ମନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ: ମଧ୍ୟପ୍ରଦେଶ ବିଧାନସଭାକୁ ବିନା ମାସ୍କରେ ଆସିଲେ ଉଷା ଠାକୁର, କହିଲେ ମୁଁ ହନୁମାନ ଚାଳିଶା ପଢୁଛି

Published By : Prameya-News7 Bureau | February 23, 2021 IST

ଭୋପାଲ ୨୩।୨: ରାଜଧାନୀ ଭୋପାଲ, ଇନ୍ଦୋର  ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ କରୋନା ଭାଇରସ ମହାମାରୀ ପ୍ରକୋପ ଜାରି ରହିଛି। ଏଥିରେ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସଦନକୁ ଆସୁଥିବା ଶାସକ ଦଳ ବିଧାୟକମନ୍ତ୍ରୀ କୋଭିଡ କଟକଣା ମାନୁ ନାହାନ୍ତି। ମଙ୍ଗଳବାର ବିଧାନସଭାକୁ ଆସିଥିବା ଅନେକ ବିଧାୟକ ଓ ମନ୍ତ୍ରୀ ମାସ୍କ ପିନ୍ଧି ନଥିବାର ଦେଖାଯାଇଛି।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ମାସ୍କ ନ ପିନ୍ଧି ବିଧାନସଭାକୁ ଆସିବାରୁ ତାଙ୍କ ପ୍ରବେଶ ବାରଣ କରାଯାଇଥିଲା। ଏଥିରେ ସେ ନିୟମିତ ହନୁମାନ ଚାଳିଷା ପାଠ କରୁଥିବା, ଗୋବର ଘୋଷିରେ ହବନ କରୁଥିବା ଶଙ୍ଖ ବଜାଉଥିବା ଓ ଦୈନିକ କାଢା ପିଉଥିବାର ସୁରକ୍ଷା କର୍ମୀଙ୍କୁ କହିଥିଲେ। ଏହା ବାଦେ ଗଳାରେ ଗାମୁଛା ପକାଇ ବୁଲୁଛି, ଯଦି କିଏ ନିକଟତର ହୁଅନ୍ତି ତେବେ ମୁହଁରେ ଗାମୁଛା ଲଗାଇ ଦେଉଛି ବୋଲି ସଫେଇ ଦେଇଥିଲେ।

ସେହିପରି ବହୁଜନ ସମାଜପାର୍ଟି ବିଧାୟକ ରମା ବାଇ ମଧ୍ୟ ବିନା ମାସ୍କରେ ଗୃହକୁ ଆସିଥିଲେ। ଏଥି ଲାଗି ଯାହା ଜରିମନା ହେବ ତାହା ଦେବାକୁ ପ୍ରସ୍ତୁତ ବୋଲି ସୁରକ୍ଷା କର୍ମୀଙ୍କୁ କହିଛନ୍ତି। ଇନ୍ଦୋରରେ ସୋମବାର ୧୦୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲୋକେ ଚାଟ୍ ପକୁଡି ଖାଇବାକୁ ରାସ୍ତାକୁ ଆସି ସଂକ୍ରମିତ ହେଉଥିବା ମନ୍ତ୍ରୀ ଠାକୁର କହିଛନ୍ତି।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ପ୍ରଶାସନ ଲୋକଙ୍କୁ ସତର୍କତା କଡାକଡି ଅବଲମ୍ବନ କରିବାକୁ ପ୍ରତି ମୂହୁର୍ତ୍ତରେ ସଚେତନ କରୁଛନ୍ତି। ଏପରିକି ମାସ୍କ ନ ପିନ୍ଧିକି ବାହରକୁ ବାହାରିଲେ ୧୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏଥିରେ ବିଧାନସଭାକୁ ଆସୁଥିବା ମନ୍ତ୍ରୀ ବିଧାୟକ କୋଭିଡ ପ୍ରୋଟକଲ ଉଲ୍ଲଂଘନ କଲେ ସାଧାରଣ ଲୋକଙ୍କଠାରୁ ଆମେ ଅଧିକ କଣ ଆଶା କରିପାରିବା ବୋଲି କହିଛନ୍ତି ସୁରକ୍ଷା ଦାୟିତ୍ୱରେ ଥିବା ଜନୈକ ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.