବା ଏକ ମହୁଲ ଗଛରେ ଝିଅର ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଜଣାଇଥିଲେ । ପୋଲିସ ଖବର ପାଇ ପାହାଡ଼ ଉପରେ ପହଞ୍ଚି ମୃତଦେହକୁ ଜବତ କରିଛି । ପୋଲିସ ମୃତଦେହକୁ ଜବତ କରି ଫୁଲବାଣୀ ସଦର ମହକୁମାକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ରିପୋର୍ଟ ଆସିବା ପରେ ଘଟଣା ଉପରୁ ପରଦା ହଟିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି ।

ନିଖୋଜ ଥିବା ଯୁବତୀଙ୍କ ମୃତଦେହ ଏଠାରେ କିପରି , ସେନେଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି । ପାରିପାର୍ଶିକ ସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଘଟଣାର ଫୁଙ୍ଗାନୁଫୁଙ୍ଖ ତଦନ୍ତ ହେଲେ, ଘଟଣା ଉପରୁ ପରଦା ହଟିପାରିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.