ସଂସଦରେ ଉଠିଲା କାଷ୍ଟିଙ୍ଗ୍ କାଉଚ୍ ମାମଲା: ରବି କିଷନ କହିଲେ, 'ଦେଶର ମହିଳା ଦେବୀ ଦୁର୍ଗା କିନ୍ତୁ ବଲିଉଡ୍‌ରେ ସଉଦା ହେଉଛି'

Published By : Prameya-News7 Bureau | September 21, 2020 IST

ନୂଆଦିଲ୍ଲୀ ୨୧/୦୯ : ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ମାମଲା ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ କରିଥିବା ଯୌନ ଶୋଷଣ ମାମଲାକୁ ନେଇ ମାହୋଲ ଗରମ ରହିଛି । ଏହି ପ୍ରସଙ୍ଗ ବର୍ତ୍ତମାନ ସଂସଦ ଯାଏଁ ପହଞ୍ଚିଛି । ଗୋରଖପୁର ବିଜେପି ସାଂସଦ ରବି କିଷନ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଗତକାଲି ରାଜ୍ୟସଭା କାର୍ଯ୍ୟନିର୍ବାହୀ ପାଖାପାଖି ରାତି ଗୋଟାଏ ଯାଏଁ ଚାଲିଥିଲା । ଏହି ପ୍ରସଙ୍ଗ ଉପରେ ଯୁକ୍ତିତର୍କ ହୋଇଥିଲା । ସାଂସଦ ରବି କିଷନ ଏମିତି ଏକ ଆଇନ ଦାବି କରିଥିଲେ ଯାହାଦ୍ୱାରା ମହିଳା ଓ ଯୁବତୀଙ୍କ ଉପରେ ଅନୁଚିତ ଚାପ ପକାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇପାରିବ । ଏହି ପ୍ରସଙ୍ଗରେ ନିଜ ପକ୍ଷ ରଖି ରବି କିଷାନ କହିଥିଲେ ଯେ, "ଆମ ଦେଶରେ ଝିଅମାନେ ଦେବୀ ଦୁର୍ଗା ଓ ଗୋମାତାଙ୍କ ଭଳି ପୂଜନୀୟ । କିନ୍ତୁ ବଲିଉଡ ସମେତ ଅନେକ କ୍ଷେତ୍ରରେ ଲୋକେ ମହିଳାଙ୍କ ଭାଗ୍ୟ ଚମକାଇଦେବା କହି ତାଙ୍କ ସହ ସଉଦା କରୁଛନ୍ତି ।"

ତେବେ ରବି କିଷନ କାହା ନାଁ ନେଇନଥିଲେ । କିନ୍ତୁ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ଉପରେ ଲଗାଇଥିବା ଆରୋପ ପରେ ରବି କିଷାନ ଏହିଭଳି ବୟାନ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ ରବି କିଷନ ପରୋକ୍ଷରେ ଅନୁରାଗ କଶ୍ୟପଙ୍କୁ ଇସାରା କରିଛନ୍ତି । ଏହା ପୂର୍ବରୁ ଅନୁରାଗ ଓ ପାୟଲଙ୍କ ମାମଲାରେ ରବି କିଷନ କହିଥିଲେ, "ଅନୁରାଗଙ୍କ ବିରୋଧରେ ଗମ୍ଭୀର ଆରୋପ ହୋଇଛି ଏବଂ ପାୟଲ ନିଜେ ସାମ୍ନାକୁ ଆସି ଅଭିଯୋଗ କରିଛନ୍ତି । ଯଦି ଏହି ତଥ୍ୟ ସତ ତାହେଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଆମେ ନାରୀ ସଶକ୍ତିକରଣ କଥା କହୁଚୁ । ଯଦି କୌଣସି ମହିଳା ଗୁହାରି କରୁଛନ୍ତି ତାହେଲେ ଏଥିପାଇଁ ତଦନ୍ତ ପାଇଁ ସମସ୍ତ ଯାଞ୍ଚ ଏଜେନ୍ସି କବାଟ ଖୋଲା ରହେ ।"

ରବି କିଷାନ ଓ ଅନୁରାଗ କଶ୍ୟପ ମଧ୍ୟରେ ବାଦବିବାଦ ସୁଶାନ୍ତ ଓ ରିୟା ମାମଲା ସହ ଜଡିତ ବୟାନବାଜିରୁ ଆରମ୍ଭ ହୋଇଥିଲା । ଅନୁରାଗ କଶ୍ୟପ ରବି କିଷନଙ୍କୁ ଟାର୍ଗେଟ କରି ଟ୍ୱିଟ କରିଥିଲେ, ରବି କିଷାନ ଗଂଜେଇ ଟାଣୁଥିବା ଅଭିଯୋଗ କରିଥିଲେ । ଏଥିରେ ରବି କିଷାନ ତାଙ୍କୁ ଜବାବ ଦେଇ କହିଥିଲେ ବୁଝି ବିଚାରି ବୟାନ ଦେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ପାୟଲ ଘୋଷଙ୍କ ଆରୋପ ପରେ ରବି କିଷନ ଅନୁରାଗ କଶ୍ୟପଙ୍କ ବିରୋଧରେ ଖୋଲାଖୋଲି ବୟାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.