କରୋନାରେ ମୃତ୍ୟୁ ପରେ ମିଳିଲାନି କାନ୍ଧ : ଶଗଡରେ ଶ୍ମଶାନକୁ ବୋହିନେଲେ ସଫେଇ କର୍ମଚାରୀ

Published By : Prameya-News7 Bureau | April 28, 2021 IST

ଦେବଗଡ ୨୮।୪: ଦେବଗଡ ଜିଲ୍ଲାରେ କରୋନାର ଦ୍ବିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ପରିସ୍ଥିତି ଏଭଳି ହୋଇଛି ଯେ ମୃତ୍ୟୁ ପରେ ଶ୍ମଶାନକୁ ନେବାପାଇଁ ଚାରି କାନ୍ଧ ମିଳୁନାହିଁ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତିଲେଇବଣୀ ବ୍ଲକ୍ ଅନ୍ତର୍ଗତ ସୁଗୁଡା ଗ୍ରାମରେ ।  ସୁଗୁଡା ଗ୍ରାମର ଚନ୍ଦ୍ରଶେଖର ସାହୁ ପେଶାରେ କବିରାଜ ହୋଇଥିବା ବେଳେ ଚଳିତ ମାସ ୧୫ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ । ସେହିଦିନଠାରୁ ସେ ନିଜ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ ।

ମଙ୍ଗଳବାର ରାତିରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ପକ୍ଷରୁ ଦେବଗଡ କୋଭିଡ୍ କେୟାର ସେଣ୍ଟରକୁ ଫୋନ୍ କରି ଜଣାଇଥିଲେ ।  ମାତ୍ର ପରେ ତାଙ୍କର ମୃତ୍ୟୁ ଘଟିଥିଲା ।  ମୃତ୍ୟୁ ପରେ ପାଖ ପଡୋଶୀ, ଆତ୍ମୀୟସ୍ବଜନ କେହି ମଧ୍ୟ ଆସିନଥିଲେ ।  ଫଳରେ ତାଙ୍କର ଏକମାତ୍ର ପୁଅ ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫୋନ୍ କରି ଜଣାଇଥିଲେ । ଦେବଗଡ କୋଭିଡ୍ ସହାୟତା କେନ୍ଦ୍ର ପକ୍ଷରୁ ଦେବଗଡ ପୌର ପରିଷଦର ୪ ଜଣ ସଫେଇ କର୍ମଚାରୀଙ୍କୁ ଶବ ଦାହ ସଂସ୍କାର ପାଇଁ ପଠାଯାଇଥିଲା ।

ସଫେଇ କର୍ମଚାରୀମାନେ ଶବକୁ ଶ୍ମଶାନକୁ ନେବାପାଇଁ କୌଣସି ଉପାୟ ନପାଇ ଏକ ଶଗଡ ଗାଡିର ଆଶ୍ରୟ ନେଇଥିଲେ ।  ଚାରି ସଫେଇ କର୍ମଚାରୀ  ମିଳିତ ହୋଇ ପିପିଇ କିଟ୍ ପିନ୍ଧି ମୃତଦେହକୁ ଶଗଡରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ ।  ପରେ ଶବକୁ ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ ।  ଏହି ଘଟଣା ସାମ୍ନାକୁ ଆସିବା ପରେ କରୋନା କାଳରେ ମଣିଷ ପଣିଆ ଆଉ ନାହିଁ ହଜିଯାଇଛି ବୋଲି ଚର୍ଚ୍ଚା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.