ମଧ୍ୟପ୍ରଦେଶ ରାଜନୀତି : ଫ୍ଲୋର୍ ଟେଷ୍ଟ ନେଇ ସସ୍‌ପେନ୍ସ , ସେପଟେ ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | March 17, 2020 IST

ଭୋପାଳ ୧୭।୦୩ : ମଧ୍ୟପ୍ରଦେଶ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି । ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ କ୍ଷମତାସୀନ କମଳନାଥ ସରକାର ସୋମବାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ଥିଲା । କିନ୍ତୁ କରୋନା ନିମନ୍ତେ ବାଚସ୍ପତି ବିଧାନସଭା କାର୍ଯ୍ୟକାଳ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍ଥଗିତ କରି ଦେଇଛନ୍ତି । ବାଚସ୍ପତିଙ୍କ ଏହି ନିଷ୍ପତିକୁ ନେଇ ରାଜ୍ୟପାଳ ଅସନ୍ତୋଷ ଜାହିର କରିବା ସହ ମାର୍ଚ୍ଚ ୧୭ରେ ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ଦିନ ମଧ୍ୟରେ ଆସ୍ଥାଭୋଟ କରି କମଳନାଥ ସରକାର ଯଦି ବହୁମତ ସାବ୍ୟସ୍ତ କରି ନ ପାରନ୍ତି ତେବେ ତାଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ନଥିବା ଧରାଯିବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି । ସେପଟେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନ ହୋଇଥିବାରୁ ରାଜ୍ୟପାଳ ଗୃହକୁ ସମ୍ବୋଧିତ କରିଥିଲେ । ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭ କରିବା ମାତ୍ରେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ନରୋତ୍ତମ ମିଶ୍ର ଏହାକୁ ବିରୋଧ କରିଥିଲେ । କମଳନାଥ ସରକାର ନିଜ ସଂଖ୍ୟା ଗରିଷ୍ଠତା ହରାଇ ସାରିଥିବା ବେଳେ ଏଭଳି ସରକାରକୁ ସମ୍ବୋଧିତ କରିବା ଅନାବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଲଗାତର ବିରୋଧ ଫଳରେ ରାଜ୍ୟପାଳ ୧ ମିନିଟରୁ କମ ସମୟ ମଧ୍ୟରେ ନିଜ ଅଭିଭାଷଣ ଶେଷ କରିଥିଲେ । ବିଧାୟକମାନେ ମଧ୍ୟପ୍ରଦେଶର ଗୌରବ ରକ୍ଷା କରି ସମ୍ବିଧାନ ପାଳନ କରନ୍ତୁ ବୋଲି କହି ରାଜ୍ୟପାଳ ଗୃହରୁ ଚାଲି ଯାଇଥିଲେ । ପରେ ବିଜେପି ବିଧାୟକମାନେ ଆସ୍ଥାଭୋଟ କରିବାକୁ ଦାବି କିରିଥିଲେ ମଧ୍ୟ କଂଗ୍ରେସ ବିଧାୟକମାନେ ଏଥିରେ ରାଜି ହୋଇନଥିଲେ । କରୋନା ଯୋଗୁ ବିଧାନସଭା ମୁଲତବୀ କରିବାକୁ କଂଗ୍ରେସ ବିଧାୟକମାନେ ଦାବି କରିଥିଲେ । ବାଚସ୍ପତି କଂଗ୍ରେସ ବିଧାୟକଙ୍କ ଦାବି ଗ୍ରହଣ କରି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟପାଳ ବିରୋଧ କରି ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆସ୍ଥାଭୋଟ କରିବା ନିମନ୍ତେ ଆଦୌ ପ୍ରୟାସ କରାଯାଇ ନଥିଲା । ଏଣୁ ମାର୍ଚ୍ଚ ୧୭ରେ ଅର୍ଥାତ୍‌ ମଙ୍ଗଳବାର ଆସ୍ଥା ଭୋଟ କରାଯାଉ । ଯଦି ଏପରି କରା ନ ଯାଏ ତେବେ କମଳନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି ବୋଲି ଧରାଯିବ ।

ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିରୋଧ କରି ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ୧୨ ଘଣ୍ଟା ମଧ୍ୟରେ ଆସ୍ଥାଭୋଟ କରିବାକୁ ଅନୁରୋଧ କରି ପିଟିସନ ଦାୟର କରିଛି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପୂର୍ବରୁ ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧିମଣ୍ଡଳି ରାଜ୍ୟପାଳଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ । ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପି ନିକଟରେ ଯଥେଷ୍ଟ ବିଧାୟକ ଥିଲେ ମଧ୍ୟ ସରକାର ଗଠନ ନ କରିପାରିବା ସମ୍ବିଧାନ ବିରୋଧୀ ହେଉଥିବା ସେମାନେ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ରାଜ୍ୟପାଳ ବିଧାୟକମାନଙ୍କୁ ଆଶ୍ୱାସନା ଦେଇ କହଥିଲେ, ଆସ୍ଥାଭୋଟ କରିବା ନିମନ୍ତେ ମୁଁ ନିର୍ଦ୍ଦେଶ ଦେଇଥିଲି । ଏଣୁ ଏହି ନିର୍ଦ୍ଦେଶକୁ କିପରି ପାଳନ କରାଯିବ ଏହା ମୋର ଦାୟିତ୍ୱ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.