ସାରୁଅ ଜମି କେଳେଙ୍କାରୀ ଏବେ ଦିଲ୍ଲୀ ଦରବାରରେ, ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ୍ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ

Published By : Prameya-News7 Bureau | November 04, 2020 IST

ଖୋର୍ଦ୍ଧା, ୦୪/୧୧:  ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଟ୍ବିଟ୍‌ କରି ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ୍‌ ପାତ୍ର । କହିଛନ୍ତି ଓଡ଼ିଶା ଲ୍ୟାଣ୍ଡ ରାଇଟ୍‌ ଆକ୍ଟର ଖୋଲାଖୋଲି ଉଲଂଘନ କରିବା ସହ ଆଇନ୍‌ ଆଖିରେ ଧୂଳି ଦେଇ ଜାଲିଆତି କରିଛନ୍ତି ବୈଜୟନ୍ତ । ସେପଟେ ସାରୁଅରେ ଥିବା ଓଟିଭିର ତରଙ୍ଗ ଷ୍ଟୁଡିଓ ସାମ୍ନାରେ ଚତୁର୍ଥ ଦିନରେ ଧାରଣାରେ ବସିଥିବା ଶ୍ରମିକଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ ଦଳିତ ମହାସଭାର ସଭାପତି ଅଶୋକ ମଲ୍ଲିକ ।

ସାରୁଅ ଜମି ଜାଲିଆତି ମାମଲା​ରେ ମୋଦି-ଶାହାଙ୍କୁ ଟ୍ବିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ରାଜ୍ୟସଭା ସାଂସଦ ସସ୍ମିତ୍‌ ପାତ୍ର ।  କହିଛନ୍ତି, ଓଡ଼ିଶା ଲ୍ୟାଣ୍ଡ ରାଇଟ୍‌ ଆକ୍ଟ ଖୋଲାଖୋଲି ଉଲଂଘନ କରିବା ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ତଥା ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଚଞ୍ଚକତା କରି ଦଳିତଙ୍କ ଜମି ହାତେଇଛନ୍ତି ।  ଏମିତିକି ଦଳିତଙ୍କ ଜମି କିଣିବା ପାଇଁ ସେ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ବ୍ୟବହାର କରିଛନ୍ତି ।  ବେନାମୀ ଡିଲ୍‌ କରି ପ୍ରତିପତ୍ତିଶାଳୀ ଜୟ ପଣ୍ଡା ଦଳିତଙ୍କ ଉପରେ ଅତ୍ୟାଚାର କରିଥିବାରୁ ତାହା ଆଇନ ଅନୁସାରେ ଜଘନ୍ୟ ଅପରାଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଟ୍ବିଟ୍‌ କରି ଜଣାଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ୍‌ ପାତ୍ର ।

ସେପଟେ ଆଜି ସାରୁଅରେ ଥିବା ଓଟିଭିର ତରଙ୍ଗ ଷ୍ଟୁଡିଓ ସାମ୍ନାରେ ଠିକା କର୍ମଚାରୀଙ୍କ ଧାରଣା ଚତୁର୍ଥ ଦିନରେ ପହଞ୍ଚିଥିଲେ ମଧ୍ୟ କେହି ଓଟିଭି କର୍ତ୍ତୃପକ୍ଷ ସେମାନଙ୍କ ସମସ୍ୟା ପ୍ରତି ଗୁରତ୍ବ ଦେଉନଥିବା ଅଭିଯୋଗ ହୋଇଛି । ଗଲା ଚାରି ଦିନ ଧରି ଏହି ଶ୍ରମିକମାନେ ଶୀତ କାକରରେ ଫାଟକ ସାମ୍ନାରେ ପଡ଼ି ରହିଛନ୍ତି । ଆଜି ଧାରଣାରତ ଶ୍ରମିକଙ୍କ ପାଖରେ ପହଞ୍ଚିଥିଲେ ରାଷ୍ଟ୍ରୀୟ ଦଳିତ ମହାସଭାର ରାଜ୍ୟ ସଭାପତି ଅଶୋକ ମଲ୍ଲିକଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ । ତୁରନ୍ତ ଏହି ଶ୍ରମିକମାନଙ୍କ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ମହାସଂଘ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ସ୍ଥାୟୀ ନିଯୁକ୍ତି, ଇପିଏଫ, ଇଏସଆଇ, ଜୀବନ ବୀମା  ପ୍ରଦାନ ସହ ସରକାରଙ୍କ ସବୁ ନୀତି ନିୟମ ଅନୁସାରେ ବେତନ ପ୍ରଦାନ ଦାବିରେ ତରଙ୍ଗ ଷ୍ଟୁଡିଓ ସାମ୍ନାରେ ଧାରଣା ଦେଇଛନ୍ତି ଶ୍ରମିକମାନେ । ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଆନ୍ଦୋଳନରତ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି । ଏମିତିରେ ଏବେ ଶ୍ରମିକଙ୍କ ସମସ୍ୟା ନେଇ ମତାମତ ରଖିବାକୁ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରିଛନ୍ତି ଖୋର୍ଦ୍ଧା ଡିଭିଜନାଲ ଲେବର କମିଶନର । ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି ।

ଗୋଟିଏ ପଟେ ଜମି ଜାଲିଆତି ଏବଂ ଅନ୍ୟପଟେ ଶ୍ରମିକ ଶୋଷଣ ନୀତି ଓଟିଭି କର୍ତ୍ତୃପକ୍ଷଙ୍କ ଅଡ଼ୁଆ ବଢ଼ାଇବାରେ ଲାଗିଛି  । ଅନ୍ୟପଟେ ସାରୁଅ ଜମି ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ଇନ୍‌ଫ୍ରାଟେକ୍‌ ମୁଖ୍ୟ ତଥା ଓଟିଭି ସିଏଫ୍‌ଓ  ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ଅନ୍ୟ ଜଣେ କର୍ମଚାରୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ମାରାଥନ ଜେରାରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆଜି ୨ଜଣଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.