ପରିବାରଲୋକ ରାତାରାତି ପୋତିଦେଲେ ଶବ ! ମାଟି ଖୋଳି ଉଦ୍ଧାର କଲା ପୋଲିସ, ମୃତ୍ୟୁକୁ ନେଇ ସନ୍ଦେହ
11/01/2021 at 10:11 AM

ଅନୁଗୋଳ ୧୧।୧: ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ଅନୁଗୋଳ ଜିଲ୍ଲା କଣିହାଁ ଚିତ୍ତଲପୁର ଗୋଛାୟତ ସାହିରେ ଘଟିଛି ଏଭଳି ଅଭାବନୀୟ ଗଟଣା । ମୃତକ ହେଲେ ଲକ୍ଷ୍ମଣ ଗୋଛାୟତ ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା କଣିହାଁ ଚିତ୍ତଲପୁର ଗୋଛାୟତ ସାହିର ଲକ୍ଷ୍ମଣ ଗୋଛାୟତଙ୍କ ମୃତଦେହ ମାଟି ତଳୁ ଉଦ୍ଧାର ହୋଇଛି । କୌଣସି କାରଣରୁ ତାଙ୍କର ଘର ଲୋକଙ୍କ ସହ ବଚସା ହୋଇଥିଲା । ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ଜଣାପଡି ନଥିବା ବେଳେ ରାତାରାତି ତାଙ୍କ ମୃତଦେହକୁ ପରିବାର ଲୋକ ମଶାଣୀରେ ପୋତି ଦେଇଥିଲେ । ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ତାଙ୍କର ବିବାହିତ ଭଉଣୀ ଦୁଇ ଜଣ ଥାନାରେ ଅଭିଯୋଗ କରିଥିଲେ । ପରେ କଣିହାଁ ପୋଲିସ ମୃତଦେହକୁ ମାଟି ତଳୁ ଖୋଳି ଉଦ୍ଧାର କରିଛି ।

ଘଟଣାରେ ପୋଲିସ ତାଙ୍କ ବାପା ଏବଂ ଜଣେ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖିଛି । ପଚରା ଉଚରା ଜାରି ରଖିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ତାଳଚେର ସଦର ହସ୍ପିଟାଲକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି କଣିହାଁ ପୋଲିସ କହିଛି ।