ମିଷ୍ଟର ଆୟାର ଏବେ ସିରୟସ ହେଇଗଲେ :ପୁଣି ଥରେ ମାଗିଲେ କ୍ଷମା , ୨୩ରେ ଗୃହ କମିଟି ଆଗରେ ହେବେ ହାଜର ଭୁବନେଶ୍ବର
17/10/2018 at 6:46 PM

୧୭|୧୦: ଅକ୍ଟୋବର ୨୩ରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର ମିତ୍ର।। କୋଣାର୍କ ଓଡ଼ିଶା ଏବଂ ରାଜ୍ୟର ବିଧାୟକମାନଙ୍କ ବାବଦରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ ଆଜି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ପୁଣି ଥରେ କ୍ଷମା ମାଗିଛନ୍ତି। ତେବେ ଏହା ମଧ୍ୟରେ ତାଙ୍କର ବୁଦ୍ଧି ଅଭ୍ୟୁଦୟ ହୋଇଛି ଏବଂ ଏଥିସହ ସେ ବିଧାନସଭାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।ମିଷ୍ଟର ଆୟାର ଏବେ ସିରୟସ ହେଇଗଲେ । ଯାହା କହିଥିଲେ କେତେ ଗରହିତ ଥିଲା ଆଉ ତାର ପ୍ରଭାବ ଲୋକଙ୍କୁ ଆଘାତ ଦେଇଥିଲା ତାହା ହୃଦବୋଧ ହେଲା। ଆଉ ଏବେ କହିଲେ ମୁଁ କ୍ଷମା ମାଗୁଛି। ସେତେବେଳେ କୋଣାର୍କ ମନ୍ଦିର , ଓଡିଶାର ଇତିହାସ, ବିଧାନସଭାର ସଦସ୍ୟମାନଙ୍କୁ ଯାହା ସବୁ କହିଥିଲେ ଏବେ କ୍ଷମା ମାଗିଛନ୍ତି। ଏଏନଆଇକୁ ଏକ ସାକ୍ଷାତକାର ଦେଇ ନିଜର ସବୁ ଭୁଲର ଡୁବକି ଲଗେଇଛନ୍ତି ଅଭିଜିତ୍ ଆୟାର।ନିଜର ବିବାଦୀୟ ମନ୍ତବ୍ୟର ତୀବ୍ର ପ୍ରତିକ୍ରିୟା ହୋଇଥିବା ସତ୍ତ୍ବେ ସବୁକିଛି ବାଏଁ ବାଏଁ ଉଡ଼ାଇ ଦେଇଥିଲେ ମିଷ୍ଟର ଆୟାର। କୋର୍ଟ କଚେରୀରର ବାଟ ଦେଖେଇ ଗିରଫଦାରୀକୁ ଏଡ଼େଇ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ମନ୍ତବ୍ୟ କେତେ ଗରହିତ ତାଙ୍କୁ ବୁଝେଇ ଦେବା ପରେ ମୁଣ୍ଡରୁ ବାଳ ଝଡ଼ିପଡ଼ିଲା। ଆଉ ପ୍ରଥମେ ବିଧାନସଭା ଗୃହ କମିଟିକୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଥିବା ବେଳେ ଏବେ ସାକ୍ଷାତ କାର ଦେଇ କହିଛନ୍ତି ଯେ ସେ ୨୨ ତାରିଖରେ ଆସିବେ ଆଉ ୨୩ ତାରିଖରେ ବିଧାନସଭାରେ ହାଜର ହେବେ ।ମିଷ୍ଟର ଆୟାର କହିଛନ୍ତି ଏବେ ତାଙ୍କର ଜ୍ଞାନ ଉଦୟ ହୋଇଛନ୍ତି। ଏଣିକି ସେ ଯାହା କହିବେ ତାର ପ୍ରଭାବ କଣ ତାର ମାପଚୁପ କରିବେ। ପୂର୍ବରୁ ଟ୍ବିଟରକୁ ନିଜର ଫନ, ଯାହାକୁ ନାହିଁ ତାକୁ ଯାହା ନାହିଁ ତାହା କହିଦେଉଥିଲେ । ଏବେ ହୁସିଆର ରହିବେ ବୋଲି କହିଛନ୍ତି।ଖାଲି ସେତିକି ନୁହେଁ ଚିଲିକାରେ ହେଲିକପ୍ଟର ବୁଲିବା ଆଉ ଓଡ଼ିଶା ବୁଲିବାର ବି ସଫେଇ ଦେଇଛନ୍ତି । ବୈଜୟନ୍ତ ପଣ୍ଡାଙ୍କୁ ବନ୍ଧୁ ବୋଲି କହିଥିବା ବେଳେ ଏବେ କହିଛନ୍ତି ତାଙ୍କୁ ଥରେ ଦୁଇଥର ଭେଟିଥିଲେ। ଆଉ ଓଡ଼ିଶା ବୁଲିବା ବେଳେ ସେ କେବଳ ଥାର୍ଡ ଲେଗ୍ ଥିଲେ ।ସେତେବେଳେ ତାଙ୍କର କଥା ଶୈଳୀ ଆଉ ଏବେ ତାଙ୍କର କଥାର ଶୈଳୀ ଢେର୍ ଫରକ ହୋଇଯାଇଛି। ଆଉ ସମ୍ମାନର ସହିତ ଓଡ଼ିଶା ଓଡ଼ିଶା କହୁଛନ୍ତି ମିଷ୍ଟର ଆୟାର।ଗତ ୧୧ରେ ଅଭିଜିତ୍ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାର ଥିଲା । କିନ୍ତୁ ବାତ୍ୟା ବାହାନାରେ ଆସିନଥିଲେ । ବାଚସ୍ପତିଙ୍କ ନିକଟକୁ ପଠାଇଥିବା ଇମେଲରେ ଓଡିଶାର ସଂସ୍କୃତି, ଜଗନ୍ନାଥ ଓ କୋଣାର୍କ ମନ୍ଦିର ଉପରେ ଯେଉଁ ଟିକ୍କା ଟିପ୍ପଣୀ ଦେଇଥିଲେ ତାହା ଅକ୍ଷମଣୀୟ ଅପରାଧ ବୋଲି ଲେଖିଥିଲେ। । ଏଭଳି ଏକ ଭୁଲ୍ ପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଦର୍ଶାଇଥିଲେ । କିନ୍ତୁ ଗୃହ କମିଟି ଆଗରେ ହାଜର ହେବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ହାଜର ନହେବାରୁ ତାଙ୍କୁ ପୁଣି ଅକ୍ଟୋବର ୨୩ରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା ।