ବାଚସ୍ପତିଙ୍କୁ ଅଧିକ ସମୟ ଦେବା ସୁନା ଖଣି ଦେବା ପରି ହେବ, ଏଥିରେ ବିଧାୟକଙ୍କ ଘୋଡା ବେପାର ବଢିବ: କୋର୍ଟ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୦୩: ମଧ୍ୟ ପ୍ରଦେଶରେ ବହୁମତ ପରୀକ୍ଷଣ କରାଇବା ବିଜେପିର ଯାଚିକା ଉପରେ ସୁପ୍ରିମକୋର୍ଟରେ କ୍ରମାଗତ ଦ୍ଵିତୀୟ ଦିନ ଗୁରୁବାର ଶୁଣାଣି ଜାରି ରହିଛି। ସର୍ବୋଚ୍ଚ ଅଦାଲତ ବାଚସ୍ପତି ଏନପି ପ୍ରଜାପତିଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ସେ ଭିଡିଓ ଲିଙ୍କ୍ ଜରିଆରେ ବିଦ୍ରୋହୀ ବିଧାୟକଙ୍କ ସହିତ କଥା ହୋଇ ପାରିବେ ଓ ସେମାନଙ୍କ ବିଷୟରେ ନିଷ୍ପତ୍ତି ନେଇ ପାରିବେ ? ଏହା ଉପରେ ବାଚସ୍ପତିଙ୍କ ପକ୍ଷରୁ ହାଜର ଓକିଲ ଅଭିଷେକ ମନୁ ସିଙ୍ଘଭି ସୁପ୍ରିମକୋର୍ଟକୁ କହିଛନ୍ତି ଯେ, ଏମିତି ସମ୍ଭବ ନୁହଁ।

ସିଙ୍ଘଭି କହିଛନ୍ତି ଯେ, ବାଚସ୍ପତିଙ୍କୁ ମିଳିଥିବା ବିଶେଷ ଅଧିକାରକୁ ସୁପ୍ରିମକୋର୍ଟ ମଧ୍ୟ ହଟାଇ ପାରିବେ ନାହିଁ। ବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବିଷୟରେ ନିଷ୍ପତ୍ତି ନେବା ପାଇଁ ଦୁଇ ସପ୍ତାହର ସମୟ ମାଗିଛନ୍ତି। କୋର୍ଟ  କହିଛନ୍ତି ଯେ, ଏତେ ସମୟ ଦେବା  ସୁନାର ଖଣି ପରି ହେବ, ଏଥିରେ ଘୋଡା ବେପାର ବଢିବ। ବହୁମତ ପରୀକ୍ଷଣ ଦାବି କରୁଥିବା ବିଜେପିର ଏହି ଯାଚିକା ଉପରେ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ପୀଠ ଶୁଣାଣି କରୁଛନ୍ତି।

{"id":240992,"sizeSlug":"large"}

ଆଜି ଶୁଣାଣି ବେଳେ ପୀଠ ପ୍ରସ୍ତାବ ଦେଇଥିଲା ଯେ, ବେଙ୍ଗାଲୁରୁ କିମ୍ବା ଅନ୍ୟ କେଉଁଠୁ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରାଯାଇ ପାରିବ। ଏହା ଦ୍ଵାରା ବିଦ୍ରୋହୀ ବିଧାୟକ ଭିଡିଓ କନଫରେନ୍ସିଂ ଜରିଆରେ ବାଚସ୍ପତିଙ୍କ ସହ କଥା ହୋଇ ପାରିବେ। ମାତ୍ର ବାଚସ୍ପତି କୋର୍ଟଙ୍କ ଏହି ପ୍ରସ୍ତାବକୁ ସ୍ଵୀକାର କରିବାକୁ ମନା କରି ଦେଇଛନ୍ତି।

ବାଚସ୍ପତି କହିଛନ୍ତି ଯେ, ରାଜ୍ୟ ସରକାର ବହୁମତରେ ଅଛନ୍ତି ନା ହରାଇଛନ୍ତି ଏହା ଦେଖିବା ରାଜ୍ୟପାଳଙ୍କ କାମ ନୁହଁ। ଏହା ବିଧାନସଭାର କାମ। ବିଧାନସଭା ରାଜ୍ୟପାଳଙ୍କର କେବଳ ତିନୋଟି କ୍ଷମତା ରହିଛି, ଅଧିବେଶନ କେବେ ଡକାଯିବ, କେବେ ସ୍ଥଗିତ କରାଯିବ ଏବଂ କେବେ ଭଙ୍ଗ କରାଯିବ।

ରାଜ୍ୟପାଳ ବାଚସ୍ପତିଙ୍କୁ ତୁମେ ଏହା କରିବା ଉଚିତ୍, ଏହା କରିବା ଉଚିତ୍ ନୁହଁ ତାହା ପ୍ରଶ୍ନ କରି ପାରିବେ ନାହିଁ ବୋଲି ଓକିଲ ଅଭିଷେକ ମନୁ ସିଙ୍ଘଭି କହିଛନ୍ତି। ଏହା ଉପରେ କୋର୍ଟ କହିଛନ୍ତି ଯେ, ଯଦି ବିଧାନସଭାର ଅଧିବେଶନ ଚାଲୁ ନାହିଁ ଏବଂ ସରକାର ବହୁମତ ହରାନ୍ତି ତେବେ ରାଜ୍ୟପାଳଙ୍କ ପାଖରେ ବିଧାନସଭାର ବାଚସ୍ପତିଙ୍କୁ ଗୃହରେ ବହୁମତ ପରୀକ୍ଷଣ କରାଇବାକୁ ନିର୍ଦ୍ଦେଶ ଦେବାର କ୍ଷମତା ରହିଛି। ପୀଠ କହିଛି ଯେ, ଯେବେ ବିଧାନସଭାରେ ହଟ୍ଟଗୋଲ ହୁଏ ଏବଂ ସରକାର ନିଜର ସଂଖ୍ୟା ଗରିଷ୍ଠତା ହରାନ୍ତି ତେବେ ରାଜ୍ୟପାଳ ବିଧାନସଭା ଅଧିବେଶନ ଡକାଇ ପାରିବେ।

{"id":240993,"sizeSlug":"large"}

ବିଚାରପତି ଡି.ଓ୍ଵାଇ ଚନ୍ଦ୍ରଚୂଡ ଓ ବିଚାରପତି ହେମନ୍ତ ଗୁପ୍ତାଙ୍କ ପୀଠ କହିଛନ୍ତି ଯେ, ବିଦ୍ରୋହୀ ବିଧାୟକ ନିଜ ଇଚ୍ଛାରେ ଯାଇଛନ୍ତି କି ନାହିଁ ଏହା ସୁନିଶ୍ଚିତ କରିବାକୁ ସେମାନେ ଅପେକ୍ଷା କରିବେ। ଓକିଲ ଅଭିଷେକ ମନୁ ସିଙ୍ଘଭି  କହିଛନ୍ତି ଯେ, ଯେଉଁ ଦିନ ଅଦାଲତ ବାଚସ୍ପତିଙ୍କୁ ସମୟ ସୀମା ଆଧାରରେ ନିର୍ଦ୍ଦେଶ ଦେବା ଆରମ୍ଭ କରିବେ ତେବେ ଏହା ସାମ୍ବିଧାନିକ ସମସ୍ୟା ସୃଷ୍ଟି କରିବ। ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ପକ୍ଷରୁ ହାଜର ଓକିଲ ଅଦାଲତକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କମଲନାଥ ଆରାମରେ ବସିଛନ୍ତି ଏବଂ ବାଚସ୍ପତି ଅଦାଲତରେ ଆାଇନର ଲଢେଇ ଲଢୁଛନ୍ତି।

ପୀଠ ସମସ୍ତଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ବିଧାୟକଙ୍କ ଇସ୍ତଫା ଓ ଅଯୋଗ୍ୟତା ମାମଲାରେ ବାଚସ୍ପତିଙ୍କ ନିର୍ଣ୍ଣୟ ବହୁମତ ପରୀକ୍ଷଣକୁ ପ୍ରଭାବିତ କରିବ। ଏହା ଉପରେ ଓକିଲ କହିଛନ୍ତି ଯେ, ସାମ୍ବିଧାନିକ ସିଦ୍ଧାନ୍ତ ଅନୁସାରେ ଇସ୍ତଫା ଓ ଅଯୋଗ୍ୟତା ମାମଲା ବାଚସ୍ପତିଙ୍କଠାରେ ବିଚାରଧୀନ ରହିଲେ ମଧ୍ୟ ବହୁମତ ପରୀକ୍ଷଣ ଉପରେ କୌଣସି ରୋକ୍ ଲାଗିନଥାଏ। ପୀଠ କହିଛି, ଅଦାଲତକୁ ଏହା ଦେଖିବାକୁ ପଡିବ ଯେ, କଣ ରାଜ୍ୟପାଳ ତାଙ୍କୁ ମିଳିଥିବା ଶକ୍ତିଠୁ ଆଗକୁ ବଢି କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.