ଗଙ୍ଗାନଦୀରୁ ଶହଶହ ମୃତଦେହ ମିଳିବା ଘଟଣା, ସୁପ୍ରିମକୋର୍ଟରେ ପହଁଚିଲା ମାମଲା

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ, ୧୪/୦୫:   କରୋନା ଭାଇରସର ଦ୍ୱିତୀୟ ଲହରରେ ଗଙ୍ଗା ସମେତ ଅନେକ ନଦୀରେ ମୃତଦେହ ମିଳିବା ଘଟଣା ପରେ ହାହାକାର ସୃଷ୍ଟି ହୋଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଆବେଦନରେ  ମୃତ୍ୟୁର ତଦନ୍ତ ପାଇଁ ଅନୁରୋଧ କରାଯାଇଛି ।

ଆବେଦନରେ କୁହାଯାଇଛି ଯେ, ସୁପ୍ରିମକୋର୍ଟର ବର୍ତ୍ତମାନ କିମ୍ବା ଅବସର ପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ତଦନ୍ତ କମିଟି ଗଠନ ହେଉ । କେନ୍ଦ୍ର ସରକାର, ଉତ୍ତର ପ୍ରଦେଶ ଓ ବିହାର  ସରକାରଙ୍କୁ ଭାସୁଥିବା ମୃତଦେହର ପୋଷ୍ଟ ମଟର୍ମ କରାଯାଉ । ଯେପରି ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।

ଆଇନଜୀବୀ ପ୍ରଦୀପ କୁମାର ଯାଦବ ଓ ବିଶାଲ ଠାକରେ ଆବେଦନ ଦାଖଲ କରି ଦାବି କରିଛନ୍ତି ଯେ, କ୍ଷତବିକ୍ଷତ ମୃତଦେହ ମିଳିବା ଗମ୍ଭୀର ଚିନ୍ତାର ବିଷୟ ଅଟେ । କାରଣ ନଦୀ ଅନେକ ସ୍ଥାନରେ ଜଳ ସ୍ରୋତ ଭାବେ ବ୍ୟବହୃତ ହୁଏ । ଯଦି ମୃତଦେହ କୋଭିଡ୍ ପଜିଟିଭ୍ ହୋଇଥିବେ ତେବେ ସଂକ୍ରମଣ ବ୍ୟାପିବ । ଗଙ୍ଗା ନଦୀରେ ୧୦୦ରୁ ଅଧିକ ମୃତଦେହ ମିଳିଛି । ଯେଉଁଥିରେ ୭୧ଟି ମୃତଦେହ ବିହାର ବକ୍ସର ଜିଲ୍ଲାରୁ ମିଳିଛି । ଉତ୍ତରପ୍ରଦେଶ ଓ ବିହାର ସରକାର ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଛନ୍ତି । ଉଭୟ ସରକାର ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ଚାଲିଛି । ତେଣୁ ସୁପ୍ରିମକୋର୍ଟ ବର୍ତ୍ତମାନ ଅବସର ନେଇଥିବା କିମ୍ବା ବର୍ତ୍ତମାନର ବିଚାରପତିଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ କରି ଯାଞ୍ଚ କରୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.