କେବେ ସରିବ ମଧ୍ୟପ୍ରଦେଶ ହାଇଡ୍ରାମା ? ବହୁମତ ପରୀକ୍ଷଣ ନେଇ ଆଜି ପୁଣି ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: ମଧ୍ୟପ୍ରଦେଶରେ ଲାଗିରହିଛି ରାଜନୈତିକ ହାଇଡ୍ରାମା । ଆଜି ପୁଣି ଥରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନେଇ ହୋଇଥିବା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଭାରତୀୟ ଜନତା ପାର୍ଟି ନେତା ଶିବରାଜ ସିଂ ଚୌହାନ ଖୁବ୍ ଶୀଘ୍ର ଫ୍ଲୋର୍ ଟେଷ୍ଟ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ବୁଧବାର ଶୁଣାଣିରେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ୧୬ ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ ନକରିବାର କାରଣ ପଚାରିଥିଲେ। ଏଭଳି କଲେ ବିଧାୟକମାନେ ଆପେ ଅଯୋଗ୍ୟ ଘୋଷିତ ହୋଇଯିବେ ବୋଲି କୋର୍ଟ ପ୍ରକାଶ କରିଥିଲେ । କମଳନାଥଙ୍କ ଓକିଲ କପିଲ ସିବଲ କୋର୍ଟଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଇସ୍ତଫା ଦେଇଥିବା ବିଧାୟକମାନେ କଂଗ୍ରେସର । ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସରକାର କ୍ଷମତାସୀନ ଅଛି ।

ଶୁଣାଣି ସମୟରେ ବିଜେପି ପକ୍ଷରୁ ମାମଲା ଲଢୁଥିବା ଓକିଲ ମୁକୁଲ ରୋହତଗୀ କୋର୍ଟରେ ୧୬ ଜଣ ବିଦ୍ରୋହୀ ଓକିଲଙ୍କୁ ହାଜର କରିବାକୁ ଅନୁମତି ଲୋଡ଼ିଥିଲେ । କିନ୍ତୁ କୋର୍ଟ ଏଥିନିମନ୍ତେ ମନା କରି ଦେଇଥିଲେ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଗୁରୁବାର ଏହାର ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଝଟ୍‌କା ଲାଗିଛି । ବିଦ୍ରୋହୀ ବିଧାୟକମାନଙ୍କୁ ସାକ୍ଷାତ କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଦିଗବିଜୟ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । କର୍ଣ୍ଣାଟକ ପୋଲିସର ସାହାଯ୍ୟକ୍ରମେ ତାଙ୍କୁ ବେଙ୍ଗାଲୁରୁରେ ଥିବା ବିଦ୍ରୋହୀ ବିଧାୟକଙ୍କ ସହ ସାକ୍ଷାତ କରିବାର ମଉକା ଦିଆଯାଉ ବୋଲି ଦିଗବିଜୟ କୋର୍ଟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ କୋର୍ଟ ଏହି ପିଟିସନଟିକୁ ଖାରଜ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.