ଛାଡପତ୍ର ନେଇ ସାରିଥିବା ମହିଳା ହୋଇ ପାରିବେନି ବ୍ୟୁଟି କୁଇନ୍, ଏମିତି କହି ମୁଣ୍ଡରୁ କାଢି ନେଲେ ଟାଇଟଲ୍, ଭିଡିଓ ଭାଇରାଲ୍

Published By : Prameya-News7 Bureau | April 07, 2021 IST

କଲୋମ୍ବୋ ୦୭।୦୪: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସମାରୋହ ଆଗେଇ ଚାଲିଥିଲା। ଜଜ୍‌ଠୁ ନେଇ ଅତିଥି ଏବଂ ଦର୍ଶକଙ୍କ କରତାଳିରେ ଉଚ୍ଛୁଳି ପଡୁଥିଲା ଆୟୋଜନ ସ୍ଥଳ। ହେଲେ ଏହି ସମୟରେ ଏମିତି ଏକ ଅଜବ ଘଟଣା ଘଟିଲା ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଥିଲେ। ମିସେସ୍ ଶ୍ରୀଲଙ୍କାର ଟାଇଟଲ୍‌ ଦେବା ସମୟରେ ଏମିତି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି ପଡୋଶୀ ଦେଶ ଶ୍ରୀଲଙ୍କାରେ।

ପୁଷ୍ପିକା ଡି ସିଲଭାଙ୍କୁ ମିଳିଥିଲା ମିସେସ୍‌ ଶ୍ରୀଲଙ୍କା ଟାଇଟଲ୍ । ଏହି ଅବସରରେ ସେ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ। ଠିକ୍ ଏହି ସମୟରେ ତାଙ୍କ ପ୍ରତିଦ୍ଵନ୍ଦ୍ଵୀ ପାଖକୁ ଆସି ମୁଣ୍ଡରେ ସଜା ହୋଇଥିବା କ୍ରାଉନ ଟାଣି ନେଇଥିଲେ। ଏହି ସମୟରେ ୩୧ ବର୍ଷୀୟ ସିଲଭାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପ୍ରତିଦ୍ଵନ୍ଦ୍ଵୀ ଅଭିଯୋଗ କରିଛନ୍ତି ଯେ, ସିଲଭା ଜଣେ ବିବାହିତ ଏବଂ ଛାଡପତ୍ର ନେଇ ସାରିଥିବା ମହିଳା। ତେଣୁ ସେ ମିସେସ୍ ଶ୍ରୀଲଙ୍କା ପାଇଁ ଯୋଗ୍ୟ ନୁହନ୍ତି। ଶ୍ରୀଲଙ୍କାରେ ନ୍ୟାସନାଲ ଟିଭିରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଚାଲିଥିଲା। ଏବେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

୩୧ ବର୍ଷୀୟ ସୁନ୍ଦରୀ ପୁଷ୍ପିକା ଡି ସିଲଭା ୨୦୨୦/୨୦୨୧ର ମିସେସ୍ ଶ୍ରୀଲଙ୍କା ଟାଇଟଲ୍ ଜିତିଥିଲେ। ତାଙ୍କୁ କଲୋମ୍ବୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଟାଇଟଲ୍‌ ଦେଇ ସମ୍ମାନିତ କରାଯାଉଥିଲା। ଭାଇରାଲ୍ ଭିଡିଓ ଅନୁସାରେ, ୨୦୧୯ ମିସେସ୍‌ ଶ୍ରୀଲଙ୍କା ଟାଇଟଲ୍ ଜିତିଥିବା କ୍ୟାରୋଲିନ ଜୁରିଙ୍କଠୁ ମାଇକ୍ ନେଇ ଦର୍ଶକଙ୍କୁ ଏହା କହୁଥିବା ଦେଖିବାକୁ ମିଳିଛି ଯେ, ଯେଉଁ ମହିଳା ବିବାହିତ ଏବଂ ଛାଡପତ୍ର ଦେଇ ସାରିଛନ୍ତି, ତାଙ୍କୁ ଏହି ଟାଇଟଲ୍‌ ମିଳି ପାରିବ ନାହିଁ। ସେ ଟାଇଟଲ୍‌ ପାଇଁ ଯୋଗ୍ୟ ନୁହନ୍ତି। ଏହି କାରଣରୁ ମୁଁ ଏହି କ୍ରାଉନ୍‌କୁ ଦ୍ଵିତୀୟ ସ୍ଥାନରେ ଥିବା ସୁନ୍ଦରୀଙ୍କୁ ପ୍ରଦାନ କରୁଛି। ୨୮ ବର୍ଷୀୟ କ୍ୟାରୋଲିନ ଏତିକି କହି ଡି ସିଲଭାଙ୍କ ମୁଣ୍ଡରେ ଲାଗିଥିବା କ୍ରାଉନ୍‌କୁ ଟାଣି ଆଣିଥିଲେ। ବିଜୟ ମୁକୁଟ କାଢିବା ସମୟରେ ଡି ସିଲଭାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

wp:html /wp:html

ମିସେସ୍ ଶ୍ରୀଲଙ୍କାର କ୍ରାଉନ ସିଲଭାଙ୍କ ମୁଣ୍ଡରୁ କାଢିବା ପରେ କ୍ୟାରାଲିନ ରନର ଅପ୍‌କୁ ପିନ୍ଧାଇଥିଲେ। ଫୁଟେଜ୍‌ରେ ଏହା ଦେଖିବାକୁ ମିଳିଛି ଯେ, ଭାବୁକ ହୋଇ ପଡିଥିବା ସିଲଭା ତୁରନ୍ତ ଷ୍ଟେଜ୍ ଛାଡି ଚାଲି ଯାଉଛନ୍ତି। ସେ ଏହି ପୂରା ଘଟଣାକୁ ଅନୁଚିତ୍ ଏବଂ ଅପମାନଜନକ ଦର୍ଶାଇଛନ୍ତି। ପରେ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, ଡି ସିଲଭା ବିବାହ ପରେ ଅଲଗା ରହୁଛନ୍ତି। କିନ୍ତୁ ସେ ଛାଡପତ୍ର ଦେଇ ନାହାନ୍ତି। ତେଣୁ ଏହି ଟାଇଟଲ୍‌ ତାଙ୍କୁ ପୁନର୍ବାର ଫେରାଇ ଦିଆଯାଇଛି। ନେଲୁମ ପୋକୁନା ମହିନ୍ଦା ରାଜପକ୍ଷେ ଥିଏଟରରେ ହୋଇଥିବା ଏହି ଅପ୍ରତ୍ୟାଶିତ ଘଟଣା ପରେ ଫେସବୁକ ପୋଷ୍ଟରେ ଡି ସିଲଭା କହିଛନ୍ତି ଯେ, ତାଙ୍କ ମୁଣ୍ଡରେ ଲାଗିଥିବା ଆଘାତ ପାଇଁ ତାଙ୍କୁ ଚିକିତ୍ସା କରାଇବାକୁ ପଡିଛି।

ସେ କହିଛନ୍ତି, ଏହି ଅପମାନଜନକ ଘଟଣା ନେଇ ମୁଁ ଆଇନର ଆଶ୍ରୟ ନେଇଛି। ମୁଁ କହୁଛି ଯେ, ସେହି ମହିଳା ଉଚିତ୍ ବ୍ୟୁଟି କ୍ଵିନ୍ ହୋଇ ପାରିବ ନାହିଁ ଯିଏ ଅନ୍ୟ ମହିଳାଙ୍କ ମୁଣ୍ଡରୁ କ୍ରାଉନ ଟାଣି ନେବ। ଏହି ଘଟଣା ପରେ ଆୟୋଜକ ଡି ସିଲଭାଙ୍କଠୁ କ୍ଷମା ମାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.